ଜିଲ୍ଲା ପରିକ୍ରମା

ବଦଳିଲା ପଞ୍ଚାୟତ ଉନ୍ନୟନ କାର୍ଯ୍ୟକ୍ରମର ମାର୍ଗଦର୍ଶିକା ସରକାରୀ କର୍ମଚାରୀ ହେବେ ଠିକାଦାର!

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗ୍ରାମ ପଞ୍ଚାୟତ କିମ୍ବା ପଞ୍ଚାୟତ ସମିତି ସ୍ତରରେ ଉନ୍ନୟନ କାର୍ଯ୍ୟକ୍ରମର ରୂପାୟନ ଲାଗି ପଞ୍ଚାୟତିରାଜ ବିଭାଗର ପୂର୍ବର ସମସ୍ତ ମାର୍ଗଦର୍ଶିକା(ଗାଇଡଲାଇନ)କୁ ରାଜ୍ୟ ସରକାର ଏବେ ସଂଶୋଧନ କରିଛନ୍ତି। ଏ ସଂପର୍କିତ ଏକ ନିର୍ଦ୍ଦେଶନାମା ସରକାର ଗତ ୧୩ ତାରିଖ ଜାରି କରିଛନ୍ତି। ଉକ୍ତ ନିର୍ଦ୍ଦେଶନାମା ଏବେ ପଞ୍ଚାୟତ ଓ ବ୍ଲକ ସ୍ତରରେ ପହଞ୍ଚିବା ପରେ ସରକାରଙ୍କ ମତିଗତିକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଗତ ୧୩ ତାରିଖରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଉନ୍ନୟନ କାର୍ଯ୍ୟକ୍ରମର ରୂପାୟନ ଲାଗି ପୂର୍ବର ସମସ୍ତ ମାର୍ଗଦର୍ଶିକାର ସଂଶୋଧନ କରି ଏକ ପ୍ରସ୍ତାବ(ନଂ ୧୩୨୨୦) ପାରିତ ହୋଇଛି। ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟର ସମସ୍ତ ପଞ୍ଚାୟତକୁ ନିର୍ଦ୍ଦେଶ ଦିଆଯାଇଛି। ସଂଶୋଧିତ ମାର୍ଗ ଦର୍ଶିକା ଅନୁଯାୟୀ, ପଞ୍ଚାୟତ ସ୍ତରରେ ରାସ୍ତାଘାଟ ନିର୍ମାଣଠାରୁ ଆରମ୍ଭ କଲ୍ୟାଣ ମଣ୍ଡପ, ପୋଖରୀତୁଠ ଯାଏ ସବୁ ନିର୍ମାଣ କାର୍ଯ୍ୟ ଏବେ ଡିପାର୍ଟମେଣ୍ଟାଲ ହେବ। ପୂର୍ବରୁ ଏହିସବୁ କାମ କାହା ଦାୟିତ୍ୱରେ ହେବ ସେନେଇ ପଞ୍ଚାୟତର ପଲ୍ଲୀସଭା ନାମ ଚୂଡାନ୍ତ କରୁଥିଲା। ପଲ୍ଲୀସଭା ଚୟନ କରୁଥିବା ବ୍ୟକ୍ତି(ଭିଏଲଏଲ)ଙ୍କ ନାମରେ ଉନ୍ନୟନ କାର୍ଯ୍ୟର କାର୍ଯ୍ୟାଦେଶ (ୱାର୍କଅର୍ଡର) ଇସୁ୍ୟ କରାଯାଉଥିଲା। କିନ୍ତୁ ଏବେ ସରକାର କହୁଛନ୍ତି ଯେ, ସେହି ପ୍ରକ୍ରିୟାରେ ଉନ୍ନୟନ କାର୍ଯ୍ୟ ବିଳମ୍ବ ହେଉଛି। ଏଣୁ ପଞ୍ଚାୟତ ସ୍ତରରେ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ ଠିକ ସମୟରେ ପ୍ରକଳ୍ପ ଶେଷ କରିବା ଲାଗି ବିଭାଗୀୟ କର୍ମଚାରୀଙ୍କ ନାମରେ କାର୍ଯ୍ୟାଦେଶ ଇସୁ୍ୟ କରାଯିବ। ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ସରକାର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ସେଥିରେ କୁହାଯାଇଛି ଯେ, ପଞ୍ଚାୟତ ସ୍ତରରେ ୧୦ ଲକ୍ଷ ଟଙ୍କା ଯାଏ ବ୍ୟୟ ଅଟକଳ ଥିବା ପ୍ରକଳ୍ପ ଲାଗି ବିଭାଗୀୟ କର୍ମଚାରୀଙ୍କ ନାମରେ କାର୍ଯ୍ୟାଦେଶ ଇସୁ୍ୟ କରାଯିବ। ପୂର୍ବରୁ ଭିଏଲଏଲମାନଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଇସୁ୍ୟ ହୋଇପାରୁଥିଲା। ତେବେ ୧୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ଅଟକଳ ଥିବା ପ୍ରକଳ୍ପ କାର୍ଯ୍ୟର ଠିକାଦାର ଚୟନ ଟେଣ୍ଡର ମାଧ୍ୟମରେ କରାଯିବ। ତେବେ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ, ଜିଟିପିଏ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଇସୁ୍ୟ ହେବ। ଏହି ଅଧିକାରୀମାନେ ନିର୍ମାଣ ଦାୟିତ୍ୱ ବୁଝିବେ। ସମସ୍ତ ବିଲ ଭାଉଚର ପ୍ରସ୍ତୁତ କରି ତାହାକୁ ଦାଖଲ କରିବେ। ଯେଉଁ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଅଥବା ଜିଟିପିଏଙ୍କ ନାମରେ କାର୍ଯାଦେଶ ଇସୁ୍ୟ କରାଯିବ ସେହି ପଞ୍ଚାୟତରେ ଅନ୍ୟଜଣେ କନିଷ୍ଠ ଯନ୍ତ୍ରୀ ନିର୍ମାଣ କାର୍ଯ୍ୟର ମାପଚୁପ କରିବେ। ସମସ୍ତ କାର୍ଯ୍ୟ ଲାଗି ବୈଷୟିକ ମଞ୍ଜୁରି, ପ୍ରଶାସନିକ ମଞ୍ଜୁରି ଆବଶ୍ୟକ ପଡିଛି। ପୂର୍ବରୁ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ୬ ଲକ୍ଷ ଟଙ୍କା ଯାଏ ପ୍ରକଳ୍ପକୁ ବୈଷୟିକ ମଞ୍ଜୁରି ପ୍ରଦାନ କରୁଥିବା ବେଳେ ନୂଆ ମାର୍ଗଦର୍ଶିକା ଅନୁଯାୟୀ ସହକାରୀ ଯନ୍ତ୍ରୀମାନେ ୧୦ ଲକ୍ଷ ଟଙ୍କା ଯାଏ ପ୍ରକଳ୍ପକୁ ଅନୁମୋଦନ କରିବେ ବୋଲି କୁହାଯାଇଛି। ତେବେ ସମସ୍ତ ପ୍ରକଳ୍ପର ନିର୍ମାଣ ପୂର୍ବର ଫଟୋଗ୍ରାଫ, ନିର୍ମାଣ ଚାଲୁଥିବା ବେଳେ ଫଟୋଗ୍ରାଫ ଓ ନିର୍ମାଣ ଶେଷ ହେବା ପରେ ଫଟୋଗ୍ରାଫ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ‘ଆମ ଗାଁ ଆମ ବିକାଶ’, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଅର୍ଥ କିଶନଙ୍କ ଅନୁଦାନ ସମେତ ପ୍ରାୟ ସମସ୍ତ ଯୋଜନାର ନିର୍ମାଣ କାର୍ଯ୍ୟ ଲାଗି ଏହି ସଂଶୋଧିତ ମାର୍ଗଦର୍ଶିକା କାର୍ଯ୍ୟକାରୀ କରିବାକୁ ସରକାର ନିେର୍ଦ୍ଦେଶ ଦେଇଛନ୍ତି। ଏପରିକି ଯଦି କୋ÷ଣସି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଲାଗି ପଲ୍ଲୀସଭାରୁ ଚୟନ ହୋଇଥିବା ବ୍ୟକ୍ତିଙ୍କ ନାମରେ କାର୍ଯ୍ୟାଦେଶ ଇସୁ୍ୟ ହୋଇସାରିଛି ଅଥଚ କାର୍ଯ୍ୟ ଆରମ୍ଭ ହୋଇନାହିଁ, ସେ କ୍ଷେତ୍ରରେ ଉକ୍ତ କାର୍ଯ୍ୟାଦେଶକୁ ରଦ୍ଦ କରି ବିଭାଗୀୟ କର୍ମଚାରୀଙ୍କ ନାମରେ ଇସୁ୍ୟ କରିବାକୁ କୁହାଯାଇଛି। ଏହି ନୂଆ ମାର୍ଗଦର୍ଶିକା ତୁରନ୍ତ କାର୍ଯ୍ୟକାରୀ ହେଲା ବୋଲି ମଧ୍ୟ ସ୍ପଷ୍ଟ କରିଦିଆଯାଇଛି। ସରକାରଙ୍କ ଏହି ନୂଆ ମାର୍ଗଦର୍ଶିକାକୁ ଭଦ୍ରକ ଜିଲା ବିଜେପି ସଭାପତି ବଦ୍ରି ନାରାୟଣ ଧଳ ତୀବ୍ର ସମାଲୋଚନା କରିଛନ୍ତି। ନିର୍ବାଚନୀ ବର୍ଷରେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଠିକାଦାର କରିଦେବାକୁ ଯୋଜନା କରିଛନ୍ତି ବୋଲି ଶ୍ରୀ ଧଳ କହିଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାରେ ଲୋକଙ୍କ ହାତରେ କ୍ଷମତା ଦିଆଯାଇଥିବା କଥା କୁହାଯାଉଥିବା ବେଳେ ସରକାରଙ୍କ ଏହି ନୂତନ ମାର୍ଗଦର୍ଶିକା ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି କୁଠାରଘାତ ବୋଲି ଶ୍ରୀ ଧଳ କହିଛନ୍ତି। ପଞ୍ଚାୟତ ସ୍ତରରେ ପଲ୍ଲୀସଭା ମାଧ୍ୟମରେ କାର୍ଯ୍ୟାଦେଶ ପାଇବାକୁ ଥିବା ବ୍ୟକ୍ତିଙ୍କ ନାମ ଚୟନ ହେବାର ବିଧିକୁ ସରକାର ରଦ୍ଦ କରିବା ପରେ ସରକାରଙ୍କ ଭୟ ପଦାରେ ପଡିଛି। ସମ୍ଭବତଃ ଗାଁ ଗଣ୍ଡାରେ ସରକାରୀ ଦଳ ସପକ୍ଷରେ ଜନମତ ନଥିବା ସରକାର କୋ÷ଣସି ପ୍ରକାରେ ଜାଣିବାକୁ ପାଇଛନ୍ତି। ଏଣୁ ଏଥିରୁ ବର୍ତ୍ତିବା ତଥା ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ କରିବା ଆଳରେ ସରକାରୀ କର୍ମଚାରୀଙ୍କୁ ମୋହରା ବନାଇବାର ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ଧଳ କହିଛନ୍ତି। ସରକାରଙ୍କ ହାବଭାବ ଏଥିରୁ ସ୍ପଷ୍ଟ ହେଉଛି ଓ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ଧଳ ଏକ ପ୍ରେସ ବିବୃତିରେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top