ବଡବିଲ ପୁଲିସର ବଡ ସଫଳତା ; ଏଟିଏମ୍ ଲୁଟ ଓ ନିଆଁ ଲଗାଇବା ଘଟଣାରେ ୩ ଅଭିଯୁକ୍ତ ଗିରଫ, ୧ଲକ୍ଷ ୮୫ ହଜାର ଟଙ୍କା ଜବତ

ଯୋଡା- ତା ୧୭/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଓଏମ୍ସି ଛକ ଠାରେ ୨ ଦିନ ତଳେ ଘଟିଥିବା ଏସି.ବି.ଆଇ. ଏଟିଏମ୍ରୁ ଲୁଟ ଓ ନିଆଁ ଲଗାଇବା ଘଟଣାର ଆଜି ବଡବିଲ ପୁଲିସ ପର୍ଦ୍ଦାଫାଶ କରିଛି । ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ଲକ୍ଷ ୮୫ ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତମାନେ ହେଲେ କ୍ୟାସ ଲୋଡିଂ ଏଜେନ୍ସି ଏସ୍.ଆଇ. ଏସ୍ର କର୍ମଚାରୀ ପଙ୍କଜ କୁମାର ମହାରଣା, ବଡବିଲ ଗୁରୁଦ୍ୱାରା ରୋଡସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ର ସୁରକ୍ଷାକର୍ମୀ ପ୍ରଶାନ୍ତ କୁମାର ପାତ୍ର ଓ ଅନ୍ୟ ଜଣେ ସୁରକ୍ଷାକର୍ମୀଙ୍କ ସମ୍ପର୍କୀୟ ଭାଇ ରାଜୁ ପାତ୍ର ବୋଲି ଜଣାପଡିଛି । ଅଭିଯୁକ୍ତ ପଙ୍କଜ କୁମାର ମହାରଣା ଘର ପାଟଣା ଥାନା ପାଟକୁଡରେ ହୋଇଥିବା ବେଳେ ସୁରକ୍ଷାକର୍ମୀର ଘର ବଡବିଲ ସାଧୁସିଂ ହାଟିଂ ଓ ତାଙ୍କ ଭାଇ ରାଜୁର ଘର ପିଏଚ୍ଡି ଅଞ୍ଚଳର ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କ୍ୟାସ ଲୋଡିଂ ଏଜେନ୍ସି ଏସ୍.ଆଇ.ଏସ୍ର କର୍ମଚାରୀ ପଙ୍କଜ କୁମାର ମହାରଣା ଏଟିଏମ୍ର ପାସ୍ ୱାର୍ଡ ସମ୍ପୃକ୍ତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ର ସୁରକ୍ଷା କର୍ମୀ ପ୍ରଶାନ୍ତ କୁମାର ପାତ୍ରଙ୍କୁ ଦେଇଥିବା ବେଳେ ଘଟଣା ଦିନ ପ୍ରଶାନ୍ତ ଓ ତାଙ୍କ ଭାଇ ରାଜୁ ମିଶି ଏହି ଘଟଣାଟିକୁ ରୂପ ଦେଇଥିଲେ । ଗତ ୧୪ ତାରିଖ ବିଳମ୍ବିତ ରାତିରେ ଏଟିଏମ୍ ମେସିନ୍କୁ ତାଡି ଲୁଟ କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ମେସିନରେ ନିଆଁ ଲଗାଇ ଦେଇଥିଲେ । ଏଥି ସହ ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାକୁ ମଧ୍ୟ ପୋଡି ଦେଇଥିଲେ । ତେବେ ପୁଲିସ ଘଟଣାର ଛାନଭିନ୍ କରିଥିଲେ । ଏଟିଏମ୍ରେ ୨ଲକ୍ଷ ୪୭ ହଜାର ଟଙ୍କା ସର୍ଟେଜ ଥିବା ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ଠାରୁ ଜଣାପଡିଥିଲା । ସିସିଟିଭି ଫୁଟେଜ ମାଧ୍ୟମରେ ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ୨ ଭାଇଙ୍କୁ ଧରିବାରେ ସକ୍ଷମ ହୋଇଥିଲା ଏ ସେମାନଙ୍କୁ ପଚରା ଉଚରା ପରେ କ୍ୟାସ ଲୋଡିଂ ଏଜେନ୍ସି ଏସଆଇଏସ୍ ର କର୍ମଚାରୀକୁ ଗିରଫ କରିଥିଲା । ଅଭିଯୁକ୍ତମାନେ ଲୁଟ କରିଥିବା ଟଙ୍କାକୁ ଏକ ପ୍ଲାଷ୍ଟିକ ଡବାରେ ପୁରାଇ ଯୋଡା ଥାନା ଝରଣ ପାହାଡର ଏକ ଗଛରେ ରଖିଥିବା ବେଳେ ପୁଲିସ ଏହାକୁ ଉଦ୍ଧାର କରିଥିଲା ।

Leave a Reply

Your email address will not be published. Required fields are marked *