ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ବ୍ଲକ୍ ସମୁଦ୍ର ନିକଟରେ ଥିବା ଧାମରା ଅଂଚଳର ୮ ଗୋଟି ପଂଚାୟତ ଜନସାଧାରଣ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି। ରାସ୍ତାଘାଟ, ବିଜୁଳି, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଭଳି ଅତ୍ୟାବଶ୍ୟକୀୟ ସୁବିଧା ଏବେବି ଲୋକ ମାନଙ୍କ ପାଖରେ ପହଞ୍ଚି ପାରିନାହିଁ। ଧାମରାରେ ଜିଲାର ସର୍ବବୃହତ ମତ୍ସ୍ୟ ପୋତାଶ୍ରୟ ଥିବା ବେଳେ ଏହିଠାରେ ରହିଛି ସର୍ବବୃହତ ପ୍ରକଳ୍ପ ଧାମରା ବନ୍ଦର କଂପାନୀ। ସବୁଠୁ ଗୁରୁତ୍ୱ ବହନ କରୁଥିବା ଏହି ଅଂଚଳରେ ଲୋକେ ଏବେବି ଅନ୍ଧାରୀ ଜୀବନ ବିତାଉଛନ୍ତି। ଧାମରା ଜନସାଧାରଣ ଚାନ୍ଦବାଲି ଆସିବାକୁ ହେଲେ ଏବେବି ଲୋକେ ଡଙ୍ଗା ଉପରେ ନିର୍ଭର କରୁଛନ୍ତି। ବୈତରଣୀ ନଦୀର ଶାଖା ମନ୍ତେଇ ନଦୀ ଚାନ୍ଦବାଲି ଧାମରାକୁ ବିଚ୍ଛେଦ କରୁଥିବା ବେଳେ ହାବେଳି ଘାଟ, ଚୌଧୁରୀ ଘାଟ, ବାଂଶଡା ଘାଟ, ପଂଚୁଟିକ୍ରୀ ଘାଟ ଉପରେ ବିପଦପୂର୍ଣ୍ଣ ଭାବରେ ଡଙ୍ଗା ପାରି ହେବାକୁ ପଡୁଛି। ଜିଲା ମୁଖ୍ୟାଳୟକୁ ଯିବାକୁ ହେଲେ ୧୩୦ କିମି ବାଟ ବୁଲି ବାସୁଦେବପୁର ବାଟେ ଯିବାକୁ ପଡୁଛି। ଚାନ୍ଦବାଲି ବାଟେ ମାତ୍ର ୫୦ କିମିରେ ବାଧକ ସାଜିଛି ମନ୍ତେଇ ନଦୀ। ଅନ୍ୟପଟେ ବାଂଶଡା-ଧାମରା ରାସ୍ତା ନ କହିବା ଭଲ। ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲେକେ ଯିବାଆସିବା କରୁଥିବାବେଳେ ଦୁଇ ଚକିଆ ଗାଡି ଚଳାଇବା କଷ୍ଟକର। ଧାମରା ନରସିଂହପୁର ଗାଁରେ ପାନୀୟ ଜଳର ସୁବିଧା ନଥିବାରୁ ଲୋକେ ଟିୱେଲ ଉପରେ ନିର୍ଭର କରୁଛନ୍ତି। ଦୁଇ ବର୍ଷରୁ ଉର୍ଦ୍ଧ୍ୱ ପାଇପ୍ ଲାଇନ୍ ବିଛା ଯାଇଥିବାବେଳେ ଏପର୍ଯ୍ୟନ୍ତ ଲୋକଙ୍କ ତୁଣ୍ଡରେ ପାଇପ୍ ପାଣି ବାଜିଲା ନାହିଁ। ସେହିପରି ଜାଗୁଳା ପଂଚାୟତରେ ଲୋକମାନଙ୍କ ପାଇଁ ପାଇପ୍ ଲାଇନ୍ ବିଛାଯାଇଥିବାବେଳେ ଲାଇନ୍ କଟିଗଲେ କଥା ସରିଲା। ୩ ଗୋଟି ଗାଁର ୮ ଗୋଟି ୱାର୍ଡର ୫ ହଜାର ନିର୍ଭର କରୁଥିବା ବେଳେ ପାନୀୟ ଜଳର ବିକଳ୍ପ ମାତ୍ର ୧୨ ଗୋଟି ଟିୱେଲ୍। ପୁଣି ଏଥିରୁ ଅଧିକାଂଡଶ ଟିୱେଲ୍ରୁ ନାଲି ପାଣି ବାହାରୁଥିବାରୁ ସମସ୍ୟା ଉତ୍କଟ ରୂପ ନେଇଛି। ସ୍ୱାଧୀନତାର ୭୧ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଏଭଳି ଗାଁ ଅଛି, ଯେଉଁ ଗାଁକୁ ପାଦଚଲା ରାସ୍ତା ନାହିଁ। କରଣପଲ୍ଲୀ ପଂଚାୟତ ବଇଁଚା ଛକରୁ ୪ ଗୋଟି ଗାଁକୁ ଯିବାକୁ ପାଦଚଲା ରାସ୍ତା ନାହିଁ। ବିଲ ହିଡରେ ଲୋକେ ଯିବା ଆସିବା କରିଥାନ୍ତି। ବାସୁଦେବପୁର-ଧାମରା ରାସ୍ତାର ବଇଁଚା ଛକରୁ ଲମ୍ବିଥିବା ଏହି ରାସ୍ତା ଉପରେ ଦିଅମାଳ, ନଛିପୁର, ବିରସାହି, ଉତ୍ତରସାହିର ପାଖାପାଖି ୫ ଶହରୁ ଉର୍ଦ୍ଧ୍ୱ ପରିବାର ବାସ କରୁଥିବା ବେଳେ ଚାନ୍ଦବାଲିକୁ ଆସିବା ପାଇଁ ଭଲ ରାସ୍ତା ନାହିଁ। ଧାମରା ଅଂଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟନ୍ତ। ସେହିପରି ଜାଗୁଳା ପଂଚାୟତ ଜୟଦୁର୍ଗା ପାଟଣା କାଳୀନାଳୀ ଯୋର ଠାରୁ ବିଦ୍ୟୁତପ୍ରଭା ସ୍କୁଲ ପର୍ଯ୍ୟନ୍ତ ୧ କିମି ପକ୍କା ରାସ୍ତା ନଥିବାରୁ ଲୋକେ ମାଟି ରାସ୍ତାରେ ଯିବା ଆସିବା କରନ୍ତି। ଦୋସିଙ୍ଗା ଠାରୁ ସମିପାଟିଆ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଥିବା ବେଳେ ଅବଧି ସରିଯାଇଥିଲେ ମଧ୍ୟ କାର୍ଯ୍ୟ ଶତକଡା ୧୦ ଭାଗ ସରିନାହିଁ। ଧାମରା ବଜାର ଠାରେ ଥିବା ସ୍ଥାସ୍ଥ୍ୟ କେନ୍ଦ୍ରଟି ଉପରେ ୮ ଗୋଟି ପଂଚାୟତର ଲୋକେ ନିର୍ଭର କରୁଥିବାବେଳେ ଦୀର୍ଘ୩୮ ବର୍ଷ ଧରି ଚାଲିଛି ଭଡାଘରେ। ଧାମରା, ବାଂଶଡା, ଜାଗୁଳା, କୋଇଥଖୋଲା, ଦୋସିଙ୍ଗା, କରଂଜମାଳ, କରଣପଲ୍ଲୀ, ପଂଚୁଟିକି୍ରୀରେ ମୋଟ ୭୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ବାସ କରୁଥିବାବେଳେ ବନ୍ଦର କର୍ମଚାରୀ, ମତ୍ସ୍ୟଜୀବୀ, ପ୍ରତିରକ୍ଷା ବିଭାଗ କର୍ମଚାରୀ, ବିଭିନ୍ନ କଂପାନୀର କର୍ମଚାରୀ ମୋଟ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ବାସ କରୁଥିବାବେଳେ ଦୀର୍ଘ ମାସ ହେବ ଆମ୍ବୁଲାନ୍ସ ଗାଡିଟି ନଥିବାବେଳେ ମେଡିକାଲରେ ଆବଶ୍ୟକୀୟ ଡାକ୍ତର କି କର୍ମଚାରୀ ନାହାଁନ୍ତି ଫଳରେ ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଂଚିତ।
