ବନ୍ୟପ୍ରାଣୀ ଆତଙ୍କ ଓଡିଆ ଚାଷୀଙ୍କ ଉପରେ ବେଡି ଉପରେ କୋରଡା ମାଡ ସଦୃଶ: ବିଜେପି

– ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପ୍ରିନ୍ସିପାଲ୍ ଚିଫ୍ କଞ୍ଜରଭେଟର୍ ଅଫ୍ ଫରେଷ୍ଟସ୍ (ପିସିସିଏଫ୍)ଙ୍କୁ ଭେଟି ହସ୍ତକ୍ଷେପ କରିବାକୁ ଦାବି ଜଣାଇଲା
– ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଭାବେ ଦାୟିତ୍ୱ ପାଳନ କରିବା ସହ ଗରିବ ଚାଷୀଙ୍କୁ କ୍ଷତିପୂରଣ ଦେବାରେ ଆଇନ ଅନୁଯାୟୀ ପଦକ୍ଷେପ ନେବା ପାଇଁ ଦାବି

ଭୁବନେଶ୍ୱର, ତା.୦୫/୧୨ (ଓଡ଼ିଆ ପୁଅ) : ରାଜ୍ୟରେ ସ୍ୱଳ୍ପ ବୃଷ୍ଟି କାରଣରୁ ବିଭିନ୍ନ ଜିଲ୍ଲାରେ ବ୍ୟାପକ ଫସଲହାନୀ, ଚକଡା ପୋକର ପ୍ରାଦୁର୍ଭାବ କାରଣରୁ ବ୍ୟାପକ ଅଂଚଳରେ ଧାନ ଚାଷ ବିପର୍ଯ୍ୟସ୍ତ ହୋଇଯାଇଛି। ଏହା ସହ ଗତ କିଛି ଦିନ ତଳେ ଅଦିନିଆ ବର୍ଷା କାରଣରୁ ବ୍ୟାପକ ଅଂଚଳ ଜଳମଗ୍ନ ହୋଇ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ପୁଣି ଚକ୍ରବାତ ଆଖି ଘନିଭୂତ ହେବା କାରଣରୁ ସାରା ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ଚାଷୀକୂଳରେ ଆତଙ୍କ ସୃଷ୍ଟି କରିଛି। ଓଡିଶାର ଚାଷୀମାନେ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ କାରଣରୁ ସଙ୍କଟରେ ଥିବାବେଳେ ଅନ୍ୟ ପଟେ ବନ୍ୟପ୍ରାଣୀ ଆତଙ୍କ ରାଜ୍ୟରେ ଓଡିଆ ଚାଷୀଙ୍କ ଉପରେ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି ବୋଲି ଅଭିଯୋଗ କରିବା ସହ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ଜଙ୍ଗଲ ବିଭାଗ ମୁଖ୍ୟ “ପ୍ରିନ୍ସିପାଲ୍ ଚିଫ୍ କଞ୍ଜରଭେଟର୍ ଅଫ୍ ଫରେଷ୍ଟସ୍ (ପିସିସିଏଫ୍)” ଭେଟି ଏ ସଂକ୍ରାନ୍ତରେ ଅବଗତ କରାଇବା ସହ ହସ୍ତକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି।

ରାଜ୍ୟ ତମାମ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ ବିଭିନ୍ନ ଜିଲ୍ଲାରେ ଜଙ୍ଗଲ ବାହାରକୁ ଆସି ଧାନ ସମେତ ଅନ୍ୟାନ୍ୟ ଫସଲ ବ୍ୟାପକମାତ୍ରାରେ ନଷ୍ଟ କରି ଚାଲିଛନ୍ତି। ମାତ୍ର ଚାଷୀମାନଙ୍କର ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଜଙ୍ଗଲ ବିଭାଗ ଅଧିକାରୀମାନେ ହାତୀ ନ ଆସିବା ପାଇଁ ଆଗୁଆ ପଦକ୍ଷେପ ନେଉନାହାନ୍ତି। ହାତୀ ଆସିଗଲେ ଘଉଡାଇବା ପାଇଁ ମଧ୍ୟ ପଦକ୍ଷେପ ନେବାରେ ବିଫଳ ହେଉଛନ୍ତି। ଫସଲ ନଷ୍ଟ କଲେ କ୍ଷତିପୂରଣ ମଧ୍ୟ ମିଳିବାରେ କୌଣସି ତତ୍ପରତା ଦେଖାଉନାହାନ୍ତି। ରାଜରାସ୍ତା ଉପରେ ହାତୀ ବିଭିନ୍ନ ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରାକୁ ବ୍ୟାହତ କରିଛି ବୋଲି ଏହି ପ୍ରତିନିଧି ଦଳ ପିସିସିଏଫଙ୍କ ନିକଟରେ ଅଭିଯୋଗ କରିଛି।

ରାଜ୍ୟରେ ପୁଣି ବନ୍ୟ ଜନ୍ତୁ କାରଣରୁ ମେଣ୍ଢା ହତ୍ୟା ଲଗାତାର ଭାବେ ବଢିବାରେ ଲାଗିଛି। ବନ ବିଭାଗ ମେଣ୍ଢା ମରା ଜନ୍ତୁଙ୍କୁ ଯନ୍ତାରେ ପକାଇବା ପାଇଁ ବିଫଳ ହେଉଛନ୍ତି। ମେଣ୍ଢା ମଲେ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ଘୋଷଣା ସତ୍ୱେ ମେଣ୍ଢା ମରିବା ପରେ କ୍ଷୟକ୍ଷତିର ଆକଳନ ଓ କ୍ଷତି ସହୁଥିବା ଚାଷୀ ପାଖରେ କୌଣସି ସର୍ଭେ ବା ଆକଳନ ବ୍ୟବସ୍ଥା କରାଯାଉନଥିବାର ଏହି ପ୍ରତିନିଧି ଦଳ ପିସିସିଏଫଙ୍କ ପାଖରେ ଅଭିଯୋଗ କରିଛି।

ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଭାବେ ଦାୟିତ୍ୱ ପାଳନ କରିବା ସହ ଗରିବ ଚାଷୀଙ୍କୁ କ୍ଷତିପୂରଣ ଦେବାରେ ଆଇନ ଅନୁଯାୟୀ ପଦକ୍ଷେପ ନେବା ପାଇଁ ବିଜେପି ପ୍ରତିନିଧି ଦଳ ପିସିସିଏଫଙ୍କ ନିକଟରେ ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଓ ଦିଲୀପ ମହାନ୍ତି, ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି, ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *