ବାଃ, ବାଃ ଓଡ଼ିଶା ପୋଲିସ୍ ପ୍ରଶାସନ! କେନ୍ଦୁଝର ଜିଲ୍ଲାରେ ପରୀ-୨ ନାମରେ ପୋଲିସ ପ୍ରଶାସନର ମାନବିକତା ଶୂନ୍ୟ ଅଭିଯାନ

– କୋମଳମତୀ ଶିଶୁ ଓ ତାଙ୍କ ପରିବାର ନିର୍ଯାତିତ
– ସ୍କୁଲ ପଢୁଆ ଶିଶୁଙ୍କୁ ଶ୍ରମିକ ସଜାଇ ଶସ୍ତା ବାଃବାଃ ସାଉଁଟି ଲକ୍ଷ୍ୟରେ ପୋଲିସ ପ୍ରଶାସନ
– ନିଖୋଜ ୧୦ କମୋଳମତି ଶିଶୁଙ୍କ ବାପା ମା’ଙ୍କ ଆକୁଳ ନିବେଦନକୁ ଜିଲ୍ଲାପାଳ ଓ ଏସ୍.ପିଙ୍କ ହେୟ ଜ୍ଞାନ

କେନ୍ଦୁଝର ୫-୯ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ପରୀ-୨ ନାମରେ ପୋଲିସ ପ୍ରଶାସନ ଚଲାଇଅଛି ମାନବିକତା ଶୂନ୍ୟ ଅଭିଯାନ। କୋମଳମତୀ ଶିଶୁ ଓ ତାଙ୍କ ପରିବାରକୁ ଦିଆଯାଉଛି ନିର୍ଯାତନା। ସ୍କୁଲ ପଢୁଆ ପିଲାଙ୍କୁ ଶିଶୁ ଶ୍ରମିକ ସଜାଇ ଉଠାଇ ନେଇ ଶସ୍ତା ବାଃ ବାଃ ସାଉଁଟିବା ଲକ୍ଷ୍ୟରେ ବ୍ୟସ୍ତ ପୋଲିସ ପ୍ରଶାସନ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୋଲିସ ଉଠାଇ ଆଣିଥିବା ୪୪ ଜଣ ନାବାଳକଙ୍କୁ ରାତି ତମାମ ଭୋକ ଉପାସରେ ରୁଦ୍ଧ କୋଠରୀରେ ରଖାଯିବା ଏବଂ ୧୦ କମୋଳମତୀ ଶିଶୁ ନିଖୋଜ ହେବା ଘଟଣାରେ ବାପା ମା’ଙ୍କ ଆକୁଳ ନିବେଦନକୁ ଜିଲ୍ଲା ପାଳ କିମ୍ବା ଏସ୍.ପି କେହି ବି ଶୁଣି ନଥିଲେ। ପୋଲିସ ପ୍ରଶାସନର ଏତାଦୃଶ୍ୟ ମନମାନୀ ଗରୀବ ବାପା ମା’ ଙ୍କୁ ଲୁହ ବଦଳରେ ଲହୁ ଢାଳିବାକୁ ବାଧ୍ୟ କରିଥିଲା ଏବଂ ଅଭିଯାନ ସ୍ୱଭାବିକ ଭାବେ ମୂଳ ଲକ୍ଷ୍ୟରୁ ଦୂରେଇ ଯାଇ ପ୍ରହସନରେ ପାଲଟିଅଛି। ଦୋଷ ଲୁଚାଇବା ଉଦ୍ଦେଶ୍ୟରେ ଜିଲ୍ଲା ପୋଲିସ ପ୍ରଶାସନ ମୁଖିଆ ଗଣମାଧ୍ୟମକୁ ମୁହଁ ଲୁଚାଇ ଧରାଛୁଆ ନ ଦେବା ବେଶ ଚର୍ଚ୍ଚାର ବିଷୟ ହୋଇଛି।

ପୋଲିସ ପ୍ରଶାସନ ମୁଖିଆଙ୍କ ନିର୍ଦ୍ଦେଶରେ ଜିଲ୍ଲା ରେ ଆରମ୍ଭ କରାଯାଇଥିବା ପରୀ -୨ ଅଭିଯାନ ଶିଶୁ ଓ ପରିବାର ମୁହଁ ରେ ହସ ଫୁଟାଇବା ବଦଳରେ ଗରିବ ପରିବାରର ଆଖିରେ ଆଣିଦେଇଛି ଆଖିଏ ଲୁହ ଓ ଛାତିରେ ଛାତିଏ କୋହ। କେନ୍ଦୁଝର ପୋଲିସ ପରୀ-(୨) ଅଭିଯାନ ନାମରେ ରବିବାର ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଉଠାଇଆଣିଥିବା ନାବାଳକମାନଙ୍କୁ ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ହାଜର କରାଇ ରାତାରାତି ଆର୍ଶିବାଦ ବୟଜ ହୋମରେ ଠୁଙ୍କି ଦେଇଥିଲା ଏବଂ ଶସ୍ତା ବାଃ, ବାଃ ସାଉଁଟିବାରେ ବ୍ୟସ୍ତ ରହିଲା। କିନ୍ତୁ ଭୁଲିଗଲା ମାନବିକତା। ସେଠାରେ ସେହି ପିଲାମାନେ ରହିବେ କିପରି, ଖାଇବେ କଣ ସେକଥା ପୋଲିସ ପ୍ରଶାସନ ସଂପୁର୍ଣ୍ଣ ଭୁଲିଗଲା। ଫଳରେ ରାତିତମାମ ମଶାଡାଉଁଶଙ୍କ ଗହଣରେ ଏବଂ ଭୋକ ଉପବାସରେ ପିଲାମାନଙ୍କୁ ରାତି କଟାଇବାକୁ ପଡିଥିଲା। ସୋମବାର ଦିନ ପୋଲିସର ତଥାକଥିତ ପରୀ ଅଭିଯାନର ପର୍ଦ୍ଧାଫାଶ ହୋଇଥିଲା, ଯେତେବେଳେ ଯୋଡା ଅଞ୍ଚଳରୁ ଯମୁନା ଲୋହାର ଓ ରାଜୁ ସାମନ୍ତ ଆସି ସେମାନଙ୍କର ଦୁଇ ଜଣ ସ୍କୁଲ ପଢୁଆ ପିଲା ୮ବର୍ଷର ସୁବାସ ଲାହୋର ଓ ୧୦ବର୍ଷୀୟ ଦକ୍ଷୀଣ ସାମନ୍ତଙ୍କୁ ପୋଲିସ ହଠାତ୍ ଉଠାଇ ଆଣିଥିବା କେନ୍ଦୁଝରଠାରେ ଅଭିଯୋଗ କରିଥିଲେ। ଏପରି କି ପ୍ରତିବାଦ କରିଥିବା ମା’କୁ ମଧ୍ୟ ପୋଲିସ ଜବରଦସ୍ତ ଥାନାକୁ ଉଠାଇଆଣିଥିବା କଥା ମଧ୍ୟ ସେମାନେ କହିଥିଲେ ଏବଂ ସେମାନଙ୍କ ପିଲାଙ୍କୁ କେନ୍ଦୁଝରରୁ ଆଣିବାକୁ ଯୋଡା ପୋଲିସ କହିଥିଲେ। କିନ୍ତୁ ଆର୍ଶିବାଦ ବଏଜ ହୋମରେ ସେମାନଙ୍କ ପିଲାଙ୍କୁ ରଖାଯାଇଥିବା କଥା କୁହାଯାଇଥିଲେ ମଧ୍ୟ ସେଠାରେ ସେମାନଙ୍କ ପିଲାମାନେ ନଥିବା ଯମୁନା ଲାହୋର ଓ ରାଜୁ ସାମନ୍ତ ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ ବଂର ସେଠାରୁ ୧୦ ଜଣ ନାବାଳକ ନିଖୋଜ ହୋଇଯାଇଥିବା ଜଣାପଡିଥିଲା। ପରେପରେ ଆଉ ୩ଜଣ ଅବିଭାବକ କେନ୍ଦୁଝରଠାରେ ପହଞ୍ଚିଥିଲେ ଏବଂ ଓକିଲଙ୍କ ସହାୟତାରେ ଜିଲ୍ଲାପାଳ ଓ ଏସ.ପି.ଙ୍କୁ ସାକ୍ଷାତକରି ସେମାନଙ୍କ ପିଲାଙ୍କୁ ଫେରାଇଦେବାକୁ ଦିନତମାମ ଆକୁଳ ନିବେଦବ କରି କରି ଥକି ଯାଇଥିଲେ ଏବଂ ଶେଷରେ ରାତ୍ରୀରେ ସେମାନଙ୍କୁ ନିରାଶରେ ଫେରିଯିବାକୁ ପଡିଥିଲା। ଏହି ଘଟଣାରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ପୋଲିସକୁ ସଂପୂର୍ଣ୍ଣ ଦୋଷ ଦେଇଥିବା ବେଳେ, ପୋଲିସର ମାନବିକତାଶୂନ୍ୟ ପାରିବାପଣିଆ ଉପରେ ମଧ୍ୟ ଉଠିଛି ପ୍ରଶ୍ନ। ଏବଂ ପୋଲିସ ପ୍ରଶାସନ ନିଜ ଦୋଷ ଲଚାଇବାକୁ ଯାଇ କେବଳ ତଦନ୍ତ କରାଯିବା କହି ଦୋଷମୁକ୍ତ ହେବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଥିବା ଆର୍ଶିବାଦ ବଏଜ ହୋମ ଭଳି ଏକ ସଂସ୍ଥାରେ କେଉଁ ଉଦ୍ଦେଶ୍ୟରେ ପିଲାଙ୍କୁ ରଖାଯାଇଥିଲା ତାହାର ମଧ୍ୟ ତଦନ୍ତ ଆବଶ୍ୟକ।

Leave a Reply

Your email address will not be published. Required fields are marked *