ବନ୍ଧୁକ ମୁନରେ ସୁନା ଦୋକାନୀଠାରୁ ଲୁଟ୍:ଜଣେ ଗିରଫ, ଧାମନଗର ଅଞ୍ଚଳରେ ମାତିଛନ୍ତି ଲୁଟେରା

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଜାତୀୟ ରାଜପଥ ପରେ ଏବେ ଲୁଟେରାଙ୍କ ଟାର୍ଗେଟରେ ଗ୍ରାମାଞ୍ଚଳ । କିଛିଦିନ ଧରି ଜାତୀୟ ରାଜପଥରେ ଲୁଟେରାଙ୍କ ସକ୍ରିୟ ହୋଇଉଠିଥିବା ବେଳେ ଏବେ ଏହି ଏହି ଲୁଟେରା ଗ୍ରାମାଞ୍ଚଳରେ ଆଖି ପକାଇଛନ୍ତି । ଏଇ କିଛିଦିନ ପୂର୍ବେ ଭଦ୍ରକ-ଆଖଣ୍ଡଳମଣି ରାସ୍ତାର କୋଠାର ନିକଟରେ ଜଣେ ସୁନା ଦୋକାନୀଙ୍କ ଠାରୁ ପ୍ରାୟ ୧୦ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ସୁନା ଓ ରୁପା ଅଳଙ୍କାର ଲୁଟ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପୁଲିସ ଲୁଟେରାଙ୍କ କୌଣସି ଟେର ପାଇପାରିନାହିଁ । ସେକଥା ସାଧାରଣ ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣି ଲୁଟେରା ମାନେ ସକ୍ରିୟ ହୋଇ ଗତକାଲି ଧାମନଗର-ଦୋବଲ ରାସ୍ତାରେ ଜଣେ ସୁନା ଦୋକାନୀଙ୍କ ଠାରୁ ପ୍ରାୟ ୪ଲକ୍ଷ ଟଙ୍କାର ସୁନା ଚେନ ଲୁଟି ନେଇଛନ୍ତି । ପ୍ରକାଶ ଯେ ଗତକାଲି ଧାମନଗର ବଜାରରେ କନକଦୁର୍ଗା ଜୁଏଲାରୀର ମାଲିକ ରତ୍ନାକର ସାହୁ ଓ ତାଙ୍କ ଭଣଜା ରାତି ପ୍ରାୟ ୯ଟା ବେଳେ ଦୋକାନ ବନ୍ଦ କରି ନିଜ ଘର ଦୋବଲ ପଞ୍ଚାୟତ ସୋଧକୁ ସ୍କୁଟିରେ ଯାଉଥିଲେ । ସେହି ସମୟରେ ତିନିଜଣ ଦୁର୍ବୃତ ଏକ ଧଳା ରଙ୍ଗର ଆପାଜି ବାଇକରେ ଆସି ଦକ୍ଷିଣବାଡ ଛକ ଠାରୁ ଅଳ୍ପ କିଛି ବାଟ ଦୂରରେ ରତ୍ନାକରଙ୍କ ଗାଡି ଆଗରେ ଗାଡି ଆଡା ପକାଇଥିଲେ । ପରେ ରତ୍ନାକରଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଭୟଭିତ କରିବା ସହିତ ତାଙ୍କ ଭଣଜାକୁ ମଧ୍ୟ ଆକ୍ରମଣ କରି ସ୍କୁଟିରେ ଥିବା ପ୍ରାୟ ୪ଲକ୍ଷରୁ ଉଦ୍ଧ୍ୱର୍ ମୂଲ୍ୟର ସୁନା ଚେନ ସହିତ ଲକର ଓ ଦୋକାନ ଚାବିକାଠି ଲୁଟି ନେଇ ପୁଣି ଧାମନଗର ବଜାର ଓ ଥାନା ସମ୍ମୁଖ ଦେଇ ଲୁଟେରାମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ । ଖବରପାଇ ପୁଲିସ ବିଭିନ୍ନ ଥାନାକୁ ସୂଚନା ଦେବା ପରେ ଭଦ୍ରକ ଟାଉନ ଥାନାଧିକାରୀ ଦିଲ୍ଲୀପ ସାହୁଙ୍କ ନେତୃତ୍ୱରେ ୧୬ ନମ୍ବର ଜାତୀୟ ରାଜପଥର ସାହାପୁର ଠାରେ ଲୁଟେରାଙ୍କ ମଧ୍ୟରୁ ଜଣକୁ ଧରିବାରେ ସକ୍ଷମ ହୋଇଥିଲେ । ଏହି ଅଭିଯୁକ୍ତ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାତଭଉଣୀ ହରିପୁର ଅଂଚଳର ସଂଗ୍ରାମ ଦାସ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପୁଲିସ ସଂଗ୍ରାମ ନିକଟରୁ ଲୁଟ ସାମଗ୍ରୀ ମଧ୍ୟରୁ ଦୋକାନ ଚାବିକାଠିକୁ ଜବତ କରିବା ସହିତ ବ୍ୟବହାର କରିଥିବା ଆପାଜି ବାଇକକୁ ମଧ୍ୟ ଜବତ କରିଛି । ଜବତ ହୋଇଥିବା ଆପାଜି ବାଇକଟି ୧୫ଦିନ ପୂର୍ବେ ଭଣ୍ଡାରିପୋଖରୀ ଅଂଚଳରୁ ଲୁଟ୍ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ତେବେ ଅନ୍ୟ ଦୁଇ ଲୁଟେରା ଫେରାର ହୋଇଥିବାରୁ ଲୁଟ ହୋଇଥିବା ସୁନା ଅଳଙ୍କାର ଓ ଲକର ଚାବିକାଠି ପୁଲିସ ଜବତ କରିବାରେ ସକ୍ଷମ ହୋଇନାହିଁ । ଏସଂପର୍କରେ ଧାମନଗର ପୁଲିସ କେଶ ନଂ-୧୩୬/୧୮ରେ ଏକ ମାମଲା ରୁଜୁକରି ତଦନ୍ତ କରୁଛି । ସୂଚନା ଥାଉକି ଏଇ କିଛିଦିନ ହେବ ଧାମନଗର ଅଂଚଳରେ ଚୋରି ଓ ରାହାଜାନୀ ବୃଦ୍ଧି ପାଉଥିବା ବେଳେ ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ । ନିକଟରେ ଧାମନଗର ବ୍ଲକ ସନିକଟ ଜଣେ ଶିକ୍ଷକଙ୍କ ଘରୁ ଗ୍ରୀଲ ଭାଙ୍ଗି ଦୁର୍ବୃତମାନେ ପ୍ରାୟ ୧୦ ଲକ୍ଷରୁ ଉଦ୍ଧ୍ୱର୍ ଅଳଙ୍କାର ଚୋରି କରିଥିବା ବେଳେ ବିଭିନ୍ନ ସ୍ଥାନରେ ଛୋଟ ବଡ ଚୋରି, ଲୁଟ ଓ ଚୋରା ମଦ କାରବାର ବୃଦ୍ଧି ପାଉଛି । ତେବେ ଏପରି ଘଟଣା ଦିନକୁ ଦିନ ବଢିଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇ ପାରୁନାହିଁ । ଯଦି ପୁଲିସ ପେଟ୍ରୋଲିଂକୁ କଡାକଡି କରିବା ସହିତ ଧାମନଗର-ଷେଣ୍ଢପୁର, ଖଡିପଦା-ଆନନ୍ଦପୁର, ଧାମନଗର-ଫଳପୁର, ଧାମନଗର-କୋଠାର, ଧାମନଗର-ଧାମନଗରଛକ ଆଦି ରାସ୍ତାରେ ସାନ୍ଧ୍ୟକାଳିନ ପେଟ୍ରୋଲିଂକୁ କଡାକଡି କରିଲେ ଏପରି ଘଟଣା ରୋକା ଯାଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେବେ ଧାମନଗର-ଦୋବଲ ଏକ ଜନଗହଳି ପୂର୍ଣ୍ଣ ରାସ୍ତା ହୋଇଥିବା ସହିତ ମାତ୍ର ରାତି ୯ଟା ସମୟରେ ଏହି ହାଇପ୍ରୋଫାଇଲ ଲୁଟକରି ଲୁଟେରାମାନେ ଥାନା ସମ୍ମୁଖ ଦେଇ ଯିବା ଧାମନଗର ପୁଲିସର ପାରିବାପଣିଆ ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରିଛି । ଅପରପକ୍ଷେ ଧାମନଗରରେ ପୁଲିସ ଏସଡିପିଓ କାର୍ଯ୍ୟାଳୟ ଏବଂ ପୁରାତନ ଥାନା କର୍ମଚାରୀ ଓ ଅଧିକାରି ମାଳମାଳ ଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦୁର୍ବଳ ଥିବା ଭଳି ମନେ ହେଉଛି । ଏଦିଗରେ ରାଜ୍ୟ ପୁଲିସ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ତୁରନ୍ତ ଲୁଟେରାକୁ ଠାବ କରିବା ପାଇଁ ସ୍ଥାନୀୟ ବ୍ୟବସାୟୀ, ବୃଦ୍ଧିଜିବୀ ଓ ସାଧାରଣ ଲୋକ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *