କେନ୍ଦୁଝର

ବରିଷ୍ଠ କଂଗ୍ରେସ ନେତା ମୋହନ ପରିଡା କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ସଭାପତି ନିଯୁକ୍ତ

କେନ୍ଦୁଝର, ୧୧ା୬ (ଓଡିଆ ପୁଅ/ପ୍ରଦୀପ ମହାନ୍ତି): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର ମଙ୍ଗ ଧରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମୋହନ ପରିଡା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଭାବେ ପରିଗଣିତ ମୋହନ ପରିଡାଙ୍କ ନିଯୁକ୍ତି ଫଳରେ ପୂର୍ବତନ ପିିସିସି ସଭାପତି ଜୟଦେବ ଜେନାଙ୍କ ଗୋଷ୍ଠୀକୁ ଶକ୍ତ ଧକ୍କା ଲାଗିଛି। କେବଳ ସେତିକି ନୁହେଁ, ଜିଲ୍ଲା କଂଗ୍ରେସ କମିଟିର ତିନିଜଣ କାର୍ଯ୍ୟକାରୀ ସଭାପତି ପଦବୀ ମଧ୍ୟରେ ଜୟଦେବଙ୍କ କେହି ସମର୍ଥକ ନଥିବାରୁ ଏହା ମଧ୍ୟ ଜୟଦେବଙ୍କ ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି। କୌଣସି ଉପାୟରେ କେନ୍ଦୁଝର ଜିଲ୍ଲା କଂଗ୍ରେସରେ ନିଜର ଆଧିପତ୍ୟକୁ ଅକ୍ଷୂର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ନୂତନ ଜିଲ୍ଲା କଂଗ୍ରେସ କମିଟି ଗଠନରେ ଏକ ବାର୍ତ୍ତା ଛାଡିଛନ୍ତି ନିରଞ୍ଜନ। ଯାହାକି ଜିଲ୍ଲାର ରାଜନୈତିକ ଆଲୋଚକଙ୍କ ମଧ୍ୟରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି। ଶନିବାର ସନ୍ଧ୍ୟାରେ ଅଖିଳ ଭାରତ କଂଗ୍ରେସ କମିଟି ରାଜ୍ୟର ବିଭିନ୍ନ ଜିଲ୍ଲା ସହିତ କେନ୍ଦୁଝର ଜିଲ୍ଲା ପାଇଁ ନୂତନ କଂଗ୍ରେସ କମିଟି ସଭାପତି ଚୟନ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବି ମୋହନ ପରିଡାଙ୍କୁ ନୂତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବରେ ଦାୟିତ୍ୱ ଅର୍ପଣ କରାଯାଇଛି। ଦୀର୍ଘଦିନ ହେବ କଂଗ୍ରେସ ଦଳର ଏକ ଶୃଙ୍ଖଳିତ କର୍ମୀ ତଥା ଜିଲ୍ଲା ଜଜ୍ କୋର୍ଟର ଜଣେ ଆଇନଜୀବି ଭାବେ ସୁନାମ ଅର୍ଜନ କରିଥିବା ମୋହନ ପରିଡା ଜଣେ ନିର୍ବିବାଦୀୟ ନେତା ଭାବେ ବେଶ ଜଣାଶୁଣା। ଶ୍ରୀ ପରିଡା ଆନନ୍ଦପୁରର ମୂଳବାସିନ୍ଦା ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଆଇନ ବ୍ୟବସାୟ ସହ ଜିଲ୍ଲା କଂଗ୍ରେସର ଜଣେ ଆଗଧାଡିର ନେତା ଭାବରେ ପରିଗଣିତ ହୋଇଛନ୍ତି। ୧୯୮୦ ଦଶକରୁ ବର୍ତ୍ତମାନର ପିସିସି ସଭାପତି ତଥା ରାମଚନ୍ଦ୍ରପୁରର ପୂର୍ବତନ ବିଧାୟକ ନିରଞ୍ଜନ ପଟ୍ଟନାୟକଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବରେ ସେ କାର୍ଯ୍ୟ କରି ଆସୁଥିଲେ। ବିିଭିନ୍ନ ସମୟରେ ଜିଲ୍ଲା କଂଗ୍ରେସ କମିଟିର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଂପାଦନ କରିଥିବାବେଳେ ବର୍ତ୍ତମାନ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବରେ ଦାୟୀତ୍ୱ ସଂପାଦନ କରୁଥିଲେ। ସେହିପରି କେନ୍ଦୁଝର ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ପ୍ରକଳ୍ପ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ବିପ୍ଳବ ମିଶ୍ର, ଘସିପୁରା ନିର୍ବାଚନ ମଣ୍ଡଳୀର ରତିକାନ୍ତ ବରାଳ ଓ ନିହାର ରଞ୍ଜନ ରାଉତଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ମନୋନୀତ କରାଯାଇଛି। ନୂତନ କଂଗ୍ରେସ କମିଟି ଗଠନ ହେବା ପରେ ଜିଲ୍ଲାରେ କଂଗ୍ରେସ ସଂଗଠନ ପୂର୍ବାପେକ୍ଷା ଅଧିକ ସକ୍ରିୟ ହେବ ବୋଲି କର୍ମୀଙ୍କ ମହଲରେ ଆଶାପ୍ରକଟ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top