ବନାଞ୍ଚଳ ବିକାଶ ପାଇଁ ହଜାରେ କୋଟିର ପ୍ରକଳ୍ପ

ସମ୍ବଲପୁର, ୧୧/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ରାଜ୍ୟର ବନାଞ୍ଚଳମାନଙ୍କ ଉନ୍ନତି ପାଇଁ ଜାପାନ ସରକାରଙ୍କ ସହାୟତାରେ ଏକ ହଜାର କୋଟି ଟଙ୍କାର ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ବନାୟନ) ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଆଜି ସମ୍ବଲପୁର ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ବନାୟନ’ର ଉଦଘାଟନୀ ଉତ୍ସବରେ ଜିଲାପାଳ ସମର୍ଥ ବର୍ମା, ଆରସିସିଏଫ ଓମପ୍ରକାଶ ସିଂ, ସିସିଏଫ(କେନ୍ଦୁତ୍ର) ଆର.ସି ସେଠୀ, ଡିଏଫଓ ତଥା ଡ. ସଂଜିତ କୁମାର, ଏସିଏଫ ପଙ୍କଜ କୁମାର ପଣ୍ଡା ଉପସ୍ଥିତ ଥିଲେ। ୨୦୦୬ – ୦୭ରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟର ସଫଳତା ପରେ ‘ବନାୟନ’ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜାପାନ ସରକାର ୮୫୦ କୋଟି ଟଙ୍କା ଓ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ଦେଉଛନ୍ତି। ଏଥିରେ ୧୦ ଜିଲାର ୧୨ଟି ବନ ଡିଭିଜନ ଓ ୨ ଟି ବନ୍ୟପ୍ରାଣୀ ଡିଭିଜନକୁ ସାମିଲ କରାଯାଇଛି। ୧୨ଟି ବନ ଡିଭିଜନରେ ୫୦ଟି ରେଞ୍ଜ ଅଛି ଓ ଏହି ରେଞ୍ଜ ଅଧୀନରେ ୧୨୦୦ ବନ ସୁରକ୍ଷା ସମିତି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ବନ ସୁରକ୍ଷା ସମିତିର ପରାମର୍ଶ କ୍ରମେ ଜଙ୍ଗଲ ସୁରକ୍ଷା, ମୃତ୍ତିକା ସଂରକ୍ଷଣ ଓ ଚାରାରୋପଣ କରାଯିବ। ଜଙ୍ଗଲ ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କୁ ନେଇ ଏସଏଚଜି ଗଠନ କରି ସେମାନଙ୍କ ଆୟବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ଜୀବିକା ଯୋଗାଇ ଦେବାକୁ ଋଣ ଦିଆଯିବ ବୋଲି ଡିଏଫଓ ସଂଜୀତ କୁମାର ସୂଚନା ଦେଇଛନ୍ତି। ସମ୍ବଲପୁରରେ ୩ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ସଦର ଓ ପଡ଼ିଆବାହାଲ ରେଞ୍ଜ ଅନ୍ତର୍ଗତ ୫୫ଟି, ଦ୍ୱିତୀୟ ପର୍ଯ୍ୟାୟରେ ଧମା ରେଞ୍ଜର ୧୫ଟି ଓ ତୃତୀୟ ପର୍ଯ୍ୟାୟରେ ରେଙ୍ଗାଲି ରେଞ୍ଜରେ ୩୦ଟି ବନ ସୁରକ୍ଷା ସମିତିକୁ ମିଶାଇ ମୋଟ ୧୦୦ଟି ବନ ସୁରକ୍ଷା ସମିତି ଅଂଶଗ୍ରହଣ କରିବେ। ବନ ସୁରକ୍ଷା ସମିତି ସହାୟତାରେ ଉଜୁଡ଼ା ଜଙ୍ଗଲ ସଜାଡ଼ିବା ଓ ଜଙ୍ଗଲ ନିକଟରେ ବସବାସ କରୁଥିବା ଅଧିବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ବନାୟନ ଦ୍ୱିତୀୟ ପର୍ଯ୍ୟାୟକୁ ସଫଳ କରିବା ପାଇଁ ଜିଲାସ୍ତରୀୟ ପରାମର୍ଶ କମିଟି(ଡିଏସି) ଓ ଜିଲାସ୍ତରୀୟ ଷ୍ଟିୟରିଂ କମିଟି (ଡିଏଲଏସ୍ସି) ଗଠନ କରାଯିବ। ଏହି କାର୍ଯ୍ୟକ୍ରମ ୨୦୧୭-୧୮ରୁ ଆରମ୍ଭ ହୋଇ ଆସନ୍ତା ୧୦ ବର୍ଷ ଧରି ଚାଲିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *