ବନବିଭାଗ ପକ୍ଷରୁ ୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ମାଲକାନଗିରି, ୧ା୭ (ଓଡିଆ ପୁଅ ) ମାଲକାନଗିରି ବନବିଭାଗ କର୍ମଚାରି ମାନେ ଜିଲ୍ଲାସଦର ମହକୁମା ଠାରେ ଥିବା ଜଣଙ୍କ ଘରୁ ଏକ ୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛନ୍ତି। ମାଲକାନଗିରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେଲା ବିଷଧର ସାପଙ୍କ ପାଦୃଭାବ ଲାଗିଛି। ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ସେମାନେ ବଣଜଙ୍ଗଲ ବିଳ ଛାଡି ଏବେ ସହର ଅଭିମୁଖେ ଯାତ୍ରା ଆରମ୍ଭ କରି ଦେଇଛନ୍ତି। ଗତ ୧୫ଦିନ ମଧ୍ୟରେ ସାପ କାମୁଡାରେ ପ୍ରାୟ ୩ ଜଣଙ୍କର ମୃତ୍ୟୁ ହେବା ସହିତ ୫ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସା ହେବାପରେ ଭଲହୋଇଛନ୍ତି। ଜିଲ୍ଲାସଦର ମହକୁମାସ୍ଥ ଭୈରବୀ କଲୋନିର ଜଣଙ୍କ ଘରେ ଏକ ଅଜଗର ସାପ ପସି କୁକୁଡା ଛୁଆ ଖାଉଥିବା ସମୟରେ ଘର ଲୋକମାନେ ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ। ବିରାଟ ଅଜଗର ସାପକୁ ଦେଖି ଗ୍ରାମବାସୀ ମାନେ ଡରି ଯାଇ ବନବିଭାଗକୁ ଫୋନ କରିଥିଲେ। ଫୋନପାଇ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ, ବନପାଳ ଦିପଙ୍କର ସିଉଳି, ରାଜେଶ କୁମାର ସେଠି ପ୍ରମୁଖ ବନ କର୍ମଚାରି ମାନଙ୍କ ସହିତ ସ୍ନେକ ହେଲ୍ପ ଲାଇନର କର୍ମୀ ମାନେ ସେଠାରେ ପହଁଚି କୌଶଳ କ୍ରମେ ଉକ୍ତ ଅଜଗର ସାପକୁ ଜୀବନ୍ତ ଉଦ୍ଧାର କରିଥିଲେ। ସେହି ସାପଟିକୁ ମାଲାକାନଗିରି ସହର ଠାରୁ କିଛି ଦୂର ବାଟପାଲି ଘଞ୍ଚ ଜଙ୍ଗଲରେ ନେଇ ବନ କର୍ମଚାରି ମାନେ ଛାଡି ଦେଇଛନ୍ତି।

Leave a Reply

Your email address will not be published. Required fields are marked *