ଜିଲ୍ଲା ପରିକ୍ରମା

ବର୍ଷେ ହେଲା ୨ ନାବାଳିକାଙ୍କୁ ବଳତ୍କାର ଅଭିଯୋଗ ପାଇଁ ‘ପରୀ’ ଦେଲା ସାହସ, ଜେଲ୍ ଗଲେ ୨ ଅଭିଯୁକ୍ତ

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଶିଶୁ ଯୌନ ନିର୍ଯ୍ୟାତନା ବିରୋଧରେ ଓଡ଼ିଶା ପୁଲିସ୍ ଦ୍ୱାରା ରାଜ୍ୟବ୍ୟାପୀ ସଚେତନତାମୂଳକ କାର୍ଯ୍ୟକ୍ରମ “ପରୀ ପାଇଁ କଥାଟିଏ’ ଗତ ୧୧ ତାରିଖ ଉଦ୍ୟାପିତ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ଭଦ୍ରକ ପୁଲିସ୍ ପ୍ରଶାସନ ପକ୍ଷରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଜିଲାର ସମସ୍ତ ୭ଟି ବ୍ଲକ୍ରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ସହଭାଗିତାରେ ବ୍ୟାପକ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏବେ ପୁଲିସ୍ର ଏହି କାର୍ଯ୍ୟକ୍ରମର ସୁଫଳ ମିଳିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ସହରରେ। ଭଦ୍ରକ ସହରର ୨ ଜଣ ନାବାଳିକା ସେମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନାକୁ ଖୋଲାଖୋଲି ବିରୋଧ କରି ପୁଲିସ୍ ସମ୍ମୁଖରେ ଅଭିଯୋଗ ରଖିଛନ୍ତି। ପୃଥକ୍ ଭାବେ ଉକ୍ତ ୨ ନାବାଳିକା ଭଦ୍ରକ ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପରୀମାନଙ୍କର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରୁଥିବା ପୁଲିସ୍ ପ୍ରଶାସନକୁ ଚାଲେଞ୍ଜ ଦେଇ ଫସିଛନ୍ତି ସହରର ୩ ଜଣ ଯୁବକ। ୨ ନାବାଳିକାଙ୍କ ଅଭିଯୋଗ ମୂଳେ ପୁଲିସ୍ କେଶ୍ ନମ୍ବର ୧୪୬ ଓ ୧୪୭ ରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଥିବା ଜଣାପଡିଛି। କୋର୍ଟରେ ଗିରଫ ୨ ଯୁବକଙ୍କ ଜାମିନ୍ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଉଭୟ ମାମଲାରେ ପୁଲିସ୍ ଆଇପିସି ଦଫା ୩୬୩, ୩୬୬ (ଏ), ୩୭୬ (୨) (୩) ପୋକ୍ସୋ ଆକ୍ଟ ୪୬ ଲାଗୁ କରିଛି। ଜିଲା ଶିଶୁ ମଂଗଳ କମିଟିଙ୍କ ନିର୍ଦ୍ଦେଶ କ୍ରମେ ଅଭିଯୋଗକାରିଣୀ ୨ ନାବାଳିକା ଏବେ ଆସିୟାନା ମୁକ୍ତାଶ୍ରୟ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ୧୯ ତାରିଖ ସହରାଞ୍ଚଳ ଥାନାରେ ନାବାଳିକା ଦ୍ୱୟ କରିଥିବା ଅଭିଯୋଗ ଅନୁଯାୟୀ ଭଦ୍ରକ ପୌରାଞ୍ଚଳ ଅଧୀନସ୍ଥ କଣ୍ଟାବଣିଆ ଅଂଚଳର ସେଖ୍ ବାବୁ, ସେଖ୍ ଲକି ଓ ଶେଖ୍ ହେମରାଜ ସେମାନଙ୍କୁ ପ୍ରେମ୍ ଜାଲରେ ଫସାଇ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ଗତ ଏକବର୍ଷ ଧରି ଅଭିଯୁକ୍ତମାନେ ବିଭିନ୍ନ ଗେଷ୍ଟହାଉସ୍ ଓ ହୋଟେଲରେ ସେମାନଙ୍କୁ ବଳତ୍କାହର କରୁଥିଲେ। ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ଅଭିଯୁକ୍ତମାନେ ନିଜ ମୋବାଇଲ୍ ଫୋନ୍ରେ ଗୁପ୍ତରେ ରେକର୍ଡିଂ କରି ରଖିବା ସହ ନାବାଳିକାଙ୍କୁ ବ୍ଲାକ୍ମେଲ୍ କରୁଥିଲେ। ସେମାନଙ୍କ କଥାରେ ନ ଚାଲିଲେ ଉତ୍ତୋଳନ କରାଯାଇଥିବା ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ଚାଲିଥିଲେ। ଫଳରେ ଅନ୍ୟ କୌଣସି ଉପାୟ ନପାଇ ନାବାଳିକା ଦ୍ୱୟ ସେମାନଙ୍କ କଥାକୁ ମାନି ଚାଲିଥିଲେ। ନାବାଳିକା ଦ୍ୱୟ ଅଭିଯୁକ୍ତମାନଙ୍କ ଆଚରଣରେ ଅତିଷ୍ଠ ହୋଇ ଚଳିତ ମାସ ୧୩ ତାରିଖ ଚାଇଲ୍ଡ ଲାଇନ୍ର ସହାୟତା ନେଇଥିଲେ। କାଉନ୍ସେଲିଂ ପରେ କର୍ତ୍ତୃପକ୍ଷ କଥାର ସତ୍ୟତା ଜାଣି ପାରିଥିଲେ। ଫଳରେ ଚାଇଲ୍ଡ ଲାଇନ୍ ଉଭୟଙ୍କୁ ସହଯୋଗର ହାତ ବଢାଇବା ସହ ସେମାନଙ୍କୁ ଧରିବାକୁ ଗୁପ୍ତରେ ଜାଲ ବିଛାଇଥିଲା। ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ପୁଲିସ୍ର ପରାମର୍ଶ କ୍ରମେ ନାବାଳିକା ଦ୍ୱୟଙ୍କ ଜରିଆରେ ଫୋନ୍ ଯୋଗେ ଅଭିଯୁକ୍ତମାନଙ୍କୁ ବିପାସ ନିକଟବର୍ତ୍ତୀ ବୁଧୁବାର ହାଟକୁ ଡକାଇଥିଲେ। ଯୋଜନା ଅନୁଯାୟୀ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ୍ ୨ ଅଭିଯୁକ୍ତିଙ୍କୁ କାବୁ କରି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ପୁଲିସ୍ ଓ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ଦେଇଥିବା ବୟାନ୍ ଭିତ୍ତିରେ ପୁଲିସ୍ ପ୍ରମାଣ ସଂଗ୍ରହ ପାଇଁ ଉଦ୍ୟମ ଆରମ୍ଭ କରିଛି। ମାମଲାର ତଦନ୍ତକାରୀ ଅଧିକାରିଣୀ ମୋନାଲିସା କର ୨ ଅଭିଯୋଗକାରିଣୀଙ୍କୁ ନେଇ ସେମାନଙ୍କ ବୟାନ ଆଧାରରେ ରାଜଘାଟଛକ ସ୍ଥିତ ଏକ ଗେଷ୍ଟ ହାଉସ୍ରେ ପହଞ୍ଚି ଛାନ୍ଭିନ୍ନ କରିଛନ୍ତି। ଉଭୟ ଅଭିଯୋଗକାରିଣୀ ଓ ଅଭିଯୁକ୍ତମାନେ ନିର୍ଦ୍ଦିଷ୍ଟ ତାରିଖମାନଙ୍କରେ ଆଧାରକାର୍ଡ ପରିଚୟ ଆଧାରରେ ଏଠାରେ ରହିଥିବା ପ୍ରମାଣ ପାଇବା ପରେ ଉକ୍ତ ଗେଷ୍ଟ୍ ହାଉସ୍ରେ ରେଜିଷ୍ଟାରକୁ ଜବତ କରି ଥାନାକୁ ଆରିଛି। ସେହିପରି ଭଣ୍ଡାରିପୋଖରୀ ଥାନା ବାରିକପୁର ବଜାର ନିକଟସ୍ଥ ଏକ କଟେଜରେ ମଧ୍ୟ ପୁଲିସ୍ ପହଞ୍ଚି ତନାଘନା କରିଥିଲା। କିନ୍ତୁ ସେଠାରେ କୌଣସି ପ୍ରମାଣ ପାଇପାରିନଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ନାବାଳିକାଙ୍କ ବୟାନ ଭିତ୍ତିରେ ପୁଲିସ୍ ଆଉ କେତେକ ହୋଟେଲ ଓ ସ୍ଥାନରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବ ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top