ବାଘାଯତୀନ ସ୍ମୃତିପୀଠ ରାସ୍ତାରେ ମଦ ଦୋକାନ ଖୋଲିବାକୁ ବିରୋଧ

ବାଲେଶ୍ୱର, ୭/୫ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ରାଜପଥ ପାଶ୍ୱର୍ରୁ ଉଚ୍ଛେଦ ମଦ ଦୋକାନ ଜିଲ୍ଲାର ଗ୍ରାମାଞ୍ଚଳରେ ଖୋଲିବାକୁ ଅବକାରୀ ବିଭାଗ ପକ୍ଷରୁ ଏବେ ଉଦ୍ୟମ ଜୋରଦାର ହୋଇଛି। ମାତ୍ର ସରକାରୀ ନିୟମକୁ ଉଲ୍ଲଂଘନ ସହ ଦେବାଳୟ, ସ୍କୁଲ କଲେଜ ପ୍ରଭୃତି ଅନୁଷ୍ଠାନ ନିକଟବର୍ତ୍ତୀ ଅଞ୍ଚଳରେ ମଦ ଦୋକାନ ପ୍ରତିଷ୍ଠାକୁ ସ୍ଥାନୀୟ ଲୋକେ ବିରୋଧ ଆରମ୍ଭ କରିଛନ୍ତି। ତେବେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ବ୍ରିଟିଶ ସୈନ୍ୟଙ୍କ ସହ ସମ୍ମୁଖ ଯୁଦ୍ଧରେ ଶହୀଦ ହୋଇଥିବା ବୀର ବାଘାଯତୀନଙ୍କ ସ୍ମୃତିପୀଠ ନିକଟବର୍ତ୍ତୀ ଅଞ୍ଚଳରେ ଏବେ ମଦ ଦୋକାନ ଖୋଲିବା ନେଇ ଚାଲିଥିବା ପ୍ରସ୍ତୁତିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ନଗ୍ରମ ପଞ୍ଚାୟତର ଦେଶୁଆଁ ପୋଖରୀସ୍ଥିତ ଏହି ସ୍ମୃତି ପୀଠକୁ ବିଭିନ୍ନ ସ୍ଥାନରୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଥିବା ବେଳେ ସେହି ନିଛାଟିଆ ରାସ୍ତାରେ ମଦ ଦୋକାନ ହେଲେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି। ତୁରନ୍ତ ଉକ୍ତ ରାସ୍ତାରୁ ପ୍ରସ୍ତାବିତ ମଦଦୋକାନ ସ୍ଥାନାନ୍ତର ପାଇଁ ସେମାନେ ଦାବି କରିଛନ୍ତି। ନତୁବା ଆଗାମୀ ଦିନରେ ନିଶ୍ଚିତ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ଅବସରରେ ନଗ୍ରମ ପଞ୍ଚାୟତର ବହୁ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *