କଂଗ୍ରେସର ତୈଳ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ପ୍ରସଙ୍ଗ:
– ଖାଉଟିଙ୍କ ସ୍ୱାର୍ଥ ପାଇଁ ନୁହେଁ ନିଜର ନିହିତ ସ୍ୱାର୍ଥ ପାଇଁ ବିଜେଡି-କଂଗ୍ରେସର ଅସାଧୁ ମେଂଟକୁ ରାଜ୍ୟବାସୀ ବିରୋଧ କରିବେ
– ରାଜ୍ୟର ହୁହୁ ହୋଇ ବଢୁଥିବା ତୈଳଟିକସରୁ ନିଜସ୍ୱ ରୋଜଗାର ଓ କଂଗ୍ରେସ ସମୟରେ ତୈଳବଣ୍ଡ୍ ଋଣ ପ୍ରସଙ୍ଗ ଉଠାଇ ଉଭୟ ଦଳକୁ ସମାଲୋଚନା
ଭୁବନେଶ୍ୱର, ତା.୦୯/୦୯ (ଓଡିଆ ପୁଅ) : ସୋମବାର ଦିନ କଂଗ୍ରେସର ତୈଳ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ବନ୍ଦ ଡାକରା କେବଳ କଂଗ୍ରେସର ନୁହେଁ ବିଜେଡି ଓ କଂଗ୍ରେସର ଯୌଥ ଉଦ୍ୟମ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଧାନସଭାରେ କଂଗ୍ରେସର ବନ୍ଦକୁ ସମର୍ଥନ କରିବା ପାଇଁ କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ଅନୁରୋଧ କରିଥିଲେ। ନବୀନ ବାବୁଙ୍କ ସରକାର ଏଥିରେ କାଳବିଳମ୍ବ ନକରି ସରକାରୀ ପ୍ରାଯୋଜିତ ଅଘୋଷିତ ବନ୍ଦ ପାଇଁ ସ୍କୁଲ, କଲେଜ ବନ୍ଦ ଘୋଷଣା କରି ରାଜ୍ୟ ସରକାରଙ୍କ ସମର୍ଥନକୁ ବ୍ୟକ୍ତ କଲେ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଶ୍ୱ ବଜାରର ସ୍ଥିତି କାରଣରୁ ଦେଶରେ ତୈଳଦର ବୃଦ୍ଧିନେଇ ତାଙ୍କ ଦଳ ଚିନ୍ତିତ ଅଛି। ମାତ୍ର ସାଧାରଣ ଖାଉଟିଙ୍କ ସୁବିଧା ପାଇଁ ନୁହେଁ ବରଂ ନିଜର କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟରେ ବିଜେଡି ଓ କଂଗ୍ରେସ ଅଘୋଷିତ ମେଂଟ କରିଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୪ରେ ତୈଳରୁ ରାଜ୍ୟ ସରକାରଙ୍କ ଭାଟ୍ ୩ ହଜାର କୋଟି ୨୦୧୮ ସୁଦ୍ଧା ୭ ହଜାର କୋଟିରେ ପହଁଚିଛି। ଏହା ଦେଶର କୌଣସି ବି ରାଜ୍ୟ ତୁଳନାରେ ସର୍ବାଧିକ ଓ ୨୦୧୪ ତୁଳନାରେ ୨୦୧୮ରେ ୧୩୯ ପ୍ରତିଶତ ରାଜ୍ୟର ତୈଳଟିକସରୁ ଆୟ ବୃଦ୍ଧି ଘଟିଛି। ଯଦି ଖାଉଟିଙ୍କ ସ୍ୱାର୍ଥ ପ୍ରତି ଚିନ୍ତା ଥାଆନ୍ତା ତାହାହେଲେ ବିଜେଡି ସରକାର ରାଜ୍ୟରେ ନିଜସ୍ୱ ତୈଳ ଟିକସ କମ୍ କରି ସାଧାରଣ ଜନତାଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥାନ୍ତା।
ଅପରପକ୍ଷରେ କଂଗ୍ରେସ ଶାସନ କାଳରେ ତୈଳବଣ୍ଡ ମାଧ୍ୟମରେ ହଜାର ହଜାର କୋଟିଟଙ୍କା ଋଣ କରି ଦେଶର ଭବିଷ୍ୟତ ପୀଢି ଉପରେ ୨୦୨୫ ମସିହା ପଯ୍ୟନ୍ତ ବଡ ଆର୍ଥିକ ବୋଝ ଲଦିଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।
ଓଡିଶାର ସାଧାରଣ ଜନତା ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ ନିଜର ନିହିତ ସ୍ୱାର୍ଥ ପାଇଁ ବିଜେଡି-କଂଗ୍ରେସର ମଧୁଚନ୍ଦ୍ରିକାକୁ ଦୃଢ ବିରୋଧ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
