ବ୍ରହ୍ମପୁର ୧୮-୯ (ଓଡ଼ିଆ ପୁଅ) :ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ରିଲାଏନ୍ସ ପେଟ୍ରୋଲ ପମ୍ପ କର୍ମଚାରୀ ନିକଟରୁ ବନ୍ଧୁକ ଦେଖାଇ ପ୍ରାୟ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ। ସୂଚନା ଅନୁଯାୟୀ ରିଲାଏନ୍ସ ପେଟ୍ରୋଲ ପମ୍ପ ଦୁଇ କର୍ମଚାରୀ ହରିବନ୍ଧୁ ରେଡି ଓ ନରେଶ ରେଡି ବାଇକ ଯୋଗେ ୯ ଲକ୍ଷ ୨୮ ହଜାର ୮୦୦ ସହ ଟଙ୍କା ନେଇ ନିକଟସ୍ଥ ଜଗନ୍ନାଥପୁର ପରିବା ମାର୍କେଟ ସମ୍ମୁଖରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାକୁ ଜମା କରିବା ପାଇଁ ଯାଉଥିଲେ।ଏହି ସମୟରେ ପାଞ୍ଚ ଜଣ ଦୁର୍ବୁତ ଏକ ଇନୋଭା କାର ଆସି ବାଇକକୁ ଧକା ଦେଇଥିଲେ। ଯାହାଫଳରେ ଦୁଇ କର୍ମଚାରୀ ତଳେ ପଡ଼ି ଯାଇଥିଲେ ଏହାପରେ ଦୁର୍ବୁତମାନେ ବନ୍ଧୁକ ଦେଖାଇ ସେମାନଙ୍କ ଠାରୁ ସମସ୍ତ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଦୁର୍ବୁତମାନେ ଆସିବା ସମୟରେ କଳାମୁଖା ପିନ୍ଧିଥିଲେ। ଖବର ପାଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଲୁଟେରାମାନେ ଲୁଟ୍ ପରେ ବ୍ୟବହାର କରିଥିବା କାରକୁ ଗଞ୍ଜାମ ବ୍ରିଜ ଉପରେ ଛାଡ଼ି ଅନ୍ୟ ଏକ କାରରେ ପଳାଇଥିବା ଜଣାପଡ଼ିଛି। ଲୁଟେରାମାନେ ବ୍ୟଵହାର କରିଥିବା ଇନୋଭା କାରଟି ପୁରୀ କୁମ୍ଭାରପଡା ଅଞ୍ଚଳର ଚୋରି ଗାଡ଼ି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଲୁଟ୍ ନେଇ ଚମାଖଣ୍ଡି ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଲୁଟେରା ମାନେ ଖୁବ୍ ଶୀଘ୍ର ଧରା ପଡିବେ ବୋଲି ପୋଲିସ କହିଛି।
