ବର୍ଷା ଋତୁ ପାଖେଇ ଆସୁଛି, ଧୋବିଜୋର କାମ ଆଗେଇ ଚାଲିଛି

ସମ୍ବଲପୁର, ୨୬/୫ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ବନ୍ୟାକୁ ରୋକିବା ସକାଶେ ଧୋବିଜୋର ନାଲାକୁ ପୂର୍ଣ୍ଣ ବ୍ୟବସ୍ଥିତ କରିବା ପାଇଁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଆଗେଇ ଚାଲିଛି। ଧୋବିଜୋରର ତଳଭାଗ ବା ଚଟ୍ଟାଣକୁ କଂକ୍ରିଟ କରାଯିବା ସହିତ ଉଭୟ ପଟେ କଂକ୍ରିଟ କାନ୍ଥ ନିର୍ମାଣ କାର୍ଯ୍ୟ କରାଯାଉଛି। ପୂର୍ବରୁ ମଧ୍ୟ ଏ କଂକ୍ରିଟକରଣ କାମ ହୋଇଥିଲା। ତେବେ ଏହା ଅତ୍ୟନ୍ତ ହାଲୁକା ଭାବରେ କରାଯାଇଥିଲା। ଉଭୟ ପଟେ ପଥର ପିଚିଂ କାନ୍ଥ ନିର୍ମିତ ହୋଇଥିଲା। ଏହା ମଜଭୁତ ହୋଇନଥିବାରୁ ବହୁସ୍ଥାନରେ ଭାଙ୍ଗି ଯାଇଥିଲା କିମ୍ବା କ୍ଷୟପ୍ରାପ୍ତ ହୋଇଥିଲା। ଏବେ କିନ୍ତୁ ମୋଟା କଂକ୍ରିଟ କାନ୍ଥ ନିର୍ମାଣ କରାଯାଉଛି ଯାହାକି ଦୀର୍ଘସ୍ଥାୟୀ ହେବ। ସେହିଭଳି ଚଟ୍ଟାଣରେ ମଧ୍ୟ ମୋଟା ବହଳର କଂକ୍ରିଟ କାମ କରାଯାଇ ମଝିଅଂଶରେ ଏକ ନର୍ଦ୍ଦମା ସୃଷ୍ଟି କରାଯାଉଛି। ସଂପୂର୍ଣ୍ଣ ନାଲାକୁ ଏଭଳି ଭାବରେ ପ୍ରସ୍ତୁତ କରାଯାଉଛି ଯଦ୍ୱାରା କି ପାଣି ଅନାୟାସରେ ବୋହିଯିବ। ତେବେ ପ୍ରଶଂସନୀୟ କାର୍ଯ୍ୟ ହେଉଥିଲେ ମଧ୍ୟ କାର୍ଯ୍ୟର ଗତିକୁ ନେଇ ଚିନ୍ତା ପ୍ରକାଶ ପାଉଛି। ବହୁତ କାମ ଏବେ ବାକି ଥିବା ବେଳେ ବର୍ଷା ଦିନ ଆସିବା ପୂର୍ବରୁ କାମ ସରିବା ନେଇ ସନ୍ଦେହ ଉପୁଜିଛି। ବିନାଖଣ୍ଡି ହରଡ଼ଜୋର ମୁହିଁଠାରୁ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ପୋଲ ଡ଼େଇଁ ଆଉ କିଛି ଦୂର ପର୍ଯ୍ୟନ୍ତ କାମ ସରିଯାଇଛି। ଏବେ ହୀରାକୁଦ କଲୋନୀ ପାଖାପାଖି ଅଞ୍ଚଳରେ, ଓଡ଼ିଶା ସାଂସ୍କୃତିକ ସମାଜ ଭବନ ନିକଟରେ ଏବଂ ପଟ୍ଟନାୟକପଡ଼ା ସ୍କୁଲ ପାଶ୍ୱର୍ରେ କାମ ଚାଲିଛି। ପଟ୍ଟନାୟକପଡ଼ା ନିକଟରୁ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ପାଖରେ ଯେଉଁଠି କାମ ଚାଲିଛି ସେପର୍ଯ୍ୟନ୍ତ ଆଦୌ କୌଣସି କାମ ଆରମ୍ଭ ହୋଇପାରି ନାହିଁ। ବର୍ଷା ଋତୁ ପୂର୍ବରୁ ଏ କାମ ଆରମ୍ଭ ହୋଇପାରିବାର ସମ୍ଭାବନା ନାହିଁ। ଅର୍ଥାତ ଅଧା ଅପନ୍ତରିଆ ଭାବରେ ଧୋବିଜୋର ଚଳିତ ବର୍ଷର ବର୍ଷା ଋତୁର ସମ୍ମୁଖୀନ ହେବ। ଏବେ ବିଭିନ୍ନ ସ୍ଥାନରେ କାମ ଚାଲୁଥିବାରୁ ଜୋର ଭିତରେ କୁଢ଼ କୁଢ଼ ମାଟି ପଡ଼ିରହିଛି। ମ୍ୟୁନିସିପାଲ ଗାର୍ଲସ ସ୍କୁଲ ନିକଟସ୍ଥ ପୋଲର ଉଭୟ ପାଶ୍ୱର୍ରେ, ପଟ୍ଟନାୟକପଡ଼ା ସ୍କୁଲ ନିକଟରେ, ଚିତ୍ରଗୁପ୍ତ ମନ୍ଦିର ନିକଟରେ, ଓଡ଼ିଶା ସାଂସ୍କୃତିକ ସମାଜ ଭବନ ପାଶ୍ୱର୍ରେ ଜୋର ଭିତରେ ପ୍ରଚୁର ମାଟି ରହିଛି। କାମ ପାଇଁ ପାଣିକୁ ଅଟକାଇ ରଖିବା ଏବଂ ଜେସିବି ସମେତ ଅନ୍ୟାନ୍ୟ ଯନ୍ତ୍ରାଂଶର ପରିବହନ ସକାଶେ ଏହି ମାଟି ପକାଇ ରଖାଯାଇଛି। ତେବେ ଏଭଳି ଅବସ୍ଥାରେ ଯଦି ପ୍ରାକ୍ ମୌସୁମୀ କାଳୀନ ଭଲ ବର୍ଷାଟିଏ ହୋଇଯାଏ ତେବେ ଏହି ପାଣି ଧୋବି ଜୋରରେ ପ୍ରବାହିତ ହୋଇନପାରି ସହରର ଅନେକ ତଳିଆ ଅଞ୍ଚଳ ପାଇଁ ବିପଦର କାରଣ ହେବ। ଅବଶ୍ୟ ଏବେ ସମ୍ବଲପୁରରେ ମୌସୁମୀ ପହଞ୍ଚିବା ପାଇଁ କିଛି ସମୟ ବାକି ଅଛି ତେଣୁ ଏହାକୁ ସୁଯୋଗ ମଣି ଯୁଦ୍ଧକାଳୀନ ଭିତ୍ତିରେ ଧୋବିଜୋରର ଚଳିତ ବର୍ଷା ଋତୁ ପୂର୍ବ ପର୍ଯ୍ୟନ୍ତ ସ୍ଥିରୀକୃତ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପନ୍ନ କରାଯାଇ ଜୋର ଭିତରେ ଥିବା ମାଟି ଓ ଅନ୍ୟାନ୍ୟ ବାଧାକୁ ହଟାଯିବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଅତି ମନ୍ଥର ଗତିରେ କାମ ଚାଲିବା ପରେ ପଟ୍ଟନାୟକପଡ଼ା ସ୍କୁଲ ପାଖ ଧୋବିଜୋର ପୋଲର କାମ ସରି ବ୍ୟବହାର କରାଯାଇ ସାରିଲାଣି। ଚିତ୍ରଗୁପ୍ତ ମନ୍ଦିର ନିକଟସ୍ଥ ପୋଲ କାମ ନିକଟରେ ସରିଯିବା ବେଳେ ଏହାର ଉଭୟ ପାର୍ଶ୍ୱ ଆପ୍ରୋଚ ଅଂଶ ପ୍ରସ୍ତୁତ ହୋଇନଥିବାରୁ ବର୍ତ୍ତମାନ ସୁଦ୍ଧା ଏଠାରେ ଯାତାୟତ ସମ୍ଭବପର ହୋଇନାହିଁ। ଶୀତଳଷଷ୍ଠୀର ନଗର ପରିକ୍ରମା ଯାତ୍ରା ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ କରାଯିବା ଦରକାର। ମ୍ୟୁନିସପାଲ ଗାର୍ଲସ ସ୍କୁଲ ପାର୍ଶ୍ୱ ପୋଲର କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ବର୍ଷାଋତୁରେ ଏ ପୋଲ କାମ ହୋଇପାରିବ ନାହିଁ। କାରଣ ଏଠାରେ ଡାଇଭର୍ସନ ରୋଡ଼ର ବ୍ୟବସ୍ଥା ନ କରି ପୋଲ କାମ କରାଗଲେ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବେ।

Leave a Reply

Your email address will not be published. Required fields are marked *