ବନବାସପୁର କ୍ଷତିଗ୍ରସ୍ତ ପ୍ରଜାଙ୍କ ଦ୍ୱାରା ହିଙ୍ଗୁଳା ଖଣିରେ ବନ୍ଦ ଆନେ୍ଦାଳନ

ତାଳଚେର,୩୧/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନେକବାର ପ୍ରତିଶୃତି ଦେଇ ନିଯୁକ୍ତି ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାର ପ୍ରତିବାଦରେ ତାଳଚେର ବ୍ଲକ ଗୋପାଳପ୍ରସାଦ ପଂଚାୟତ ଅନ୍ତର୍ଗତ ବନବାସପୁର ଗ୍ରାମବାସୀମାନେ ଏମ୍.ସି.ଏଲ୍ ହିଙ୍ଗୁଳା କୋଇଲାଖଣିରେ ବନ୍ଦ ଆନେ୍ଦାଳନ କରିଥିଲେ । ଦୀର୍ଘ ସମୟ ଧରି ଗ୍ରାମବାସୀମାନେ ହିଙ୍ଗୁଳା ଟାଇମ୍ ଅଫିସ,ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଶାଳବଣିଆସ୍ଥିତ ପରିବହନ ରାସ୍ତାରେ ଆନେ୍ଦାଳନ କରିବାରୁ କୋଇଲା ଉତୋଳନ ଓ ପରିବହନ କାର୍ଯ୍ୟ ସଂପୂର୍ଣ୍ଣ ବ୍ୟାହତ ହୋଇଥିଲା । ସୂଚନାରୁ ପ୍ରକାଶ,ବନବାସପୁର ଗ୍ରାମର ୧୧ଜଣ କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରାଯାଇନାହିଁ । ସେମାନଙ୍କର ମେଡିକାଲ୍ ଟେଷ୍ଟ ହୋଇସାରଥିବା ବେଳେ ନିଯୁକ୍ତି ସମ୍ବନ୍ଧୀୟ ଆବଶ୍ୟକୀୟ କାଗଜପତ୍ରକୁ ଏଫ୍.ଡି କରିବା ନିମନ୍ତେ ଏମ୍.ସି.ଏଲ୍ ମୁଖ୍ୟାଳୟକୁ ଗତ ବର୍ଷ ନଭେମ୍ବର ମାସରେ ପଠାଯାଇଛି । ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏହାର ପ୍ରତିବାଦରେ ଗ୍ରାମବାସୀମାନେ ଚଳିତ ମଇ ମାସ ୭ତାରିଖ ଦିନ ହିଙ୍ଗୁଳା କୋଇଲାଖଣିରେ ବନ୍ଦ ଆନେ୍ଦାଳନ କରିଥିଲେ । ଚଳିତ ମଇ ମାସ ୩୦ ତାରିଖ ସୁଦ୍ଧା ୧୧ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତିପତ୍ର ଦିଆଯିବ ବୋଲି ଖଣି କର୍ତୃପକ୍ଷ ଲିଖିତ ପ୍ରତିଶୃତି ଦେବାରୁ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ଖଣି କର୍ତୃପକ୍ଷ ଦେଇଥିବା ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନଥିବାରୁ ଏହାର ପ୍ରତିବାଦରେ ବନବାସପୁର ଗ୍ରାମବାସୀଙ୍କ ପକ୍ଷରୁ ଅନିଦ୍ଦିଷ୍ଟ ସମୟ ପାଇଁ ଖଣି ବନ୍ଦ ଆନେ୍ଦାଳନ କରାଯାଇଥିଲା । ତେବେ ଖବରପାଇ ଏମ୍.ସି.ଏଲ୍ ଖଣି ଅଧିକାରୀ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ସୋମବାର ସୁଦ୍ଧା ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେବାରୁ ଅପରାହ୍ନ ୨ଟାରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।

Leave a Reply

Your email address will not be published. Required fields are marked *