ଜିଲ୍ଲା ପରିକ୍ରମା

ବନ୍ୟା ପ୍ରପିଡିତ ବିସ୍ଥାପିତଙ୍କ ଥଇଥାନ ବସତି ପରିବର୍ତେ ପରିତ୍ୟକ୍ତ ଗ୍ରାମରେ ଚାଲିଛି ବିକାଶ

ବୌଦ୍ଧ, ୧ା୦୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସରକାର ନିୟମିତ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳ ରେ ବସବାସ କରୁଥିବା ଲୋକଙ୍କ ସମସ୍ୟା ର ସ୍ଥାୟୀ ପ୍ରତିକାର ପାଇଁ ସେମାନଙ୍କୁ ସାମୁହିକ ଭାବେ ଅନ୍ୟତ୍ର ଥଇଥାନ କରିବା ସହିତ ସେମାନଙ୍କ ଜୀବନ ଧାରଣ ରେ ଉନ୍ନତି ଆଣିବା ସକାଶେ ପିଡିତ ପରିବାରଙ୍କୁ ଘରଡିହ, ଜମି, ପକ୍କାଘର, ବିଦ୍ୟୁତ, ପାନୀୟଜଳ, ରାସ୍ତାଘାଟ, ସମେତ ବିସ୍ଥାପିତ ପରିବାରର ପିଲାମାନେ ପାଠ ପଢିବା ପାଇଁ ସ୍କୁଲ ଆଦି ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ ମାନଙ୍କ ବେପରୁଆ ମନୋଭାବ ଓ ଦାଇତ୍ୱହିନତା ସାଙ୍ଗକୁ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧି ମାନଙ୍କ ଠିକାପ୍ରୀତି ଯୋଗୁଁ ସରକାରଙ୍କ ଏହି ମହତ୍ୱାକାକ୍ଷି ଯୋଜନା କିପରି ବାଟବାଣା ହୋଇପଡିଛି ତାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କୁଡାଶିଙ୍ଗା ଗ୍ରାମରେ। ମହାନଦୀ କୂଳକୁ ଲାଗି ରହିଥିବା ହରଭଙ୍ଗା ପଞ୍ଚାୟତ ର କୁଡାଶିଙ୍ଗା ଗ୍ରାମରେ ପ୍ରତିବର୍ଷ ନିୟମିତ ବନ୍ୟା ଜଳ ପ୍ରବେଶ କରିବା ଯୋଗୁଁ ବାହ୍ୟ ଜଗତରୁ ସଂପୁର୍ଣ୍ଣରୁପେ ବିଛିନ୍ନ ହୋଇ ପଡିବା ସହିତ କ୍ଷତିଗ୍ରସ୍ତ ହୋଇ ଅକଥନୀୟ ସମସ୍ୟାର ସମ୍ମୁଖିନ ହୋଇ ଆସୁଥିଲେ। ତେଣୁ ଉକ୍ତ ବନ୍ୟା ପିଡିତ ଗ୍ରାମରେ ବସବାସ କରୁଥିବା ପ୍ରାୟ ୫୪ ଟି ପରିବାରର ପ୍ରାୟ ୨ଶହ ରୁ ଉର୍ଦ୍ଧ ସଦସ୍ୟଙ୍କ ଦୟନୀୟ ଦୁର୍ଦ୍ଦଶା ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲଟିଥିଲା। ଗତ ୨୦୦୬ ମସିହା ମହାନଦୀ ରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାଞ୍ଚଳ ପରିଦର୍ଶନ ରେ ଆସି ତତ୍କାଳିନ ଜିଲ୍ଲାପାଳ ବିଶାଳ ଗଗନ ଓ ଏକ ଉଚ୍ଚ ପ୍ରତିନିଧି ଦଳଙ୍କ ସହିତ ଡଙ୍ଗା ଯୋଗେ ପାଣି ଘେରରେ ଥିବା କୁଡାଶିଙ୍ଗା ଗ୍ରାମକୁ ଯାଇଥିଲେ। ସେଠାରୁ ଫେରି ମୁଖ୍ୟମନ୍ତ୍ରୀ ତୁରନ୍ତ ଗ୍ରାମାବାସୀଙ୍କୁ ଅନ୍ୟତ୍ର ଘରଡିହ ଓ ଇନ୍ଦିରା ଆବାସ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟ ପଛପଟେ ଥିବା ସରକାରୀ ଜମିକୁ ଚିହ୍ନଟ କରି କୁଡାଶିଙ୍ଗା ଗ୍ରାମର ୫୪ ଟି ପରିବାରଙ୍କୁ ୪ ଡେସିମିଲ ଲେଖାଁଏ ଘରଡିହ ଓ ଇନ୍ଦିରା ଆବାସ ଯୋଗାଇ ଦିଆଯାଇ ସଂପୃକ୍ତ ଥଇଥାନ ବସତି କୁ ନବୀନ ନଗର ନାମରେ ନାମିତ କରାଯାଇଥିଲା। ଏପରିକି ବିସ୍ଥାପିତ ଗ୍ରାମର ପିଲାମାନଙ୍କ ପାଠପଢାରେ ଯେପରି ବ୍ୟାଘାତ ନହୁଏ ସେଥିପାଇଁ ସେଠାରେ ଯୁଦ୍ଧକାଳୀନ ଭିତିରେ ନବୀନ ନଗର ଠାରେ ଏକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯାଇ ଶିକ୍ଷାଦାନ ଆରମ୍ଭ ହୋଇଥିଲା। ପ୍ରଶାସନ ର ଏଭଳି ପଦକ୍ଷେପକୁ ସେତେବେଳେ ଜିଲ୍ଲା ର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା। ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଆଜକୁ ଦିର୍ଘ ୧୨ ବର୍ଷ ବିତିଯାଇଥିଲେ ସୁଦ୍ଧା କୁଡାଶିଙ୍ଗା ଗ୍ରାମବାସୀଙ୍କୁ ଥଇଥାନ କରାଯାଇଥିବା ବସତିରେ ମାଟି ରାସ୍ତା ଟିଏ ତ ଦୂରର କଥା ପାନୀୟ ଜଳର ମଧ୍ୟ ବ୍ୟବସ୍ଥା ହୋଇପାରିନଥିବା ବେଳେ ନିର୍ବାଚିତ ପ୍ରତିନିଧି, ଠିକାଦାର ଓ ଯନ୍ତ୍ରୀ ଉଦ୍ଦେଶ୍ୟ ମୁଳକ ଭାବେ ଓଲଟି ମହାନଦୀ କୂଳର ସେଇ ପୁରୁଣା କୁଡାଶିଙ୍ଗା ବସତିରେ ପଞ୍ଚାୟତର ବିକାଶ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଯୋଜନା ଓ ଅନୁଦାନରେ କଂକ୍ରିଟ ରାସ୍ତା, ଗାଡୱାଲ, ଅଙ୍ଗନବାଡି କେନ୍ଦ୍ର, ପକ୍କାଘର, ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଆଦି ନିର୍ମାଣ କରିବା ଘଟଣା ବିଭିନ୍ନ ମହଲକୁ ବିସ୍ମିତ କରିଛି। ବିସ୍ଥାପିତଙ୍କୁ ଥଇଥାନ ଯୋଜନାରେ ପ୍ରଶାସନର ଏଭଳି ଦୋ ମୁହାଁ ନୀତିର ଶିକାର ହୋଇ ଗ୍ରାମର ଅଧିକାଂଶ ପରିବାର ଏବେ ଥଇଥାନ କରାଯାଇଥିବା ନବୀନ ନଗର ଛାଡି ପୁରୁଣା ବିସ୍ଥାପିତ ଗ୍ରାମ କୁଡାଶିଙ୍ଗାକୁ ଫେରି ଯାଉଥିବା ଲକ୍ଷ୍ୟ କରାଯାଇଛି। ତେବେ ପ୍ରତିବର୍ଷ ବନ୍ୟାରେ ବୁଡୁ ଥିବା ଉକ୍ତ କୁଡାଶିଙ୍ଗା ଗ୍ରାମରେ ଅତ୍ୟନ୍ତ ନିମ୍ନ ମାନର ପ୍ରକଳ୍ପ କରି ଅଳ୍ପ କିଛି ଦିନ ମଧ୍ୟରେ ସେଗୁଡିକ ଭାଙ୍ଗିରୁଜି ଗଲେ କାଗଜପତ୍ରରେ ସେଥିପାଇଁ ବନ୍ୟା ଜଳକୁ ଦାୟୀ କରି ଅକ୍ଲେଶରେ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ସୁବିଧା ହେଉଥିବାରୁ ଠିକାଦାର ଓ ଯନ୍ତ୍ରୀ ଏହି ସ୍ଥାନରେ ପ୍ରକଳ୍ପ ନିର୍ମାଣ ପାଇଁ ଅଧିକ ଆଗ୍ରହ କରୁଥିବା ଚର୍ଚ୍ଚା ହେଉଛି। ଏ ନେଇ ହରଭଙ୍ଗା ବିଡିଓ ରବିନ୍ଦ୍ର କୁମାର ଶତପଥିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ମହାନଦୀ କୂଳରେ ଥିବା କୁଡାଶିଙ୍ଗା ଗ୍ରାମର ଗ୍ରାମବାସୀଙ୍କୁ ପୁର୍ବରୁ ପ୍ରଶାସନ ପକ୍ଷରୁ ନବୀନ ନଗରରେ ଥଇଥାନ କରାଯାଇଥିବା ସର୍ମ୍ପକରେ ମୁଁ କିଛି ଜାଣି ନାହିଁ ଯଦି ସେଭଳି ହୋଇଥାଏ ତାହେଲେ ବିସ୍ଥାପିତ ଗ୍ରାମରେ ହେଉଥିବା ଉନ୍ନୟନ ମୂଳକ ଯୋଜନା କୁ ରୋକାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top