ବାଇକ୍ ଦୁର୍ଘଟଣାରେ ଶିକ୍ଷକ ମୃତ, ୩ ଆହତ

ପାଟଣା, ତା୧୦/୦୯(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ପାଟଣା-କରଞ୍ଜିଆ ୨୨୦ ନମ୍ବର ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥର କୁଞ୍ଚିବେଡା ଛକ ନିକଟରେ ରବିବାର ରାତିରେ ବାଇକ୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିବା ସହ ୩ଜଣ ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ସାନଜାମୁପଶି ବୁଟାସିଂ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ତଥା ହାଟଡ଼ିହି ବ୍ଲକ ତେନ୍ତୁଳିପଦି ଗ୍ରାମର ରବି ନାରାୟଣ ନନ୍ଦ (୪୪) ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟା ୭ଟା ସମୟରେ ପାଟଣାରୁ ରବିନାରାୟଣ ନନ୍ଦ ଓ ପ୍ରଶାନ୍ତ କୁମାର ଭଞ୍ଜ ଏକ ବାଇକ୍ ଯୋଗେ କରଞ୍ଜିଆ ଅଭିମୁଖେ ଯାଉଥିବା ସମୟରେ କୁଞ୍ଚିବେଡା ନିକଟରେ ସେମାନଙ୍କ ବାଇକ୍ ସହ ଏକ ସ୍କୁଟିର ଧକ୍କା ହୋଇଥିଲା ଫଳରେ ବାଇକ୍ ରେ ଥିବା ରବିନାରାୟଣ ନନ୍ଦ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାଟଣା ମେଡିକାଲ ଓ ପରେ କଟକ ବଡମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବାଇକ୍ ରେ ଥିବା ପ୍ରଶାନ୍ତ ଭଞ୍ଜ ଆହତ ହୋଇଥିବା ବେଳେ ସ୍କୁଟିରେ ଥିବା ମଙ୍ଗଳପୁର ଗ୍ରାମର ଅର୍ଜୁନ ମହାନ୍ତ ଓ ହରିହର ମହାନ୍ତ ମଧ୍ୟ ଗୁରୁତର ଥାଇ ଚିକିତ୍ସାଧିନ ଅଛନ୍ତି। ଖବର ପାଇ ପାଟଣା ଥାନା ସବଇନିପେକ୍ଟର ବୈଲୋଚନ ସିଂହ ଏଏସଆଇ ଅଶୋକ କୁମାର ନାୟକ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ରେ ସଂପୃକ୍ତ ବାଇକ୍ ଓ ସ୍କୁଟି କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *