ବରୁଣସିଂ ପଂଚାୟତର ମାଳ ଗାଁରେ ଯୁବକକୁ କୁରାଢ଼ିରେ ହାଣି ହତ୍ୟା

ରେମୁଣା/ ବାଲେଶ୍ୱର, ୨୦/୦୫ (ଓଡ଼ିଆ ପୁଅ/ଭଗବାନ ଦାସ) – ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ବରୁଣସିଂ ପଂଚାୟତର ମାଳ ଗାଁରେ ଗତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ସମ୍ପୃକ୍ତ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି। ହତ୍ୟାକାଣ୍ଡର ଶିକାର ହୋଇ ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ୪ନଂ ୱାର୍ଡ଼ ନିବାସୀ ପୂର୍ବତନ ସରପଞ୍ଚ ଅନନ୍ତ ଦାସ ପ୍ରଧାନଙ୍କ ସାନ ପୁଅ ଜୟଦେବ। ଉଭୟ ପୋଲିସ ଓ ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନାନୁସାରେ ଶନିବାର ରାତିରେ ଅନନ୍ତ ଦାସ ପ୍ରଧାନଙ୍କ ପୁଅ ଜୟଦେବ (୪୨)ଙ୍କ ପରିବାର ଘରେ ଖାଇ ଶୋଇଥିଲେ। ବିଳମ୍ବିତ ରାତିରେ ଜୟଦେବଙ୍କ ୧୨ ବର୍ଷର ପୁଅ କ୍ରୀଷ୍ଣା ଚିତ୍କାର କରିବାରୁ ଅନ୍ୟ ଘରେ ଶୋଇଥିବା ସ୍ତ୍ରୀ ତିଳୋତମା ଓରଫ ମାଣିକ (୩୫) ସେଠାରେ ପହଂଚିଥିଲେ। ଜୟଦେବ ବିଛଣାରେ ରକ୍ତାକ୍ତ ଅବସ୍ଥାରେ ସଜ୍ଞାହୀନ ହୋଇ ପଡିଥିବା ଦେଖି ପଡିଶାଙ୍କୁ ଡାକ ପକାଇବା ସହିତ ପ୍ରାୟ ଏକ କିଲୋମିଟର ଦୂରରେ ସେହି ଗ୍ରାମର ୫ନଂ ୱାର୍ଡ଼ରେ ରହୁଥିବା ନିଜ ଶ୍ୱଶୁର ଅନନ୍ତଙ୍କୁ ଘଟଣା ସମ୍ପର୍କରେ ଜଣେଇଥିଲେ। ଜୟଦେବଙ୍କ ବଡଭାଇ ବାସୁଦେବ ଏବଂ ପରିବାର ଲୋକେ ସେଠାରେ ପଂହଚି ଜୟଦେବ ବଂଚିଥିବା ଜାଣି ଆମ୍ବୁଲାନ୍ସ ଡାକିଥିଲେ। ମାତ୍ର ଆମ୍ବୁଲାନ୍ସ ଠିକ୍ ସମୟରେ ନପହଞ୍ଚି ବାରୁ ଏକ ଅଟୋ ଯୋଗେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ବାପା ଅନନ୍ତ ପୁଅର ହତ୍ୟା ସମ୍ପର୍କରେ ସେରଗଡ ପାଂଣ୍ଡିରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପୁଅକୁ ରାତିରେ କୁରାଢ଼ୀରେ ହାଣି କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଅଭିଯୋଗ ପାଇ ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ, ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପଲେଇ, ସଦର ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ ଘଟଣାସ୍ଥଳ ବୁଲି ଦେଖିବା ସହିତ ରକ୍ତାକ୍ତ କୁରାଢ଼ି ଜବତ କରିଛନ୍ତି। ତେବେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଭିନ୍ନ ଭିନ୍ନ ଆଲୋଚନା ଚାଲିଥିବାବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ପୋଲିସ ଉକ୍ତ ଘରକୁ ସିଲ କରି ୧୮୯/୧୮ ନଂ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *