ବାଙ୍ଗାଲୋର, ତାମିଲନାଡୁରୁ ଆମଦାନୀ ହେଉଛି ଡେଙ୍ଗୁ ଭଦ୍ରକରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲାଣି

ଭଦ୍ରକ, ୨୩ା୮ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ଏବେ ମାତିଛି ଡେଙ୍ଗୁ। ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିସାରିଛି। ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୮୪ କୁହାଯାଉଥିବା ବେଳେ ବେସରକାରୀ ଭାବେ ଶହେରୁ ଅଧିକ ଥିବା କୁହାଯାଉଛି। ତେବେ ଦିନକୁ ଦିନ ଜିଲାରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢିବା ଉଦବେଗର କାରଣ ହୋଇଛି। ଜିଲା ସ୍ୱାସ୍ଥ୍ୟବିଭାଗ ଓ ଜିଲା ପ୍ରଶାସନ ପାଇଁ ମଧ୍ୟ ଏହା ମୁଣ୍ଡବ୍ୟଥାର କାରଣ ହୋଇଛି। ନିଜେ ଜିଲାପାଳ ଏହାକୁ ଗୁରୁତ୍ୱର ସହ ନେଇ ଡେଙ୍ଗୁ ପ୍ରବାଭିତ ଗାଁ ଇତିମଧ୍ୟରେ ବୁଲିଛନ୍ତି। ସବୁପରେ ବି ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇନାହିଁ ଓ ସମସ୍ତଙ୍କୁ ସତର୍କ ଓ ସଚେତନ ରହିବାକୁ ହେବ ବୋଲି ଜିଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଜିଲାର ବାସୁଦେବପୁର ଅଂଚଳରେ ୧୪ଜଣ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ବେଳେ ଧାମନଗରରେ ଇତିମଧ୍ୟରେ ୧୭ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସେହିଭଳି ବରପଦା, ଆଗରପଡା, ତିହିଡି ଆଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୮୪ ଛୁଇଁଥିବା କୁହାଯାଉଛି। ଅନ୍ୟପକ୍ଷରେ ବହୁ ରୋଗୀ ସିଧାସଳଖ କଟକ ବଡଡାକ୍ତରଖାନା ଓ ନର୍ସିଂହୋମ ମୁହାଁ ହୋଇଥିବାରୁ ସରକାରୀ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ବାସ୍ତବ ସଂଖ୍ୟା ନିହାତି ବଢିବ ଏଥିରେ ଦ୍ୱିମତ ନାହିଁ। ତେବେ ବିଭାଗୀୟ ଅଧିକାରୀ ଡାକ୍ତର ରବି ନାରାୟଣ ସାହୁଙ୍କ କହିବା କଥା ହେଲା; ଆମ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଆତଙ୍କ ଅଥବା ଉଦବେଗର କାରଣ ନାହିଁ। ଚିହ୍ନଟ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ବାହାରୁ ଡେଙ୍ଗୁ ଆକ୍ରାନ୍ତ ହେବା ପରେ ନିଜ ଜିଲାରେ ପହଂଚି ଚିକିତ୍ସ। ଆରମ୍ଭ କରିଛନ୍ତି। ଜିଲାରେ ଚିହ୍ନଟ ରୋଗୀଙ୍କ ମଧ୍ୟରୁ କେବଳ ବାଙ୍ଗାଲୋରରୁ ୬୦ ପ୍ରତିଶତ ଆମଦାନୀ ହୋଇଥିବା ଜଣାପଡିଛି ବୋଲି ଆଲୋଚନା ବେଳେ କହିଛନ୍ତି ଡାକ୍ତର ସାହୁ। ଅନେକ ରୋଗୀ ତାମିଲନାଡୁ ଓ ଅନ୍ୟସ୍ଥାନରୁ ଆକ୍ରାନ୍ତ ହୋଇଥିବାର ସୂଚନା ବି ପାଇଛୁ। ସମୁଦାୟ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ୧୧ଜଣ ନିଜ ଗାଁରେ ରହି ଡେଙ୍ଗୁ ପୀଡିତ ହୋଇଥିବାର ପ୍ରମାଣ ଆମେ ପାଇଛୁ, ଯାହାକି କିଛିଟା ଚିନ୍ତାଜନକ କୁହାଯାଇପାରେ ବୋଲି କହିଛନ୍ତି ଡାକ୍ତର ସାହୁ। ଧାମନଗର ବ୍ଲକର ବାଲିଦି ଗ୍ରାମରେ କେବଳ ୭ରୋଗୀ ଚିହ୍ନଟ ହୋଇଛନ୍ତି ଯେଉଁମାନେ ନିଜ ଗାଁରେ ରହି ଡେଙ୍ଗୁରେ ପୀଡିତ ହୋଇଛନ୍ତି। ଇତିମଧ୍ୟରେ ଆମେ ଜିଲାପାଳଙ୍କ ସହ ଉକ୍ତ ଗ୍ରାମ ପରିଦର୍ଶନ କରିସାରିଛୁ, ଲୋକଙ୍କୁ ସଚେତନ କରାଇଛୁ ଓ ପାଖ ଗାଁର ଲୋକଙ୍କ ମଧ୍ୟ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛୁ ବୋଲି କହିଛନ୍ତି ଡାକ୍ତର ସାହୁ। ଡାକ୍ତର ସାହୁ ଦର୍ଶାଇଛନ୍ତି ଯେ: ଡେଙ୍ଗୁର କାରଣ ସାଜୁଥିବା ଏଡିସ ମଶାଙ୍କର ଯଥେଷ୍ଟ ଉପସ୍ଥିତି ଭଦ୍ରକ ଜିଲାରେ ରହିଛି। ବାହାରୁ ରୋଗୀ ଜିଲାକୁ ଫେରିବା ପରେ ଏହି ମଶା ରୋଗକୁ ବ୍ୟାପିବାରେ ସାହାଯ୍ୟ କରୁଛି। ମୁଖ୍ୟତଃ ନିଜ ଘରର ପରିବେଶ ଓ ଚତୁଃପାଶ୍ୱର୍କୁ ନିର୍ମଳ ରଖିଲେ ରୋଗକୁ ନିଷେଧ କରାଯାଇପାରିବ। ବିଶେଷତଃ କଠିନ ବସ୍ତୁରେ ପାଣି ଜମାଟ ରଖିବାକୁ ନଦେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ ଡେଙ୍ଗୁ ଚିକିତ୍ସ। ଲାଗି ଭଦ୍ରକ ମୁଖ୍ୟଚିକିତ୍ସ।ଳୟରେ ରକ୍ତ ପରୀକ୍ଷଣ ବ୍ୟବସ୍ଥ ଉପଲବ୍ଧ ହୋଇଥିବା ବେଳେ ଏଯାଏ ସ୍ୱତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ନାହିଁ। ପୂର୍ବର ଅଂଶୁଘାତ ୱାର୍ଡ ଓ ପାଖ କୋଠରିକୁ ଡେଙ୍ଗୁ ୱାର୍ଡ ଭଳି ବ୍ୟବହାର କରାଯାଉଛି। ଏଠାରେ ଉଲ୍ଲେଖନୀୟ ଯେ; ଗତ ୨୦୧୬ ବର୍ଷରେ ଭଦ୍ରକ ଜିଲାରେ ୨୬୬ ଜଣ ହେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୦୧୫ରେ ଏହା ୩୧୫ ଥିଲା। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଗକୁ ପରିସ୍ଥିତି କ’ଣ ହେବ ତାହା ଏବେଠୁ କହିବା ମୁସ୍କିଲ ହୋଇଛି।

Leave a Reply

Your email address will not be published. Required fields are marked *