ଜିଲ୍ଲା ପରିକ୍ରମା

ବରୀ କଂଗ୍ରେସକୁ ବଳଶାଳୀ କରିବାକୁ ଲାଗି ପଡିଛନ୍ତି ଯୁବନେତା ଉମେଶ

ଯାଜପୁର-୧୧/୫(ଓଡିଆ ପୁଅ/ଏ.ରାଉତ) ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ପିସିସିର ମଙ୍ଗ ଧରିଛନ୍ତି। ଯାହାକୁ ନେଇ ଜିଲା କଂଗ୍ରେସ ଶିବିରରେ ନୂତନ ଉତ୍ସାହ ଦେଖିବାକୁ ମିଳିଛି। ବିଗତ କିଛି ବର୍ଷ ହେଲା ବଳ ହରାଇଥିବା କଂଗ୍ରେସ ଶିବିରରେ ନୂତନ ଆଶା ସଂଚାର ହୋଇଛି। ରାଜ୍ୟ କଂଗ୍ରେସ ନେତୃତ୍ୱରେ ଟଣା ଓଟରା, ଜିଲାରେ ବିଜେପିର ଉତ୍ଥାନ କଂଗ୍ରେସକୁ ବହୁ ପଛକୁ ନେଇ ଯାଇଥିଲା। ୨୦୧୭ ପଂଚାୟତ ନିର୍ବାଚନରେ ଦଳ କୋରେଇ ପଂଚାୟତ ସମିତିକୁ ଛାଡି ଅନ୍ୟ ସମସ୍ତ ପଂଚାୟତ ସମିତିରେ କୋଣଠେସା ହୋଇଥିଲା। କୋରେଇ କଂଗ୍ରେସ ନେତା ବିଶ୍ୱଜିତ ନାୟକ ସମିତି ଦଖଲ କରିଥିଲାବେଳେ ବିଜେପି ଉତ୍ଥାନରେ ଆକର୍ଶିତ ହୋଇ କଂଗ୍ରେସ ଛାଡିବା ସହିତ ବିଜେପିରେ ସାମିଲ ହୋଇ ଯାଇଥିଲେ। ଯାହା ଜିଲା କଂଗ୍ରେସ ନେତାଙ୍କୁ ଏକ ପ୍ରକାର ହତାଶ କରିଦେଇଥିଲା। ଅନ୍ୟ ପକ୍ଷରେ କଂଗ୍ରେସ ଦଳର ଏହି ଦୟନୀୟ ସ୍ଥିତିକୁ ଦେଖି ବହୁ କଂଗ୍ରେସ ନେତା ଓ କର୍ମୀ ବିଜେଡି ଓ ବିଜେପି ମୁହାଁ ହୋଇପଡିଥିଲେ। ଦଳର ଦୁର୍ଦିନ ସମୟରେ ବରୀ ନିର୍ବାଚନ ମଣ୍ଡଳୀରେ ଜଣେ ଯୁବ କଂଗ୍ରେସ ନେତା ଦଳକୁ ସଂଗଠିତ କରିବାକୁ ଆଗଭର ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରାକ୍ତନ ବରୀ-ଡେରାବିଶ ନିର୍ବାଚନ ମଣ୍ଡଳୀର ବିଧାୟକ ଚିନ୍ମୟ ପ୍ରସାଦ ବେହୁରାଙ୍କୁ ସାଥି କରି ପ୍ରାକ୍ତନ ରତ୍ନଗିରି ସମିତି ସଭ୍ୟ ତଥା ବ୍ଲକ ଯୁବ କଂଗ୍ରେସ ସଭାପତି ଉମେଶ ଜେନା ଦଳକୁ ସଂଗଠିତ କରିବା ଆରମ୍ଭ କରିଥିଲେ। ବରୀ ନିର୍ବାଚନ ମଣ୍ଡଳୀ ଅଧିନ ବରୀ, ରସୁଲପୁର, ଯାଜପୁର ବ୍ଲକର ବିଭିନ୍ନ ପଂଚାୟତ ବୁଲି କର୍ମୀ ମାନଙ୍କୁ ସଂଗଠିତ କରିବା ସହିତ ସେମାନଙ୍କ ମନରେ ନୂତନ ଆଶାର ସଂଚାର କରିଥିଲେ। ଏହା ପରେ ବିଭିନ୍ନ ସମୟରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ବେଶ ସଫଳତାର ସହିତ ସଂପାଦନ କରିଥିବା ଦେଖିବାକୁ ମିଳିଥିଲା। ଯାହା କଂଗ୍ରେସ ଶିବିରରେ ଅଶାର ସଂଚାର କରିଥିଲା। ଗତ ୨୦୧୪ ସାଧାରଣ ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଗଗନ ଜେନା ନିର୍ବାଚନ ପରେ ସାଂଗଠନିକ କ୍ଷେତ୍ରରୁ ଦୂରେଇଯିବା ଦ୍ୱାରା ଦଳ କ୍ଷତି ସହିବା ପରେ ପ୍ରାକ୍ତନ ଯୁବ କଂଗ୍ରେସ ନେତା ତଥା ଏବର ବିଜେପି ନେତା ବିଶ୍ୱରଞ୍ଜନ ମଲ୍ଲିକଙ୍କ ସହିତ କଂଗ୍ରେସର ବହୁ ବରିଷ୍ଠ ନେତା ସାମିଲ ହେବା ବରୀ ନିର୍ବାଚନ ମଣ୍ଡଳୀରେ ଦଳକୁ ଧରାଶାୟୀ କରିଥିଲା। ଦଳର ଏହି ଭଳି ଦୟନୀୟ ସ୍ଥିତି ସମୟରେ କୈାଣସି କଂଗ୍ରେସ ନେତା ଦଳକୁ ସଂଗଠିତ କରିବା ସହିତ ନିର୍ବାଚନ ମଣ୍ଡଳୀରେ ବଂଚାଇ ରଖିବାକୁ ମଧ୍ୟ ଆଗଭର ହୋଇ ନଥିଲେ। ଏଭଳି ଘଡିସନ୍ଧି ମୁହୁର୍ତରେ ଉମେଶଙ୍କ ଉତ୍ଥାନ ଫଳରେ ବହୁ କଂଗ୍ରେସ ନେତାଙ୍କ ମଧ୍ୟରେ ଦଳକୁ ନେଇ ଆଶା ସଂଚାର ହୋଇଥିଲା। ଯାହା ପୁନର୍ବାର ଦଳ ମଧ୍ୟରେ ଏକତା ବଢାଇଥିଲା। ନିର୍ବାଚନ ମଣ୍ଡଳୀରେ ଦଳ ସଂଗଠିତ ହେଉଥିଲାବେଳେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଗିରିଶ ରାୟ ଦଳର ହାତଛାଡି ନିଜ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଥିଲେ। ଯାହା ଆଗକୁ ବଢୁଥିବା କଂଗ୍ରେସ ଶିବିରକୁ ଝଟକା ଦେଇଥିଲା। ବିଜେପୁର ନିର୍ବାଚନରେ ବିଜେପିର ପରାଜୟ ସାରା ରାଜ୍ୟ ବିଜେପି ଉପରେ ବ୍ୟାପକ ପ୍ରଭାବ ପକାଇଥିଲାବେଳେ ବରୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଫଳରେ ବରୀ ନିର୍ବାଚନ ମଣ୍ଡଳୀରେ ବିଜେପିର ଲୋକପ୍ରିୟତା ହ୍ରାସ ହୋଇଥିଲା। ଏହି ସମୟରେ ନୀରବ ବସିଥିବା ବରୀ ବିଧାୟକ ଦେବାଶିଷ ନାୟକ ମଧ୍ୟ ନିଜ ରାଜନୀତି ଗତିବିଧିକୁ ଯୋରଦାର କରିଥିଲେ। ଯାହା ବିଜେପିକୁ ବେଶ ପ୍ରଭାବିତ କରିଥିଲା। ଫଳରେ ବିଜେପି ସହିତ ସାମିଲଥିବା କଂଗ୍ରେସର ବହୁ ପୁରାତନ ନେତା ଓ କର୍ମୀ ଦଳକୁ ସଂଗଠିତ କରିବାକୁ ଉମେଶଙ୍କ ସହିତ ଯୋଗାଯୋଗରେ ଥିଲେ। ଏହାକୁ ଏକ ସୁଯୋଗ ଭାବେ ନେଇ ଉମେଶ ବିଭିନ୍ନ ସମୟରେ ଦଳକୁ ସଂଗଠିତ କରିବାକୁ ବୈଠକ ମାନ ଆୟୋଜିତ କରିବା ସହିତ ଦଳ ମଧ୍ୟରେ ସାଂଗଠନିକ ଦକ୍ଷତା ବଢାଇବାର ଉଦ୍ୟମ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ନିଯୁକ୍ତ ହେଲାପରେ ଉମେଶଙ୍କ ନେତୃତ୍ୱରେ ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ କର୍ମୀ ତାଙ୍କୁ ସ୍ୱାଗତ କରିଥିଲାବେଳେ ଦଳକୁ ସଂଗଠିତ କରିବାକୁ ଉମେଶଙ୍କ ସହିତ ସାମିଲ ହୋଇ କାର୍ଯ୍ୟ କରୁଛନ୍ତି। ଉତ୍ସାହିତ ନିଜ ଯୁବ ଗୋଷ୍ଠିଙ୍କୁ ସାଥିକରି ଆଗକୁ ବଢୁଥିବା ଉମେଶ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତୃବୃନ୍ଦଙ୍କ ପରାମର୍ଶରେ ଦଳକୁ ସଂଗଠିତ କରାଯିବା ସହିତ ଯୁବକ ମାନଙ୍କୁ ନେଇ ଆଗାମି ଦିନରେ ବିଜେଡି ଓ ବିଜେପିକୁ ବିରୋଧ କରାଯିବ ବୋଲି ମତ ଦେଇଛନ୍ତି। ବିଜେଡିର ଏହି ଗଡରେ ବିଜେପି ନିଜ ସଂଗଠନକୁ ମଜବୁତ ସ୍ଥିତିକୁ ଆଣିଥିଲାବେଳେ ଉଭୟ ଦଳକୁ ଅତିକ୍ରମ କରି ଉମେଶ କିଭଳି କଂଗ୍ରେସକୁ ସଂଗଠିତ କରୁଛନ୍ତି ଏହା ଉପରେ ବରୀବାସୀଙ୍କ ନଜର ରହିବା ସ୍ୱାଭାବିକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top