ବହୁଦିନର ପ୍ରତିକ୍ଷାପରେ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ଗୁରୁପ୍ରୀୟା ସେତୁ

ମାଲକାନଗିରି, ୧୦ା୭ (ଓଡିଆ ପୁଅ ) ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ର ଲାଇଫ ଲାଇନ କୁହାଯାଇଥିବା ଗୁରୁପ୍ରୀୟା ସେତୁ ନିର୍ମାଣ କାର୍ଯ୍ୟ ଅନେକ ଦିନହେଲା ସରିଲାଣି। ଏହାକୁ କେନ୍ଦ୍ରୀୟ ଅନୁଧ୍ୟାନକାରି ବିଶେଷଜ୍ଞ ଦଳ ଓ ରାଜ୍ୟ ବିଶେଷଜ୍ଞ ଦଳ ଅନୁଧ୍ୟାନ ସାରି ଫେରଗଲେଣି। ଖୁବ ଶିଘ୍ର ଉକ୍ତ ସେତୁ ଉଦଘାଟନ ହେବବୋଲି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଏହି ସେତୁ ଉଦଘାଟନ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଦିନ ଗଡିଚାଲିଥିଲା। ଶେଷରେ ଏହି ସେତୁ ଉଦଘାଟନିର ତାରିଖ ରାଜ୍ୟସରକାର ଧାର୍ଯ୍ୟ କରିଛନ୍ତି। ଆସନ୍ତା ୧୮ତାରିଖରେ ବହୁପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ଉଦଘାଟନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ହେବ ବୋଲି ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସେତୁ ଉଦଘାଟନ ପାଇଁ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଆଜି ଗୁରୁପ୍ରୀୟା ସେତୁ ସ୍ଥଳକୁ ଚିତ୍ରକୋଣ୍ଡା ବିଧାୟକ ଓ ପୁର୍ତ୍ତ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀ ଇଂ ଅରୁଣ କୁମାର ସାହୁଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ପରିଦର୍ଶନ କରି ପ୍ରସ୍ତୁତିର କାର୍ଯ୍ୟ ତଦାରଖ କରିଥିଲେ। ସ୍ଥଳପଥରେ ଗମନା ଗମନର ସୁବିଧା ପାଇଁ ଜାନବାଇଠାରେ ଗୁରପ୍ରୀୟା ନଦୀ ଉପରେ ନିର୍ମାଣ ସରିଛି ଗୁରୁପ୍ରୀୟା ସେତୁ। ମୁଖ୍ୟମନ୍ତ୍ରୀ ଉକ୍ତ ସେତୁ ଉଦଘାଟନ କରିବାପରେ ବିଛିନ୍ନାଞ୍ଚଳକୁ ବସ ଓ ଭାରି ଯାନ ସେତୁ ଉପରେ ଚଳାଚଳ ଆରମ୍ଭ ହେବ। କେବଳ ଉଦଘାଟନକୁ ଅପେକ୍ଷା କରିରହିଥିବା ବେଳେ ସେତୁ ପ୍ରତି ମାଓଭୟ ଥିବାରୁ ସେତୁ ଚର୍ତୁପାର୍ଶ୍ୱରେ ହାଲୋଜେନ ଉଜ୍ୱଳ ଆଲୋକ ସହ ୬ ଟି ସିସି ଟିଭି କ୍ୟାମେରା ଲଗା ଯିବା ସହ ୨୪ ଘଣ୍ଟିଆ ବିଏସଏଫ ଜବାନମାନଙ୍କ ପଇଁତରା ସହିତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନା ଯୋଗ୍ୟ ଯେ ବହୁ ପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜୁନ ମାସରେ ଉଦଘାଟନ କରାଯିବାପାଇଁ ଯୋଜନା ରହିଥିଲା, ହେଲେ ଜୁନମାସ ଶେଷ ହୋଇ ଜୁଲାଇ ସରିବାକୁ ବସିଲାଣି ସେତୁ ଉଦଘାଟନ ନହେବାରୁ ବାରମ୍ବାର ବିଛିନ୍ନାଞ୍ଚଳ ବାସୀ ଅଷନ୍ତୋଷ ପ୍ରକାଶ କରିବାରୁ ଶେଷରେ ରାଜ୍ୟ ସରକାର ଚଳିତ ମାସ ୧୮ତାରିଖ ରେ ଉକ୍ତ ସେତୁ ଉଦଘାଟନ କରିବା ପାଇଁ ନିଷ୍ପତି ନେଇଛନ୍ତି। ଦେଶ ସ୍ୱାଧୀନ ହେବାର ୭୧ ବର୍ଷ ହେଲା। ମୌଳିକ ସୁବିଧାରୁ ବଞ୍ଚିତ ଓ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଏବେ ବି ରହିଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ୧୫୧ ଗ୍ରାମବାସି। ମାଛକୁଣ୍ଡ ଓ ବାଲିମେଳା ଡ୍ୟାମ ଯୋଜନାରେ ବିସ୍ତାପିତ ମାନଙ୍କ ଥଇଥାନ ଯୋଜନା ବିଫଳ ହୋଇଥିବା ବେଳେ ପ୍ରକଳ୍ପ ଯୋଗୁ ଅନେକ ଗ୍ରାମ ବିଛିନ୍ନ ହୋଇ ଯୋଗାଯୋଗ ବିହୀନ ଭାବେ ରହିଛି।ଯେଉଁମାନଙ୍କ ପାଇଁ ମାଛକୁଣ୍ଡ ଓ ବାଲିମେଳା ପାୱାର ହାଉସରୁ ବିଦ୍ୟୁତ ଉତ୍ପନ୍ନ ହୋଇ ଦୁନିଆକୁ ଆଲୋକ ଦେଖାଇ ପ୍ରତି ଦିନ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇପାରୁଛି। ସେମାନଙ୍କୁ ଜଳବନ୍ଦୀ ରଖି ମୋଳିକ ସୁବିଧାରୁ ବଞ୍ଚିତ କାର ଯାଇଛି। ସେହିସବୁ ଗ୍ରାମକୁ ଗମନାଗମନର ଭରସା ଏକମାତ୍ର ଜଳପଥ, ବିପଦସଂଙ୍କୁଳ ଅବସ୍ଥାରେ ଜଳଭଣ୍ଡାର ମଧ୍ୟରେ ହୁଲି ଡଙ୍ଗାରେ ଦୈନଦିନ ଜଳ ଯାତ୍ରାକରିଥାନ୍ତି। ଏପରିକି ବିପଦ ପୂର୍ଣ୍ଣ କାଠ ଡଙ୍ଗାରେ ମଟରସାଇକେଲ ଠାରୁ ଆରମ୍ଭକରି ସମସ୍ଥ ନିତ୍ୟ ବ୍ୟବହାର୍ଯ୍ୟ ଜନିଷ ନେଇଥାନ୍ତି, ୪୯୧୦ ବର୍ଗ କି.ମି.ବିଶିଷ୍ଟ ଚିତ୍ରକୋଣ୍ଡା ପରି ଏକ ବୃହତ ଜଳଭଣ୍ଡାର ଭିତରେ ଏବେବି ୬ ଟି ଗ୍ରାମ ପଚାଂୟତ ୧୫୧ ଖଣ୍ଡ ଗ୍ରାମର ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଆଦିବାସୀ ଲୋକ ବିଛିନ୍ନ ହୋଇ ରହିଛନ୍ତି। ବିଛିନ୍ନାଞ୍ଚଳ ବାସୀଙ୍କ ଲାଇଫ ଲାଇନ ଗୁରୁପ୍ରୀୟା ସେତୁ ନିର୍ମାଣ ସରିଥିବାରୁ ଚିତ୍ରକୋଣ୍ଡା ଓ ବିଛିନ୍ନାଞ୍ଚଳବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଛି। ସେମାନଙ୍କ ଦୀର୍ଘବର୍ଷର ସ୍ୱପ୍ନ ସତ ହେବାକୁ ଯାଉଛି। କେବଳ ସେତୁ ଉଦଘାଟନ ହେବାପରେ ବିଛିନ୍ନାଞ୍ଚଳ ବାସୀ ସିଧା ସଳଖ ଭାବେ ସ୍ଥଳ ପଥରେ ଯାନବାହନ ମାଧ୍ୟମରେ ନିଜ ଗାଁକୁ ଯାତାୟତ କରିବାପାରିବେ, ଏହିସେତୁ ଦ୍ୱାରା ଓଡିଶା ଆନ୍ଧ୍ର ପ୍ରଦେଶକୁ ସ୍ଥଳ ପଥରେ କମ ଦୂରତାରେ ସଂଯୋଗ ହୋଇପାରିବ।

 

 

Leave a Reply

Your email address will not be published. Required fields are marked *