ବଡଚଣାରେ ଟିଟୋ ଲିଙ୍କ୍: ଭିଜିଲାନ୍ସ ଟିମ ଦ୍ୱାରା ଦର୍ପଣ ତହସିଲରେ ଚଢାଉ

ଯାଜପୁର, ୩୧/୭(ଓଡିଆପୁଅ/ମାନସ ରାଉତ)-ଟିଟୋ ଲିଙ୍କରେ ଥିବା ବେଆଇନ ମୋରମ ଓ ବାଲି ଲିଜ ଦେବା ଓ ଚୋରା ଚାଲାଣର ତଥ୍ୟ ସଂଗ୍ରହ କରିବା ପାଇଁ ଆଜିକଟକ ଭିଜିଲାନର ୨ଜଣିଆ ଟିମ ଦର୍ପନ ତହସିଲରେ ଚଢାଉ କରିଥିଲେ। ଭିଜିଲାନ୍ସ ଡି.ଏସ.ପି ସୁରେସ କୁମାର ଦାସ ଓ ସନ୍ଧ୍ୟାରାଣି ସାହୁ ମଧ୍ୟାହ୍ନ ୧୨ଟାରେ ଓଡି୦୫ଏଚ. ୨୨୨୩ ଗାଡିରେ ଆସି ଦର୍ପଣ ତହସିଲରେ ପହଂଚି ଟିଟୋ ଓ ତାର ସମ୍ପର୍କୀୟଙ୍କ ନାମରେ ଲିଜ ଦିଆଯାଇଥିବା ବାଲି ଓ ମୋରମର କାଗଜପତ୍ରର ତନଖି କରିଥିଲେ। ନିଜେ ଡି.ଏସ.ପି. ସୁରେସ କୁମାର ଦାସ କମ୍ପୁଟର ରୁମରେ ଉପସ୍ଥିତ ରହି ଲିଜ କାରବାରରେ ଚଂଚକତା ହୋଇଛି କି ନାହିଁ ତାହାର ସରଜମିନ ତଦନ୍ତ କରିଥିଲେ। ତଦନ୍ତ ସମୟରେ ଦର୍ପଣ ତହସିଲଦାର ଅଶୋକ ଦାସ ନିଜ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ଲିଜ କାରବାରର କିଛି ଫାଇଲପତ୍ର ଜବତ କରି ଭିଜିଲାନ୍ସ ଟିମ ନେଇଥିବା ଜନାପଡିଛି। ଏଠାରେ ସୂଚନା ଯୋଗ୍ୟ ଯେ ଟିଟୋ ତାର ସମ୍ପର୍କୀୟ ନାମରେ ଚାରିନଙ୍ଗଳ, ମଝିପଡା, ସାଉଡିଆ, ଅଚ୍ୟୁତବସନ୍ତ ଓ ମାଣ୍ଡୁକା ଅଂଚଳରେ ବେଆଇନ ଭାବେ ମୋରମ ଓ ବାଲି ଖନ କରି ଶହଶହ ଟ୍ରିପ ଚୋରା ଚାଲାଣ କରୁଥିଲା। ସମ୍ପର୍କୀୟଙ୍କ ନାମରେ କିଛି ଜମି ଲିଜ ଥିବା ବେଳେ ଏକର ଏକର ଜଙ୍ଗଲ ଜମିରୁ ମୋରମ ତାଡି ବିକ୍ରି କରୁଥିଲା। ଏହାଦ୍ୱାରା ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ୱ ହାନି ଘଟୁଥିଲା। ଏହି ରାଜସ୍ୱ ହାନିରେ ଦର୍ପଣ ତହସିଲର କିଛି କର୍ମଚାରୀଙ୍କ ହାତ ରହିଛି କି ନାହିଁ ତାହା ମଧ୍ୟ ଭିଜିଲାନ୍ସ ଟିମ ଦ୍ୱାରା ତଦନ୍ତ କରାଯାଇଛି ବୋଲି ଏକ ନିର୍ଭର ଯୋଗ୍ୟ ସୁତ୍ରରୁ ଜଣା ପଡିଛି।

Leave a Reply

Your email address will not be published. Required fields are marked *