ବାଗୁରାଇ ହାଇସ୍କୁଲର ଆଦିବାସୀ ବାଳିକା ହଷ୍ଟେଲ କାର୍ଯ୍ୟକ୍ଷମ ପୂର୍ବରୁ ହୋଇଗଲା ପରିତ୍ୟକ୍ତ

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସରକାର ଆଦିବାସୀଙ୍କ ବିକାଶ ଖାସ କରି ବାଳିକାଙ୍କ ସମୃଦ୍ଧି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ଆଦିବାସୀ ପିଲାଏ କେମିତି ପାଠପଢା ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ସରକାର ସେମାନଙ୍କ ଲାଗି ମାଗଣାରେ ରହିବା, ଖାଇବା ଓ ପଢିବାର ବ୍ୟବସ୍ଥା କରୁଛନ୍ତି। ସମସ୍ତ ଜିଲା ଓ ବ୍ଲକସ୍ତରରେ ସରକାର ଆଦିବାସୀ ବାଳିକା ହଷ୍ଟେଲ ତିଆରି କରୁଛନ୍ତି। ହେଲେ ଭଦ୍ରକ ଜିଲା ପ୍ରଶାସନର ନାକତଳେ ୯ବର୍ଷ ହେଲା ଏକ ଆଦିବାସୀ ବାଳିକା ହଷ୍ଟେଲ କାର୍ଯ୍ୟକ୍ଷମ ହେବା ପୂର୍ବରୁ ପରିତ୍ୟକ୍ତ ହୋଇଯାଇଛି। ଭଦ୍ରକ ସହରର ଖ୍ୟାତନାମା ଶିକ୍ଷାନୁଷ୍ଠାନ ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ ପରିସରରେ ସରକାର ୯ବର୍ଷ ତଳେ ଏକ ଆଦିବାସୀ ବାଳିକା ହଷ୍ଟେଲ ନିର୍ମାଣ ଆରମ୍ଭ ହୋଇଥିଲେ। ଏଥିଲାଗି ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ହଷ୍ଟେଲର ନିର୍ମାଣ କରୁଥିବା ଠିକା ସଂସ୍ଥା ପୂର୍ଣ୍ଣାଙ୍ଗ ହେବା ପୂର୍ବରୁ କାମ ଛାଡି ଛୁ’ ହୋଇଗଲା। ତେବେ ମିଳିଥିବା ସୂଚନାନୁଯାୟୀ ହଷ୍ଟେଲର ବିଲ୍ଡିଂ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଥିବା ବେଳେ ଚଟାଣ ନିର୍ମାଣ, ଟାଇଲ ପକା କାମ ବାକି ରହିଛି। ତା’ଛଡା କୋଠରୀ ଭିତରେ ପ୍ଲାଷ୍ଟର ବାକିଥିବା ବେଳେ ପାଇଖାନା ଟାଙ୍କି ନିର୍ମାଣ ବି ବାକି ରହିଛି। ହଷ୍ଟେଲକୁ ବାକି ଅଛି ବିଦ୍ୟୁତ ସଂଯୋଗ। ତେବେ ଗତ ୮ ବର୍ଷ ହେଲା ସେମିତି ଅବସ୍ଥାରେ ହଷ୍ଟେଲକୁ ରଖାଯାଇଥିବା ବେଳେ ଅଧୁନା ନିର୍ମାଣାଧୀନ ହଷ୍ଟେଲଟି ଖୋଲା ପାଇଖାନାରେ ପରିଣତ ହୋଇଛି। ବିଭାଗୀୟ ସୂଚନାନୁଯାୟୀ, ହଷ୍ଟେଲରେ ଶହେ ଛାତ୍ରୀଙ୍କ ରହିବା ଲାଗି ବ୍ୟବସ୍ଥା ହେବାର ଥିଲା। ଆଖପାଖ ସମସ୍ତ ହାଇସ୍କୁଲର ଆଦିବାସୀ ଛାତ୍ରୀଙ୍କ ଲାଗି ଏହି ହଷ୍ଟେଲରେ ରହିବାର ବ୍ୟବସ୍ଥା ହୋଇଥାନ୍ତା, କିନ୍ତୁ ଅଧପନ୍ତରିଆ ଅବସ୍ଥାରେ ହଷ୍ଟେଲକୁ ଛାଡି ଠିକାଦାର ଛୁ’ ହୋଇଥିବା ବେଳେ ପ୍ରଶାସନ ମଧ୍ୟ ହଷ୍ଟେଲ ନିର୍ମାଣ କାର୍ଯ୍ୟ କେମିତି ସରିବ ଓ କାର୍ଯ୍ୟକ୍ଷମ ହେବ ସେନେଇ କିଛି ତତ୍ପରତା ଦେଖାଉନାହିଁ। ୩ ବର୍ଷ ତଳେ ତକ୍ରାଳୀନ ଜିଲାପାଳ ଉକ୍ତ ହଷ୍ଟେଲ ନିର୍ମାଣ କାହିଁକି ଅଟକିଲା ସେବାବଦରେ ସମୀକ୍ଷା କରିଥିଲେ। ତା’ପରଠାରୁ ଅବସ୍ଥା ସେମିତି ରହିଛି। ହଷ୍ଟେଲ ନିର୍ମାଣ ଲାଗି ଆହୁରି ୧୮ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଜିଲା କଲ୍ୟାଣ ବିଭାଗରୁ ସୂଚନା ମିଳିଛି। ଏତକ ଟଙ୍କା ପାଇଁ ବିଭାଗ ସରକାରଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛି। ଅପରପକ୍ଷେ ଜିଲା ଦାୟିତ୍ୱରେ ଥିବା ସରକାରଙ୍କ ପରିବହନ କମିଶନର ତଥା ସଚିବ ଜି ଶ୍ରୀନିବାସନ ନିକଟରେ ଭଦ୍ରକ ଜିଲା ଗସ୍ତରେ ଆସିଥିବା ବେଳେ ତଫସିଲଭୁକ୍ତ ଜାତି ଓ ଜନଜାତି ହଷ୍ଟେଲ ନିର୍ମାଣ ବାବଦରେ ସମୀକ୍ଷା କରିଥିଲେ। ଏ ସଂପର୍କରେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସଚିବ ଆବଶ୍ୟକ ପଦକ୍ଷେପ ଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *