ବରଗଡର ଭଟଲିଠାରେ ପ୍ରସ୍ତାବିତ କୃଷି ବର୍ଜ୍ୟବସ୍ତୁରୁ ଇନ୍ଧନ କାରଖାନା ମାମଲା: ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଷଡଯନ୍ତ୍ର ଯୋଗୁଁ ଜମି ହସ୍ତାନ୍ତରଣ ବିଳମ୍ବିତ : ବିଜେପି

– ୭୫୦ କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବରଗଡ ଓ ପଶ୍ଚିମ ଓଡିଶାର ହେବ ଆର୍ଥିକ ପ୍ରଗତି
– ଚାଷୀମାନେ ନଡା ଓ କୃଷି ବର୍ଜ୍ୟ ବିକି କୋଟି କୋଟି ଟଙ୍କା କରିବେ ରୋଜଗାର
– ହଜାର ହଜାର ଯୁବକ ଯୁବତୀଙ୍କୁ ମିଳିବ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୁଯୋଗ
– ଜମି ଚିହ୍ନଟ ସର୍ଭେ ତଥା ରାଜ୍ୟ ସରକାର ଓ ବିପିସିଏଲ ମଧ୍ୟରେ ବୈଠକ ପରେ ବି ଜାଣିଶୁଣି କରାଯାଉନି ଜମି ହସ୍ତନ୍ତରଣ
– କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜନୈତିକ ବିରୋଧ କରି ଓଡିଆ ଚାଷୀ ଯୁବକଙ୍କ ପେଟରେ ଲାତ ନମାରୁ ବିଜେଡି
– ଏହି ପ୍ରକଳ୍ପକୁ ଭୂମି ଯୋଗାଇ ନଦେବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଚାପ ଓ ମୁଖ୍ୟମନ୍ତ୍ରୀଙ୍କ ନୀରବତା; ବିଜେଡି ଯେ ଚାଷୀ ଓ ଯୁବକ ବିରୋଧୀ ଏ କଥା ସ୍ପଷ୍ଟ ପ୍ରମାଣିତ କରୁଛି
– ଓଡିଆ ଲୋକମାନେ ବିଶେଷ ଭାବେ ବରଗଡ ଓ ପଶ୍ଚିମ ଓଡିଶାବାସୀ ସୁଶାନ୍ତ ସିଂହଙ୍କର ଏହି ଷଡଯନ୍ତ୍ରକୁ ଆଦୈା ସହ୍ୟ କରିବେ ନାହିଁ

ଭୁବନେଶ୍ୱର, ତା, ୦୩/୧୨(ଓଡ଼ିଆ ପୁଅ): ବରଗଡ ଜିଲ୍ଲାର ଭଟଲିଠାରେ କୃଷି ବର୍ଜ୍ୟବସ୍ତୁରୁ ପ୍ରସ୍ତାବିତ ଇନ୍ଧନ ପ୍ରସ୍ତୁତି କାରଖାନା ପାଇଁ ଭୂମି ଯୋଗାଇ ଦେବା ମାମଲାରେ ଶ୍ରମମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଷଡଯନ୍ତ୍ର କରି ଜମି ଯୋଗାଇ ଦେବାରେ ପ୍ରତିବନ୍ଧକ ସାଜିଛନ୍ତି ବୋଲି ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ, କୃଷି ବର୍ଜ୍ୟବସ୍ତୁରୁ ଇନ୍ଧନ ତିଆରି ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବରଗଡ ଜିଲ୍ଲାର ଚାଷୀମାନେ ଧାନ ଅମଳ ପରେ ନଡା ଓ ଅନ୍ୟାନ୍ୟ କୃଷି ବର୍ଜ୍ୟ ବିକି କୋଟି କୋଟି ଟଙ୍କା ରୋଜଗାର କରିପାରିବେ। ଏକ ବଡ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହଜାର ହଜାର ସ୍ଥାନୀୟ ଯୁବକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ସୃଷ୍ଟି ହୋଇପାରିବ। ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୭୫୦ କୋଟି ଟଙ୍କାର ପୁଞ୍ଜି ସହ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ବିପିସିଏଲ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରିବା ସହ ରାଜ୍ୟ ସରକାରଙ୍କ ଜମି ହସ୍ତାନ୍ତରକୁ ଅପେକ୍ଷା କରିଛି।

ଶ୍ରୀ ପୁରୋହିତ କହିଛନ୍ତି ଯେ, ରାଜ୍ୟ ସରକାର ଓ ବିପିସିଏଲ ପ୍ରତିନିଧିମାନେ ବରଗଡ ଜିଲ୍ଲା ଭଟଲି ତହାସିଲ ଅନ୍ତର୍ଗତ ବଉଳସିଂଘା ଗ୍ରାମର ଜମି ଚିହ୍ନଟ କରିବା ସହ ସର୍ଭେ ତଥା ଆନୁସାଙ୍ଗିକ ପ୍ରକ୍ରିୟା ସଂପୂର୍ଣ୍ଣ କରିସାରିଛନ୍ତି। ରାଜ୍ୟ ସରକାର ଜମି ହସ୍ତାନ୍ତରଣ କରିବା ମାତ୍ରେ ଏହି ପ୍ରକଳ୍ପ କ୍ରିୟାନ୍ୱୟନ କାର୍ଯ୍ୟ ଆରମ୍ଭ ହେବ। ଗତ ୨୦୧୬ ମସିହା ନଭେମ୍ବର ମାସରୁ ଇପିକଲ ମାଧ୍ୟମରେ ଏହି ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବାର ପ୍ରକ୍ରିୟା ଆରମ୍ଭର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଜିଲ୍ଲାର ଜନ ପ୍ରତିନିଧି ତଥା ଶ୍ରମମନ୍ତ୍ରୀ ଶ୍ରୀ ସିଂହ ଏହି ପ୍ରକଳ୍ପକୁ ବିଳମ୍ବିତ କରିବା ପାଇଁ ସରକାର ଓ ପ୍ରଶାସନ ଉପରେ ଚାପ ପକାଇ ଜମି ହସ୍ତନ୍ତରଣ ପ୍ରକ୍ରିୟାକୁ ଅଯଥାରେ ବିଳମ୍ବିତ କରୁଛନ୍ତି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ, ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡି ସାରିଛନ୍ତି। ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲା ଓ ପଶ୍ଚିମ ଓଡିଶାର ଚାଷୀ ଓ ଯୁବକମାନଙ୍କ ସ୍ୱାର୍ଥ ଓ ଆର୍ଥିକ ପ୍ରଗତି ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ କାହିଁକି ଗୁରୁତର ସହ ନେଉ ନାହାନ୍ତି ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ, ବିଜେଡି ନେତାମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଳାତକ, ଡାକ ପିଅନ ଓ ବିହାରୀ ପରି ଅନେକ ଅପଶବ୍ଦ କହି ଅପମାନ କଲେ ବିଜେପିର ବିରୋଧ ନାହିଁ। ବିଜେଡି ନେତାମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗାଳି ଗୁଲଜ କରିବାରେ ତାଙ୍କ ଦଳର ଆପତି ନାହିଁ। ମାତ୍ର ଧର୍ମେନ୍ଦ୍ର ପ୍ରଧାନ ଚାଷୀ ଓ ଯୁବକଙ୍କ ପାଇଁ କୃଷି ବର୍ଜ୍ୟରୁ ଇନ୍ଧନ ତିଆରି ପାଇଁ ୭୫୦ କୋଟି ଟଙ୍କାର ପ୍ରକଳ୍ପ ଆଣୁଥିବା ବେଳେ ଏହାକୁ ବିରୋଧ କରି ଓଡିଶାର ଚାଷୀ ଓ ଯୁବକଙ୍କ ପେଟରେ ଲାତ ମାରିବାରୁ ବିଜେଡି ବିରତ ରହୁ ବୋଲି ଶ୍ରୀ ପୁରୋହିତ ଆହ୍ୱାନ ଜଣାଇଛନ୍ତି।

ଶ୍ରୀ ପୁରୋହିତ କହିଛନ୍ତି ଯେ, ଏହି ପ୍ରକଳ୍ପକୁ ଭୁମି ନ ଯୋଗାଇ ଦେବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଚାପ ଓ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରିବା, ବିଜେଡିର ଚାଷୀ ଓ ଯୁବକଙ୍କ ସ୍ୱାର୍ଥବିରୋଧୀକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଓଡିଆ ଲୋକମାନେ ବିଶେଷ ଭାବରେ ବରଗଡ ଓ ସମଗ୍ର ପଶ୍ଚିମ ଓଡିଶାବାସୀ ସୁଶାନ୍ତ ସିଂହଙ୍କର ଏହି ଷଡଯନ୍ତକୁ ଆଦୈା ସହ୍ୟ କରିବେ ନାହିଁ ବୋଲି ଶ୍ରୀ ପୁରୋହିତ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଓ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *