ବରଗଡ଼ରେ କେନ୍ସର ହସପିଟାଲ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଲା

ସମ୍ବଲପୁର ୪-୯ (ଓଡ଼ିଆ ପୁଅ) – ବରଗଡ଼ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବିରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଭୁବନେଶ୍ୱର କୈନ୍ଦ୍ରିକ ବିକାଶ ରାଜ୍ୟର ଆଂଚଲିକ ବୈଷମ୍ୟ ଦୂର କରିବାରେ ବଡ ଅନ୍ତରାୟ ସୃଷ୍ଟି କରୁଛି। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲା ଏବେ ରାଜ୍ୟର କେନ୍ସର ରାଜଧାନୀରେ ପରିଣତ ହୋଇସାରିଛି। ରାଜ୍ୟର ସର୍ବାଧିକ କେନ୍ସର ରୋଗୀ ବରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଟାଟା ମେମୋରିଅଲର ଦସ୍ତାବେଜ ଅନୁସାରେ ପଂଜାବର ଭଟିଣ୍ଡା ଦେଶର ସର୍ବାଧିକ କେନ୍ସର ରୋଗୀ ରହିଥିବା ଜିଲ୍ଲା, ଏହାପରେ ଆମ ରାଜ୍ୟର ବରଗଡ ଅଂଚଳରେ କେନ୍ସର ରୋଗୀଙ୍କ ସଂଖ୍ୟା ଦେଶର ଦ୍ୱିତୀୟ ସର୍ବାଧିକ। ଯଦିଓ ବରଗଡରେ ରାଜ୍ୟର ସର୍ବାଧିକ କେନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ପଶ୍ଚିମାଂଚଳରେ ବହୁ ସଂଖ୍ୟାରେ କେନ୍ସର ରୋଗୀ ରହିଛନ୍ତି ତଥାପି ଏହି ଅଂଚଲରେ କେନ୍ସର ରୋଗ ଚିହ୍ନଟ ଏବଂ ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ପଶ୍ଚିମାଂଚଳରୁ ରୋଗୀ ମାନେ ବାରମ୍ବାର ଭୁବନେଶ୍ୱର ଯାଇ ଚିକିତ୍ସା କରାଇବା ଯେତିକି କଷ୍ଟସାଧ୍ୟ ସେତିକି ଖର୍ଚ୍ଚାନ୍ତ ମଧ୍ୟ କରାଉଛି। ଟାଟା ମେମୋରିଏଲ ସହଯୋଗରେ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ନୁତନ କେନ୍ସର ହସ୍ପିଟାଲକୁ ବରଗଡ ଜିଲ୍ଲାରେ ସ୍ଥାପନ କରାଯିବା ଉଚିତ।

ଗତ ୩୧ ତାରିଖରେ ବଲାଙ୍ଗିରରେ ଭୀମ ଭୋଇ ମେଡିକାଲ କଲେଜ ଉଦଘାଟନ ଅବସରରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ରମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଆଚାର୍ଯ୍ୟ ହରିହର ଆଂଚଲିକ କର୍କଟ କେନ୍ଦ୍ରକୁ ୫୦୦ କୋଟୀ ଟଙ୍କା ଆର୍ଥିକ ଅନୁଦାନ ନିକଟ ଅତୀତରେ କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଇଛି। ତେଣୁ ରାଜ୍ୟ ସରକାର ବରଗଡ ପାଇଁ ଯେତେଶିଘ୍ର ପ୍ରସ୍ତାବ ଦେବେ କେନ୍ଦ୍ର ପଦକ୍ଷେପ ଗ୍ରହଣ କରିବ ବୋଲି ଆଶ୍ୱାସନା ଦେଇଥିଲେ। ଟାଟା ମେମୋରିଅଲର ସର୍ତ୍ତ ମୁତାବକ ବିମାନ ବନ୍ଦର ସୁବିଧା ଥିବା ଅଂଚଳରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଇପାରିବ। ଖୁସିର ବିଷୟ ଆସନ୍ତା ୨୨ ତାରିଖ ଝାରସୁଗୁଡା ବିମାନ ବନ୍ଦର ଲୋକାର୍ପଣ ହେବାକୁ ଯାଉଛି।

ରାଜସ୍ୱ କମିଶନରଙ୍କୁ ଦାବି ପତ୍ର ଦେବା ସମୟରେ ପଶ୍ଚିମାଂଚଲ ଏକତା ମଂଚ ଆବାହକ ଭବାନୀ ଶଙ୍କର ଭୋଇ, କାର୍ଯ୍ୟକ୍ରମ ସଂଯୋଜକ ସମୀର ରଂଜନ ବାବୁ, ସଂଯୋଜକ ମାନସ ରଂଜନ ବକ୍ସି, ବରଗଡ କେନ୍ସର ଫାଇଟର ଫୋରମର କବି ମହାରଣା, ଚନ୍ଦ୍ରଶେଖର ନାୟକ, ସମୀର ହୋତା, ଶାଶ୍ୱତ ପଣ୍ଡା, କାମେଶ ବାଗ, ସର୍ବାଶିଷ ବେବର୍ତ୍ତା, କୃଷ୍ଣଚନ୍ଦ୍ର ଦାସ, ରାହୁଲ ମୋଦକ, ଶଙ୍କର ମେହେର, ମୋନୁ ଶର୍ମା, ବିପ୍ଳବ ଡନସନା, ଅରୁଣ ଦାସ, ଶିବ ପ୍ରସାଦ ମେହେର, ଅଭିଷେକ ସୁନା, ଆକାଶ ପଟ୍ଟନାୟକ, ଅଜୟ ନାଥ, ରିଂକୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *