ବଦଳୁନି ଲାଲଟାଙ୍କିର ଚିତ୍ର!

ରାଉରକେଲା ୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦକ୍ଷିଣ ରାଉରକେଲାରେ ଥିବା ବିଭିନ୍ନ ବସ୍ତି ଏବେବି ଅବହେଳିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ତଥା ଆରଏସପି ପକ୍ଷରୁ ଏହି ବସ୍ତି ଗୁଡିକ ପ୍ରତି ଧ୍ୟାନ ଦିଆଯାଉ ନଥିବାରୁ ଏଠାକାର ବାସିନ୍ଦା ମାନେ ଦୁର୍ଦ୍ଦିନ ମଧ୍ୟରେ କାଳ କାଟୁଛନ୍ତି। ଏହାର ଏକ ନଗ୍ନ ନମୁନା ଲାଲଟାଙ୍କି ଅଂଚଳକୁ ଅଂଚଳକୁ କୁହାଯାଇପାରେ। ଆଜି ଯାଏ ବଦଳି ପାରିନି ଲାଲଟାଙ୍କିର ଚିତ୍ର। ଏହି ଅଂଚଳ ଥିବା କିଛି ବସ୍ତିରେ ମୌଳିକ ସୁବିଧା ଲୋକଙ୍କୁ ମିଳି ପାରୁନଥିବା ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ୫୦ ବର୍ଷର ଏହି ପୁରାତନ ଅଂଚଳରେ ଥିବା ବସ୍ତି ଗୁଡ଼ିକରେ ବର୍ଷର ଅଧିକାଂଶ ସମୟ ପାନୀୟ ଜଳ ସଙ୍କଟ ଲାଗି ରହିଥାଏ। ବିଶେଷ କରି ଗ୍ରୀଷ୍ମ ରୁତୁରେ ପାନୀୟ ଜଳ ସଙ୍କଟ ଉତ୍କଟତର ହୋଇଥାଏ। ସେହି ସମୟରେ ପାନୀୟ ଜଳ ସଂଗ୍ରହ କରିବା ଲାଗି ବସ୍ତି ବାସିନ୍ଦାଙ୍କୁ ୧ରୁ ୨ କିଲୋମିଟର ଚାଲିକି ଯାଇ ପାଣି ସଂଗ୍ରହ କରିବାକୁ ପଡ଼େ। ଯଦିଓ ଏଠାରେ ନଳକୂପର ବ୍ୟବସ୍ଥା ଅଛି, ମାତ୍ର ଖରାଦିନେ ଏହା ମଧ୍ୟ ଅଚଳ ହୋଇପଡ଼େ ବୋଲି କିଛି ବସ୍ତି ବାସିନ୍ଦା ପ୍ରକାଶ କରନ୍ତି। ସେହିପରି ଳାଲଟାଙ୍କିରେ ରାସ୍ତାର ଅବସ୍ଥା ନ କହିଲେ ଭଲ। ରାସ୍ତାର ଦୂରାବସ୍ଥା ଯୋଗୁ ଅଂଚଳବାସୀ ସୁବିଧାରେ ଯାତାୟତ କରି ପାରୁନଥିବା ଅଭିଯୋଗ ହୋଇଛି। ବର୍ଷାଦିନରେ ରାସ୍ତାଟି କାଦୁଅପୂର୍ଣ୍ଣ ହୋଇଯିବା କାରଣରୁ ବସ୍ତି ବାସିନ୍ଦା ତଥା ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଆଲୋକ ବ୍ୟବସ୍ଥାକୁ ଦେଖିଲେ, ଏଠାକାର କିଛି ଜାଗାରେ ବିଦ୍ୟୁତ ଖୁଂଟ ଅଛି ହେଲେ ଲାଇଟ ନାହିଁ। ଦିନର ପ୍ରାୟ ସମୟ ଅଘୋଷିତ ବିଦ୍ୟୁତକାଟ ବସ୍ତିବାସୀଙ୍କ ଜୀବନକୁ ଦୁର୍ବିସହ କରିଦେବା ଭଳି ମନେ ହୁଏ। ସାରା ସହରରେ ସ୍ୱଚ୍ଛ ଭାରତ ମିଶନ ଚାଲୁଥିବା ବେଳେ, ଲାଲଟାଙ୍କିରେ କିନ୍ତୁ ଏହା ଦେଖିବାକୁ ମିଳୁନାହିଁ। ଏଠାରେ ପରିମଳ ଏକପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ବୁଲା କୁକୁର, ଘୁଷୁରୀ ଆଦି ଅଳିଆ ଅବାର୍ଜନାରେ ବିଚରଣ କରିବା ଯୋଗୁ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଣୁ ପ୍ରଶାସନ ଏହି ସମସ୍ୟା ଗୁଡିକ ପ୍ରତି କର୍ଣ୍ଣପାତ କରି ଏହାର ସମାଧାନ କରିବାକୁ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *