ବର୍ଷାରେ ବେହାଲ କାଶିମପୁର ପତିସାହି ଜଳ ନିଷ୍କାସନ ପାଇଁ କାଟିଲେ କପାଳୀ ବନ୍ଧ

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପ୍ରଥମ ମୌସୁମୀ ବର୍ଷା ଆଜି ଧାମନଗର ବ୍ଲକ କାଶିମପୁର ପଞ୍ଚାୟତର ପତିସାହିରେ ବେହାଲ ପରିସ୍ଥିତି ଉପୁଯାଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁଁ ପୁରା ପତିସାହି ଗାଁ ଜଳମଗ୍ନ ହୋଇପଡ଼ିଥିବା ବେଳେ ସ୍ଥାନୀୟ ବାସିନ୍ଦା ଏଥିଯୋଗୁଁ ହନ୍ତସନ୍ତ ହୋଇଥିବା ଦେଖାଯାଇଛି। ଗାଁ ପାଶ୍ୱର୍ଦେଇ ଯାଇଥିବା କପାଳୀ ନଦୀର ଉତ୍ତର ପାର୍ଶ୍ୱ ଆଡ଼ିବନ୍ଧରେ ନିଷ୍କାସନ ପଥ ନ ଥିବା ହେତୁ ଗାଁ ମଧ୍ୟରେ କେଇ ଘଣ୍ଟାର ଭାରି ବର୍ଷା ସଂଗୀନ ଅବସ୍ଥା ସୃଷ୍ଟି କରିଥିବା ଜଣାଯାଇଛି। ଗାଁ ଭିତରେ ଜମି ରହିଥିବା ଆଣ୍ଠୁଏ ଉଚ୍ଚାର ବର୍ଷା ପାଣିକୁ ବାହର କରିବା ପାଇଁ ପତିସାହି ବାସୀ କପାଳୀ ଆଡ଼ି ବନ୍ଧ କାଟିଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ଧରି ଅନିୟମିତ ଭାବେ ଲୁଚକାଳି ଖେଳୁଥିବା ମୌସୁମୀ ହଠାତ୍ ସକ୍ରିୟ ହୋଇ ସୋମବାର ବିଳମ୍ବିତ ରାତିରୁ ମଙ୍ଗଳବାର ସକାଳ ଯାଏଁ ମୂଷଳ ଭାବେ ଦୀର୍ଘ ସମୟ ଧରି ବର୍ଷିଥିଲା। ପ୍ରବଳ ବର୍ଷା ହେତୁ କାଶିମପୁର ପଞ୍ଚାୟତର ୧ ନଂ ୱାର୍ଡ଼ ପତିସାହିରେ ଅଭାବନୀୟ ସ୍ଥିତି ଦେଖାଦେଇଥିଲା। ବର୍ଷା ପାଣି ଜମି ରହି ପୁରା ଗାଁକୁ ଏକ ପ୍ରକାର ବୁଡ଼ାଇ ଦେଇଥିଲା। ଏଥି ଯୋଗୁଁ ସାହି ସାରା ୨/୩ ଫୁଟ ଉଚ୍ଚତାରେ ବର୍ଷା ପାଣି ଜମି ଯାଇଥିଲା। ସାହିରୁ ଜଳ ନିଷ୍କାସନ ପଥ ଅବରୋଧ ହୋଇ ରହିଥିବାରୁ ବର୍ଷା ଜଳ ଜମି ଅସ୍ୱଭାବିକ ଅବସ୍ଥା ଦେଖାଦେଇଥିଲା। ଆଜି ସ୍କୁଲ କଳେଜ ଖୋଲିଥିବା ବେଳେ ଏଭଳି ପରିସ୍ଥିତି ଯୋଗୁଁ ସାହିର ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୬୦ ପରିବାରର ୫ ଶହ ରୁ ଅଧିକ ଲୋକ ରହୁଥିବା ଏହି ଜନବସତିରେ ଦେଖାଦେଇଥିବା କୃତ୍ରିମ ବନ୍ୟାକୁ ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। କିଛି ଦିନ ପୂର୍ବେ କପାଳୀ ନଦୀ ସଂସ୍କାର ବେଳେ ଡ଼୍ରେନେଜ୍ ବିଭାଗ ପୂର୍ବରୁ ରହିଥିବା ସାହିର ଜଳ ନିଷ୍କାସନ ପଥକୁ ବନ୍ଦ କରି ଦେଇଛନ୍ତି। ବର୍ଷ ବର୍ଷ ଧରି ପତିସାହିରୁ ବର୍ଷା ଜଳ କପାଳୀ ନଦୀକୁ ଗଡ଼ି ଯାଉଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଦୂରଦୃଷ୍ଟି ଅଭାବ ହେତୁ ବନ୍ଧରେ ହ୍ୟୁମ୍ ପାଇପ୍ ଦିଆଯାଇ ନାହିଁ। ଏଥି ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି। ସାହି ଭିତରେ ଜମି ରହି ଥିବା ବର୍ଷା ପାଣିକୁ ବାହାର କରିବା ପାଇଁ ଶେଷରେ ଗ୍ରାମବାସୀ କପାଳୀର ବାମ ପାର୍ଶ୍ୱ ଆଡ଼ି ବନ୍ଧକୁ କାଟି ଦେଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *