ଜିଲ୍ଲା ପରିକ୍ରମା

ବନ୍ଦ ହେବାକୁ ଯାଉଛି ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଜନଔଷଧୀ କେନ୍ଦ୍ର!

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ପରିସରରେ ଥିବା ସହରର ଏକମାତ୍ର ଜନଔଷଧୀ କେନ୍ଦ୍ର ଏବେ ବନ୍ଦ ହେବା ଅବସ୍ଥାକୁ ଆସିଛି। ଅଧିକାଂଶ ଔଷଧ ଏଠାରେ ଉପଳବ୍ଧ ନାହିଁ। ଫଳରେ ଗତ ୨ବର୍ଷ ମଧ୍ୟରେ ଏହି କେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ଏପରିକି ଗତ ୩ବର୍ଷ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଅଧାରେ ପହଞ୍ଚିଛି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏପରି ଔଷଧ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା ତାହା ପୂରଣ ହେବାନେଇ ସନ୍ଦେହ ସୃଷ୍ଟି ହୋଇଛି। ଅପରପକ୍ଷରେ ବହୁ ସାଧାରଣ ଓ ଗରୀବ ଶ୍ରେଣୀର ରୋଗୀ ଏହା ଦ୍ୱାରା ପ୍ରଭାବିତ ହେବାକୁ ଯାଉଛନ୍ତି। ସାଧାରଣ ଓ ଗରୀବ ଶ୍ରେଣୀର ରୋଗୀଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ଲକ୍ଷ୍ୟ ନେଇ ୨୦୦୯-୧୦ରେ କେନ୍ଦ୍ର ସରକାର ଦେଶସାରା ଜନଔଷଧି କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରି ଔଷଧ କେନ୍ଦ୍ରମାନଙ୍କରେ ବିଭିନ୍ନ ନାମୀଦାମୀ କମ୍ପାନୀ ଔଷଧର ଜେନେରିକ ମେଡ଼ିସିନ ଉପଲବ୍ଧ କରାଇବାର ଲକ୍ଷ୍ୟ ରହିଥିଲା। ଯାହାକୀ ଦାମୀ କମ୍ପାନୀ ଔଷଧ ମୂଲ୍ୟ ଠାରୁ ୮୦ପ୍ରତିଶତ କମ୍। ସେହି ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨୦୧୩ ମସିହାରେ ରେଡ଼କ୍ରସ ସହାୟତାରେ ଆରମ୍ଭ ହୋଇଥିଲା ଜନଔଷଧୀ କେନ୍ଦ୍ର। ୨୪ଘଣ୍ଟିଆ ଔଷଧ ବିତରଣ ପାଇଁ ଏଠାରେ ବ୍ୟବସ୍ଥା ଥିଲା। ସେତେବେଳେ ୪୩ହଜାର ଟଙ୍କାର ବିଭିନ୍ନ ପ୍ରକାର ଔଷଧ ଏହି କେନ୍ଦ୍ରରେ ଉପଲବ୍ଧ କରାଯାଇଥିଲା। ଉକ୍ତ ଜନଔଷଧୀ କେନ୍ଦ୍ରକୁ ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ପ୍ରକାର ପ୍ରଶାସନିକ ଓ ଡ଼ାକ୍ତରମାନଙ୍କ ସହଯୋଗ ମିଳୁଥିଲା। ଫଳରେ ବହୁ ସଂଖ୍ୟକ ରୋଗୀ ଏହି କେନ୍ଦ୍ରରୁ ଔଷଧ କ୍ରୟ କରୁଥିଲେ। କିନ୍ତୁ ଏବେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କ୍ରମାଗତ ଭାବରେ ଏହି କେନ୍ଦ୍ରରେ ବିକ୍ରୀ ହ୍ରାସ ପାଇବା ସହ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। କାରଣ ଏହି କେନ୍ଦ୍ରକୁ ଯେପରି ସହଯୋଗ ମିଳିବା କଥା ସେତକ ମିଳୁନାହିଁ ବୋଲି ଅଭିଯୋଗ ହେଉଛି। ଜିଲ୍ଲା ଚିକିତ୍ସାଳୟ ପରିସରରେ ଥିବା ଏହି ଜନଔଷଧୀ କେନ୍ଦ୍ରରେ ୨୪ଘଣ୍ଟିଆ ଔଷଧ ବିକ୍ରୟର ବ୍ୟବସ୍ଥା ରହିଥିବାରୁ ନିୟମତଃ ୩ଜଣ ଫାର୍ମାସିଷ୍ଟ ରହିବା କଥା। କିନ୍ତୁ ଏପର୍ଯ୍ୟନ୍ତ, ଠାରେ ଅଛନ୍ତି ଜଣେ ଫାର୍ମାସିଷ୍ଟ। ଏହା ବ୍ୟତୀତ କେନ୍ଦ୍ରର ସୁପରିଚାଳନା ନିମିତ୍ତ କମ୍ପୁ୍ୟଟର ପ୍ରିଣ୍ଟର, ଜୀବନରକ୍ଷାକାରୀ ଔଷଧ ପାଇଁ ଫ୍ରିଜ, ଉପଯୁକ୍ତ ଘର ରହିବା କଥା। କିନ୍ତୁ ଜିଲ୍ଲା ଚିକିତ୍ସାଳୟ ପରିସରରେ ନିରାମୟ ଯୋଜନା ଆରମ୍ଭ ହେବାପରେ ଜନଔଷଧୀ ଭଣ୍ଡାରକୁ ଅନ୍ୟ ଏକ ଘରକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଏହି ଔଷଧ କେନ୍ଦ୍ରକୁ କମ୍ପୁ୍ୟଟର ଯୋଗାଇ ଦିଆଯାଇ ନାହିଁ। କେନ୍ଦ୍ରକୁ ଚଳାଇବା ପାଇଁ ଜଣେମାତ୍ର ଫାର୍ମାସିଷ୍ଟ ଥିବାରୁ ଓ ତାଙ୍କୁ ସହଯୋଗ କରିବାକୁ କୌଣସି କର୍ମଚାରୀ ନିୟୋଜିତ ନଥିବାରୁ ୨୪ଘଣ୍ଟିଆ ବିତରଣ ବ୍ୟବସ୍ଥା ସମ୍ଭବ ହୋଇ ପାରୁନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କେନ୍ଦ୍ରରେ ଆବଶ୍ୟକ ପରିମାଣରେ ଔଷଧ ନାହିଁ। ତେବେ ବନ୍ତ ଓ ଧାମନଗର ଠାରେ ଘରୋଇ ଉଦ୍ୟୋଗ ଦ୍ୱାରା ସ୍ଥାପିତ ୨ଟି ଏହି ପ୍ରକାର ଜନଔଷଧୀ କେନ୍ଦ୍ର ଭଲ ଚାଲିଥିବାବେଳେ, ପ୍ରଶାସନିକ ଅସହଯୋଗ ଓ ବିଶେଷକରି କାର୍ଯ୍ୟରତ ଡ଼ାକ୍ତରମାନଙ୍କ ଅଣଦେଖା ମନୋଭାବ ପାଇଁ ଏହା ଠିକ ଭାବରେ ଚାଲି ପାରୁନି ବୋଲି ଅଭିଯୋଗ ଉଠୁଛି। ତଥ୍ୟ ଅନୁଯାୟୀ ୨୦୧୫-୧୬ ମସିହାରେ ଏହି କେନ୍ଦ୍ର ପାଇଁ ୪ଲକ୍ଷ ୨୪ହଜାର ୯୧୬ଟଙ୍କାର ଔଷଧ କ୍ରୟ କରାଯାଇଥିବାବେଳେ, ୫ଲକ୍ଷ ୨୩ହଜାର ୯୩୬ଟଙ୍କାର ଔଷଧ ବିକ୍ରୟ ହୋଇଥିଲା। ମୋଟ ୯ହଜାର ୯୨୮ରୋଗୀ ଏହି ଯୋଜନାରେ ଉପକୃତ ହୋଇଥିଲେ। ସେହିପରି ୨୦୧୬-୧୭ ମସିହାରେ ୫ଲକ୍ଷ ୨ହଜାର ଟଙ୍କାର ଔଷଧ କ୍ରୟ କରାଯାଇଥିବାବେଳେ, ୫ଲକ୍ଷ ୫୦ହଜାର ଟଙ୍କାର ଔଷଧ ବିକ୍ରୀ ହୋଇଥିଲା। ପୂର୍ବବର୍ଷ ତୁଳନାରେ କମ୍ ଅର୍ଥାତ୍ ପ୍ରାୟ ୭ହଜାର ୫ଶହ ରୋଗୀ ସେହି ବର୍ଷ ଉପକୃତ ହୋଇଥିଲେ। କିନ୍ତୁ ୨୦୧୭-୧୮ ମସିହାର ଏହି ଜନଔଷଧୀ କେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବରେ ହ୍ରାସ ପାଇଥିବା ଜଣାପଡ଼ିଛି। ଏହି ଆର୍ଥୀକ ବର୍ଷରେ ମୋଟ ୩ଲକ୍ଷ ୧୫ହଜାର ଟଙ୍କାର ଔଷଧ କ୍ରୟ କରାଯାଇଥିବାବେଳେ, ବିକ୍ରୀ ହୋଇଥିଲା ମୋଟ ୪ଲକ୍ଷ ୧୮ହଜାର ୮ଶହ ଟଙ୍କାର ବିଭିନ୍ନ ପ୍ରକାର ଔଷଧ। ମାତ୍ର ୪ହଜାର ୮୯୫ ରୋଗୀ ଏହି ସମୟ ମଧ୍ୟରେ ଉକ୍ତ କେନ୍ଦ୍ରକୁ ଔଷଧ ପାଇଁ ଆସିଥିବା ଜଣାପଡ଼ିଛି। ତେବେ ଏପରି ଏକ ଜନକଲ୍ୟାଣମୂଳକ ଔଷଧ କେନ୍ଦ୍ର କାହିଁକି ଗରୀବ ଓ ସାଧାରଣ ରୋଗୀଙ୍କ ବିଶ୍ୱାସ ହରାଇ ଚାଲିଛି ସେ ସମ୍ପର୍କରେ କେହି ସମୀକ୍ଷା କରିବାକୁ ଇଛାପ୍ରକାଶ କରୁନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏପ୍ରକାର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରାଜେନ୍ଦ୍ର ପଣ୍ଡା କହିଛନ୍ତିଯେ ନିରାମୟ ଯୋଜନା କାର୍ଯ୍ୟକାରୀ ହେବାପରେ ଜନଔଷଧୀ କେନ୍ଦ୍ରର ବିକ୍ରୟ ପ୍ରଭାବିତ ହୋଇଛି। କାରଣ ରୋଗୀମାନେ ବିନାମୂଲ୍ୟରେ ଔଧେ ପାଇ ପାରୁଛନ୍ତି। ଜିଲ୍ଲାପାଳ ଜ୍ଞାନ ଦାସ ଏ ସମ୍ପର୍କରେ ଗତ ୨ମାସ ଧରି ସମୀକ୍ଷା କରିଛନ୍ତି। ଯେଉଁ ଔଷଧ ନିରାମୟ କେନ୍ଦ୍ରରେ ଉପଲବ୍ଧ ନଥିବ ସେହି ପ୍ରକାର ଔଷଧ ପ୍ରଚୁର ପରିମାଣରେ ଉକ୍ତ କେନ୍ଦ୍ରରେ ମହଯୁଦ ରଖାଯିବାକୁ ପ୍ରଶାସନନିକ ସ୍ତରରେ ନିଷ୍ପତ୍ତି ହୋଇଛି। ଖୁବଶୀଘ୍ର ଜନଔଷଧୀ କେନ୍ଦ୍ର ଗରୀବ ରୋଗୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସକ୍ଷମ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top