ଜିଲ୍ଲା ପରିକ୍ରମା

ବର୍ଷାଜଳ ନିଷ୍କାସନ ନିମନ୍ତେ ଦାବି

ଯାଜପୁର-୧୭/୫(ଓଡିଆ ପୁଅ/ଏ.ରାଉତ)ଯାଜପୁର ବ୍ଲକ୍ ବିଚିତ୍ରପୁର ପଞ୍ଚାୟତ ଅନ୍ତର୍ଗତ ଲଳିତେଶ୍ୱର ନଗର ଓ ମହାବୀର ନଗରରୁ ବର୍ଷାଜଳ ନିଷ୍କାସନ ହୋଇପାରୁନଥିବାରୁ ଅଧିବାସୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜନସଂଖ୍ୟା ଦ୍ରୁତ ଅଭିବୃଦ୍ଧି ଘଟୁଥିବାରୁ ନୂତନ ରାସ୍ତା ନିର୍ମାଣ ସହ ପୁରାତନ ରାସ୍ତାର ପ୍ରଶସ୍ତିକରଣ ରାଜ୍ୟ ସରକାର ଅର୍ଥ ବ୍ୟୟକରି ନିର୍ମାଣ କରୁଛନ୍ତି। ଏପରିକି ଚାଷୀ ଓ ଚାଷର ସ୍ୱାର୍ଥରକ୍ଷା ନିମନ୍ତେ ଜଳ ଯେପରି ନଷ୍ଟ ନହୁଏ ଏବଂ ଚାଷକ୍ଷେତର ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିପାରିବ ସେଥିନିମନ୍ତେ କେନାଲମାନଙ୍କର ପେଟଗୁଡ଼ିକ କଂକ୍ରିଟ୍ ଢଳାଇ କରିବା ସହିତ କେନାଲର ଦୁଇପାଶ୍ୱର୍କୁ କଂକ୍ରିଟ୍ ଢଳାଇ କରାଯାଉଛି। ମାତ୍ର ଏହିସବୁ କାର୍ଯ୍ୟ ଭିତରେ ବର୍ଷାଜଳ ଓ ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ କରୁଥିବା ଜଳ ନିଷ୍କାସନ ନିମନ୍ତେ ହୋଇଥିବା ନିଷ୍କାସନ ପାଇପ୍ ଏହି ନୂତନ କାର୍ଯ୍ୟ ଯୋଗୁ ବନ୍ଦ ହୋଇଯାଇଥିବାରୁ ଏହି ଗ୍ରାମର ଲୋକମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଜଳ ନିଷ୍କାସନ ନିମନ୍ତେ ଗୁରୁବାର ଦିନ ଜିଲା ପ୍ରଶାସନ ନିକଟରେ ଲିଖିତ ଦାବି କରିଛନ୍ତି। ଦାବି ଅନୁଯାୟୀ ଯାଜପୁର ସହର ସଂଲଗ୍ନ ଲଳିତେଶ୍ୱର ନଗର ଅଟେ। ଏହି ନଗରକୁ ଲାଗି ମହାବୀର ନଗର ୟୁନିଟ୍ – ୧୮ ଅଛି। ଏହି ଦୁଇଟି ଗ୍ରାମରେ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। ଏହି ଗ୍ରାମର ବର୍ଷାଜଳ ନିଷ୍କାସନ ପାଇପ୍ ଯୋଗେ ଜଳସଚେନ ବିଭାଗର ମାନସାପୋଲ ନିକଟରେ ବହିଯାଇଥିବା ୱାନ-ଏ କେନାଲକୁ ଯାଇଥାଏ। ବର୍ତ୍ତମାନ ୱାନ-ଏ କେନାଲର ପେଟ ଓ ଦୁଇପାର୍ଶ୍ୱ କଂକ୍ରିଟ୍ ଢଳାଇ ହେଉଥିବାରୁ ପୁରୁଣା ନିଷ୍କାସନ ପାଇପ୍ ପୋତିହୋଇଯାଇଥିବା ଯୋଗୁ ମହାବୀର ନଗର ୟୁନିଟ୍ – ୧୮ ଓ ଲଳିତେଶ୍ୱର ନଗର ବର୍ଷାଜଳ ଓ ନିତ୍ୟ ବ୍ୟବହାର୍ଯ୍ୟ ଜଳ ନିଷ୍କାସନ ହୋଇପାରୁନାହିଁ। ଜଳ ନିଷ୍କାସନ ହୋଇନପାରିବାରୁ ରାସ୍ତା ଉପରେ ୨ ଫୁଟ୍ ଉଚ୍ଚରେ ପାଣି ଜମିରହିବାରୁ ଯିବାଆସିବାରେ ଅସୁବିଧା ହେଉଛି। ଏପରିକି ବର୍ଷାଜଳ ନିଷ୍କାସନ ହୋଇନପାରିବାରୁ କ୍ରମାଗତଭାବେ ବର୍ଷା ହେବାରୁ ବର୍ଷାଜଳ ଗ୍ରାମରେ ଥିବା ଗୃହ ମଧ୍ୟରେ ପ୍ରବେଶ କରୁଛି। ଯାହାଫଳରେ ଶତାଧିକ ପରିବାର କଷ୍ଟ ଅନୁଭବ କରୁଛନ୍ତି। ଆଗାମୀ ବର୍ଷା ଦିନରେ ଜଳ ନିଷ୍କାସନ ଏହି ଗ୍ରାମରୁ ହୋଇନପାରିଲେ ଶତାଧିକ ପରିବାରଙ୍କ ଦୁଃଖ ଆହୁରି ବଢ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଜଳ ଜମିରହିବା ଦ୍ୱାରା ବିଭିନ୍ନ ସଂକ୍ରମିତ ରୋଗ ବ୍ୟାପିଥିବାର ଦେଖିବାକୁ ମିଳିଛି। ବର୍ଷାଜଳ ନିଷ୍କାସନ ନିମନ୍ତେ ସୁବନ୍ଦୋବସ୍ତ କରିବାକୁ ଏହି ଦୁଇଟି ଗ୍ରାମର ପ୍ରଦୀପ କୁମାର କର, ଜଗବନ୍ଧୁ ମହାରଣା, ସୁବ୍ରତ କାନୁନ୍ଗୋ, ମିଲନ କୁମାର ଦାସ, ଦୋଳଗୋବିନ୍ଦ ପତି, ସନ୍ତୋଷ କୁମାର ନାୟକ, ପ୍ରଭାକର ଦାସ, ଗଦାଧର କୁଣ୍ଡୁ, ଉମେଶ କୁମାର ଚୌଧୁରୀ ପ୍ରମୁଖ ବୁଧବାର ଦିନ ଜିଲା ପ୍ରଶାସନକୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top