ବଳସିଂହା ଗାଁରୁ ଜର୍ମାନୀର ଗଟିନଜେନ୍ ବିଶ୍ୱବିଦ୍ୟାଳୟ ଶେଷାଙ୍କ ସାଧନା ଓ ତପସ୍ୟାର ପ୍ରେରଣାଦାୟକ କାହାଣୀ ମୁଖ୍ୟମନ୍ତ୍ରୀ ଦେଲେ ଏକ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି

ଭୁବନେଶ୍ୱର, ତା.୩୦.୫.୧୮ -(ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ବ୍ଲକ୍‌ର ଛୋଟିଆ ଗାଁଟିଏ ବଳଙ୍ଗିହା। ସେହି ଛୋଟିଆ ଗାଁର ଏକ ସାଧାରଣ ଚାଷୀ ପରିବାରର ପିଲାଟିଏ ହେଉଛି ଶେଷା କିଶାନ। ବାଲ୍ୟକାଳରୁ ମାତୃହୀନ ନିଜର ଅସାଧାରଣ ପ୍ରତିଭା, ଦୃଢ ମନୋବଳ ଓ ସାଧନା ଯୋଗୁ ଆଜି ସେ ଏକ ଅଜଣା ଗାଁ ଚାଟଶାଳୀରୁ ପାଠପଢି ଆଜି ଜର୍ମାନୀର ଗଟିନଜେନ୍ ବିଶ୍ଵବିଦ୍ୟାଳୟରେ ମାସକୁ ୨ ଲକ୍ଷ ଟଙ୍କା ବୃତ୍ତିରେ ରିସର୍ଚ୍ଚ ଆସୋସିଏଟ ଭାବରେ ଯୋଗଦାନ କରିପାରିଛନ୍ତି। ତାଙ୍କର ଏହି ଅସାଧାରଣ କୃତିତ୍ବରେ ମୁଗ୍ଧ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ତାଙ୍କୁ ସମ୍ବର୍ଦ୍ଧିତ କରି ଓଡ଼ିଶା ଖଣି ନିଗମ ପକ୍ଷରୁ ଏକ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ରାଜ୍ୟ ଓ ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ସେ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି।।

୨୪ ବର୍ଷ ବୟସର ଶେଷା ଗାଁର ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଆରମ୍ଭ କରିଥିଲେ। ବାପା ଗରୀବ ଥିବାରୁ ସ୍କୁଲର ମଧ୍ୟାହ୍ନ ଭୋଜନ ଥିଲା ତାଙ୍କ ପାଇଁ ସ୍କୁଲକୁ ଯିବାପାଇଁ ଏକମାତ୍ର ଆଗ୍ରହ। ସ୍କୁଲ ସହିତ ବାପାଙ୍କ ସାଙ୍ଗରେ ବିଲବାଡିରେ ମଧ୍ୟ ତାଙ୍କୁ କାମ କରିବାକୁ ପଡ଼ୁଥିଲା। ଧିରେ ଧିରେ ସେ ଶିକ୍ଷା ଲାଭ ପ୍ରତି ଆକୃଷ୍ଟ ହେଲେ ଏବଂ କ୍ରମାଗତଭାବେ ୫ ବର୍ଷ ଧରି ବଳସିଂହା ସେବାଶ୍ରମ। ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ଛାତ୍ର ପୁରସ୍କାର ପାଇଥିଲେ। ଏହାପରେ ସେ ଷଷ୍ଠ ଶ୍ରେଣୀରେ ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢିବା ପାଇଁ ମନୋନୀତ ହେଲେ। ସେଠାରେ ସେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲେ। ଦ୍ଵାଦଶ ଶ୍ରେଣୀରେ ସେ ନେଷ୍ଟ ପରୀକ୍ଷାରେ ସଫଳ ହୋଇଥିଲେ ମଧ୍ୟ ପିତାଙ୍କ ଦେହାନ୍ତ ଯୋଗୁ ସେ ଗାଁକୁ ଯାଇଥିବାରୁ ନିଜର ସଫଳତା ବିଷୟରେ ଜାଣିପାରିଲେ ନାହିଁ କିମ୍ବା ନାଇଜରରେ ନାମ ଲେଖାଇ ପାରିଲେ ନାହିଁ। ଏହାପରେ ସେ ଭୁବନେଶ୍ବରର ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଏଜୁକେସନରେ ନାମ ଲେଖାଇ ପାଠ ପଢିଲେ। ତା ପର ବର୍ଷ ମଧ୍ୟ ସେ ନେଷ୍ଟ ପରୀକ୍ଷାରେ କୃତୀତ୍ୱ ହାସଲ କରି ନାଇଜରରେ ନାମ ଲେଖାଇଲେ। ଏହାପରେ ଆମେରିଆକର ବିଭିନ୍ନ ଜର୍ଣ୍ଣାଲରେ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶିତ ହେଲା। ପରେ ସେ ଜର୍ମାନୀର ଗଟିନଜେସ୍ଥିତ ଜର୍ଜ ଅଗଷ୍ଟ ବିଶ୍ବବିଦ୍ୟାଳୟରେ ଜଣେ ରିସର୍ଚ୍ଚ ଆସୋସିଏଟ୍ ଭାବେ ଯୋଗଦାନ କରିବାପାଇଁ ମନୋନୀତ ହୋଇଛନ୍ତି। ଏଠାରେ ସେ ମାସକୁ ୨୧୫୮ ୟୁରୋ ବୃତ୍ତି ଆକାରରେ ପାଇବେ, ଯାହାର ପରିମାଣ ଭାରତୀୟ ମୁଦ୍ରାରେ ମାସିକ ୨ ଲକ୍ଷ ଟଙ୍କା ହେବ।

Leave a Reply

Your email address will not be published. Required fields are marked *