ବାଜପୁର ସ୍ୱାଧୀନତା ସଂଗ୍ରାମର ସ୍ମାରକ ହେଉ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତି ଉନ୍ମୋଚନ ସମାରୋହ

ଖୋରଧା ୨୭-୨ (ଓଡ଼ିଆ ପୁଅ): ଐତିହାସିକ ଖୋର୍ଦ୍ଧା ଉପକଣ୍ଠ ବାଜପୁର ଗ୍ରାମ ହେଉଛି ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ପେଣ୍ଠସ୍ଥଳୀ। ଏହି ଗ୍ରାମର ପ୍ରାୟ ପ୍ରତ୍ୟେକ ପରିବାର ସ୍ୱାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ମଧ୍ୟ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଛନ୍ତି। ଇଂରେଜ କବଳରୁ ସ୍ୱାଧୀନତାକୁ ଛଡାଇ ଆଣିବା ଲାଗି ବାନର ସେନାର ଜଣେ ଆଗୁଆ କର୍ମୀ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଏହି ଗ୍ରାମରେ ବାର ବାର ବୈଠକ ବସିଥିଲା। ତେଣୁ ‘ବାଜପୁର’ ସ୍ୱାଧୀନତା ସଂଗ୍ରାମର ସ୍ମାରକ ସ୍ଥଳ କରାଯିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବାଜପୁର ସ୍ଥିତ ସୈନିକ ସଦନରେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ କବିଗୋ÷ରବ ପଣ୍ଡିତ ନାରାୟଣ ମିଶ୍ର ଏବଂ ଶିକ୍ଷକରତ୍ନ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତି ଉନ୍ମୋଚନ ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ରୂପେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲକୁମାର ଦଳେଇ ଯୋଗଦେଇ କହିଲେ ପଣ୍ଡିତ ମିଶ୍ର ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଉଦବୁଦ୍ଧ ହୋଇ ଲବଣ ସତ୍ୟାଗ୍ରହ ଏବଂ ଭାରତ ଛାଡ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବରେ ସାମିଲ ଥିଲେ। ମୁଖ୍ୟବକ୍ତା ଭାବରେ ଗୀତା ବୈଷୟିକ ମହାବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଫେସର ଶରତଚନ୍ଦ୍ର ମହାପାତ୍ର ଯୋଗଦେଇ କହିଲେ ଦେଶ ଓ ଜାତିକୁ ଭଲ ପାଉଥିବା ଜଣେ ସଚ୍ଚୋଟ ଓଡିଆ ହେଉଛନ୍ତି ପଣ୍ଡିତ ନାରାୟଣ ମିଶ୍ର। ଜଣେ ମାନବବାଦୀ ଭାବରେ ମାତୃଭାଷା ଓ ମାତୃଭୂମିର ସେବାରେ ନିଜର ସମଗ୍ର ଜୀବନକୁ ନିୟୋଜିତ କରି ସେ ଏକାଧାରରେ ସ୍ୱାଧୀନତା ସଂଗ୍ରାମୀ, ସାରସ୍ୱତ ସାଧକ, ଭାଷା ସାହିତ୍ୟ ରକ୍ଷକ, ଗବେଷକ ଓ ଜୀବନୀ ଲେଖକ। ସେହିପରି ଶିକ୍ଷକ ରତ୍ନ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଶିକ୍ଷାକ୍ଷେତ୍ରରେ ଅବଦାନ ଅତୁଳନୀୟ। ସମ୍ମାନିତ ଅତିଥି ଭାବରେ ଜୟୀ ରାଜଗୁରୁ ସ୍ମୃତି ସଂସଦର ଅଧ୍ୟକ୍ଷ ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନନ୍ଦ, ଖଲ୍ଲିକୋଟ ଆର୍ସିଏମ୍ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ସାମନ୍ତ, ରାଉରକେଲା ଷ୍ଟିଲ ପ୍ଲାଂଟର ପୂର୍ବତନ ଏଜିଏମ୍ ସୁରରାଜ ମିଶ୍ର, ସମାଜସେବୀ ସୁରେନ୍ଦ୍ର ଜେନା ଏବଂ ବାଜପୁର ସରପଂଚ ସୁଜାତା ବ୍ରହ୍ମ ପ୍ରମୁଖ ଯୋଗଦେଇ କବିକୁଞ୍ଜର ପ୍ରତିଷ୍ଠାତା ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣଙ୍କ ତ୍ୟାଗ ଓ ତୀତିକ୍ଷାର ପଟାନ୍ତର ନାହିଁ ବୋଲି କହିଥିଲେ। ଏହାଛଡ଼ା ଶିକ୍ଷକରତ୍ନ ପ୍ରଫେସର ମିଶ୍ର ବାଳିକା ଶିକ୍ଷାର ପ୍ରସାର ପାଇଁ ବାଜପୁରରେ ଏକ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରି ସମସ୍ତଙ୍କର ପ୍ରିଭାଜନ ହୋଇଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଡ଼ାକ୍ତର ଉମେଶଚନ୍ଦ୍ର ପାତ୍ର, ବାଜପୁର ମଧ୍ୟଇଂରାଜୀ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ପ୍ରଭାକର ମିଶ୍ର, ବାଜପୁର ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ମନୋରମା ମିଶ୍ର, ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ମିଶ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ଦିବ୍ୟା, ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ଏବଂ ବସନ୍ତ କୁମାର ଷଡଙ୍ଗୀ ପ୍ରମୁଖଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରତିଭା ପାଇଁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଏହି ସମାରୋହ ଶେଷରେ ପଣ୍ଡିତ ମିଶ୍ରଙ୍କ ଉପରେ ଏକ ଡ଼ାକଟିକେଟ ସମେତ ପଣ୍ଡିତ ମିଶ୍ରଙ୍କ ଲିଖିତ ଚିଲିକା ଦର୍ଶନ, ଭୋଟର ଭାବନା, ପୁଣ୍ୟଶ୍ଳୋକ ଏବଂ ଦଶଦିଗର ମିଳିତ ସମାହାର ‘ପଣ୍ଡିତ ନାରାୟଣ ମିଶ୍ର କାବ୍ୟାବଳୀ’ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପଣ୍ଡିତ ନାରାୟଣ ମିଶ୍ର ସ୍ମୃତି ସଂସଦର ଅଧ୍ୟକ୍ଷ ଡକ୍ଟର ସୁଜିତ ମିଶ୍ର ଅତିଥି ପରିଚୟ କରିଥିବା ବେଳେ ସୁମିତ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ପରିଶେଷରେ ସ୍ମୃତି ସଂସଦର ସଂଯୋଜକ ନୀଳକଣ୍ଠ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡ. ବୃନ୍ଦାବନ ପଣ୍ଡା, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଗୋବିନ୍ଦ ଚନ୍ଦ୍ର ମହାରଣା, ଇଂ ସମ୍ବିତ ମିଶ୍ର, ଶାଶ୍ୱତୀ ମିଶ୍ର, ରାଜଶ୍ରୀ ମିଶ୍ର, ସୋନାଲି ମିଶ୍ର ଏବଂ ପୂଜା ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *