ବଢିବ ସେବକଙ୍କ ବାର୍ଦ୍ଧକ୍ୟ ଭତ୍ତା

ପୁରୀ:୦୫/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସେବକ ପରିବାରର ବୃଦ୍ଧ, ବିଧବା ଏବଂ ଭିନ୍ନକ୍ଷମଙ୍କ ମାସିକଭତା ୧୫ ଶହ ଟଙ୍କା ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ହବିଷ କରୁଥିବା ବିଧବାଙ୍କୁ ୧୦୦୦ଟଙ୍କା ଲେଖାଏଁ ସହାୟତା ଦେବାକୁ ବୁଧବାର ଅନୁଷ୍ଠିତ ସେବକ କଲ୍ୟାଣ କମିଟି ବୈଠକରେ ସ୍ଥିର କରାଯାଇଛି। +୨ପରେ ଉଚ୍ଚଶିକ୍ଷା ପାଇଁ ସେବକ ପରିବାରର ଛାତ୍ରଛାତ୍ରୀଙ୍କ ଛାତ୍ରବୃତି ପରିମାଣ ୫୦%ବୃଦ୍ଧି କରାଯିବ। ଏକ୍ଷେତ୍ରରେ ଛାତ୍ରୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବାକୁ ବୈଠକରେ ସ୍ଥିର ହୋଇଛି। ସେବକ ପରିବାର ଯୁବକ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଯୋଜନାରେ ବୈଷୟିକ ତାଲିମ ପ୍ରଦାନ କରାଯିବା ସହ ବ୍ୟାଙ୍କ ଋଣ ଦିଆଯାଇ ଆତ୍ମନିର୍ଭରଶୀଳ କରାଯିବ। ସେବକମାନେ ସମବାୟ ସମିତି ଗଠନ କରି ଅର୍ଥ ସଂଚୟ ଏବଂ ନେଣଦେଣ କରିପାରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ସହଯୋଗ ଯୋଗାଇ ଦେବବୋଲି ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସନ ଅରବିନ୍ଦ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଗରିବ ସେବାୟତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ଦିଆଯିବ। ପୈାରସଂସ୍ଥା ପକ୍ଷରୁ ଏଥିପାଇଁ ପଦକ୍ଷପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେବକ କଲ୍ୟାଣ ଯୋଜନା ଅଧିକ ତ୍ୱରାନ୍ୱିତ କରାଯିବା ସହ ସେବକଙ୍କୁ ଚିକିତ୍ସା ଓ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ ନିମନ୍ତେ ଦାବି ହୋଇଛି। ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରଶାସକ ପ୍ରଦୀପ କୁମାର ଦାଶ, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ପୈାରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ଡଃ ସିଦ୍ଦେଶ୍ୱର ମହାପାତ୍ର, ମାଧବ ମହାପାତ୍ର, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ମାଧବ ପୂଜାପଣ୍ଡା, ଅନନ୍ତ ତିଆଡ଼ି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *