ଓଡ଼ିଶା

ବଜେଟ ୨୦୧୮-୧୯ – ମୁଖ୍ୟାଂଶ

– ଲୋକସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ
– ବଜେଟରେ ୨୪, ୪୨, ୨୧୩ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ
– ଗ୍ରାମାଂଚଳ ଭିତିଭୂମି ନିର୍ମାଣ ଲାଗି ମୋଟ ୧୪.୩୪ ଲକ୍ଷ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ
– ଗ୍ରାମ୍ୟ ବିକାଶ ପାଇଁ ୧, ୩୮, ୦୯୭ କୋଟି ଟଙ୍କାର ବ୍ୟୟ ବରାଦ
– ୩ ଲକ୍ଷ କିଲୋମିଟରରୁ ଅଧିକ ସଡକ ନିର୍ମାଣ ଯୋଜନା
– ୩ ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ପ୍ରଦାନ ପ୍ରସ୍ତାବ
– ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅଧିନରେ ୧.୫ ଲକ୍ଷ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେବ ସୁପରିକଳ୍ପିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ କାର୍ଯ୍ୟକ୍ରମ
– ବିଶ୍ୱର ସର୍ବ ବୃହତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧିନରେ ସାମିଲ ହେବେ ୧୦ କୋଟି ଗରୀବ ପରିବାର ତଥା ୫୦ କୋଟି ହିତାଧିକାରୀ
– ଏହି ଯୋଜନାରେ ପ୍ରତିବର୍ଷ ଜଟିଳ ଚିକିତ୍ସା ପାଇଁ ଗରୀବଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏବଂ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା
– ଯକ୍ଷ୍ମା ରୋଗୀଙ୍କ ପାଇଁ ଆରମ୍ଭ ହେବ ୬୦୦ କୋଟି ଟଙ୍କାର ପୁଷ୍ଟିସାଧନ ଯୋଜନା
– ଦେଶରେ ଆଉ ୨୪ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନାର ଯୋଜନା
– ପ୍ରତି ୩ ସଂସଦୀୟ କ୍ଷେତ୍ର ପାଇଁ ରହିବ ଗୋଟିଏ ଲେଖାଏଁ ମେଡିକାଲ କଲେଜ ଓ ହସ୍ପିଟାଲ
– କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୨୦୧୮-୧୯ ଆର୍ଥିକ ବର୍ଷ ସକାଶେ ୬୩, ୮୩୬ କୋଟି ଟଙ୍କାର ବ୍ୟୟ ବରାଦ
– କୃଷି ଉତ୍ପାଦ ସଂରକ୍ଷଣ ପାଇଁ ଆରମ୍ଭ ହେବ ଅପରେସନ ଗ୍ରୀନ; ଏଥିଲାଗି ୫୦୦ କୋଟି ଟଙ୍କାର ବ୍ୟୟ ବରାଦ
– ୨୦୧୮-୧୯ ଆର୍ଥିକ ବର୍ଷରେ ୧୧ ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ ଯୋଜନା
– ଏଣିକି ସବୁ ଫସଲକୁ ମିଳିବ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)
– ସ୍ୱତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ୧.୫ ପ୍ରତିଶତ ହାରରେ ବଢ଼ିବ
– ଜୈବିକ କୃଷିର ବିକାଶ ଲାଗି ୨୦୦ କୋଟି ଟଙ୍କାର ବ୍ୟୟ ବରାଦ
– ଦେଶର ୨୨ ହଜାର ଗ୍ରାମ୍ୟ ହାଟକୁ ସ୍ଥାୟୀ କୃଷି ବଜାର ରୂପେ ବିକଶିତ କରାଯାଇ ଇ-ନାମ (ଏକୀକୃତ ଜାତୀୟ ଇଲେକ୍ଟ୍ରୋନିକ କୃଷି ବଜାର) ସହ ଯୋଡାଯିବ
– ୨୦୧୮ ମାର୍ଚ୍ଚ ସୁଦ୍ଧା ଇ-ନାମ ସହ ୫୮୫ ମଣ୍ଡି ଯୋଡିବାକୁ ଯୋଜନା
– ବର୍ତମାନ ସୁଦ୍ଧା ୪୭୦ ମଣ୍ଡି ଇ-ନାମ ନେଟୱର୍କରେ ସାମିଲ
– ଦେଶରୁ କୃଷି ଉତ୍ପାଦ ରପ୍ତାନୀ ୧୦୦ ବିଲିୟନ ଡଲାରରେ ପହଂଚାଇବାକୁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ
– ୪୨ଟି ମେଗା ଖାଦ୍ୟ ପାର୍କ ନିର୍ମାଣର ପ୍ରସ୍ତାବ
– ମାଛ ଚାଷ ଓ ପଶୁପାଳନ ପାଇଁ ୨ଟି ନୂଆ ପାଣ୍ଠି ଗଠନ ସହ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ
– ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର କୃଷି ଉତ୍ପାଦ କ୍ଲଷ୍ଟରକୁ ବିକଶିତ କରାଯିବ।
– ଖାଦ୍ୟ ଉତ୍ପାଦନ ରେକର୍ଡସ୍ତରରେ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୮ ପ୍ରତିଶତ ଅଭିବୃଦ୍ଧି
– କୃଷି ବର୍ଜ୍ୟ ପୋଡି ଯୋଗୁଁ ଉତ୍ପନ୍ନ ବାୟୁ ପ୍ରଦୂଷଣ ରୋକିବାକୁ ସ୍ୱତନ୍ତ୍ର ଯୋଜନା
– କୃଷି ଉତ୍ପାଦ କାରବାର କରୁଥିବା ସଂସ୍ଥାମାନଙ୍କୁ ୧୦୦ ପ୍ରତିଶତ ଟିକସ ରିହାତି
– ପ୍ରତି ଗାଁକୁ ସ୍ୱଚ୍ଛ ରଖିବା ଲାଗି ଆରମ୍ଭ ହେବ ଗୋବର୍ଦ୍ଧନ ଯୋଜନା
– ଏଣିକି କିଷାନ କ୍ରେଡିକ କାର୍ଡ ଜରିଆରେ ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ମିଳିବ ଋଣ ସହାୟତା
– ୧୧୫ ଅଭିଳାଷୀ ଜିଲ୍ଲାକୁ ଆଦର୍ଶ ଜିଲ୍ଲାରେ ପରିଣତ କରିବା ଲାଗି ହେବ ନିରନ୍ତର ବିକାଶ କାର୍ଯ୍ୟକ୍ରମ
– ୮ କୋଟି ପରିବାରକୁ ଉଜ୍ଜଳା ଯୋଜନାରେ ଦିଆଯିବ ମାଗଣା ରନ୍ଧନ ଗ୍ୟାସ ସଂଯୋଗ
– ସୌଭାଗ୍ୟ ଯୋଜନାରେ ୪ କୋଟି ଗରୀବ ପରିବାରକୁ ମିଳିବ ମାଗଣା ବିଜୁଳୀ ସଂଯୋଗ
– ୨୦୧୮-୧୯ରେ ଅଧିକ ୫୧ ଲକ୍ଷ ଆବାସ ନିର୍ମାଣର ଯୋଜନା
– ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ନିର୍ବାହ ମିଶନ ପାଇଁ ୫, ୭୫୦ କୋଟି ଟଙ୍କାର ବ୍ୟୟ ବରାଦ
– ଭୂତଳ ଜଳ ସେଚନ ଯୋଜନା ପାଇଁ ୯୬ଟି ଜଳକ୍ଲିଷ୍ଟ ଜିଲ୍ଲାରେ ଆରମ୍ଭ କରାଯିବ ନୂଆ ଯୋଜନା; ଖର୍ଚ୍ଚ ହେବ ୨, ୬୦୦ କୋଟି ଟଙ୍କା
– ୨୦୧୮-୧୯ରେ ଦେଶରେ ୧.୮୮ କୋଟି ଶୌଚାଳୟ ନିର୍ମାଣର ପ୍ରସ୍ତାବ
– ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ୯, ୯୭୫ କୋଟି ଟଙ୍କାର ବ୍ୟୟ ବରାଦ
– ରାଷ୍ଟ୍ରୀୟ ବାଉଁଶ ମିଶନ ପାଇଁ ୧, ୨୯୦ କୋଟି ଟଙ୍କାର ପ୍ରସ୍ତାବ
– ଦେଶରେ ଶିକ୍ଷକମାନଙ୍କ ପାଇଁ ଏକୀକୃତ ବିଇଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ
– ଆଦିବାସୀ ଅଂଚଳରେ ଖୋଲିବ ଅଧିକ ଏକଲବ୍ୟ ଆବାସିକ ବିଦ୍ୟାଳୟ
– ତଫସିଲଭୁକ୍ତ ଜାତି ବର୍ଗର କଲ୍ୟାଣ ପାଇଁ ୨୦୧୮-୧୯ ବର୍ଷରେ ୫୬, ୬୧୯ କୋଟି ଟଙ୍କାର ବ୍ୟୟ ବରାଦ
– ତଫସିଲଭୁକ୍ତ ଉପଜାତି ବର୍ଗର କଲ୍ୟାଣ ପାଇଁ ୨୦୧୮-୧୯ ବର୍ଷରେ ୩୯, ୧୩୫ କୋଟି ଟଙ୍କାର ବ୍ୟୟ ବରାଦ
– ସଙ୍ଗଠିତ କ୍ଷେତ୍ରରେ ୭୦ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ
– ୯୯ଟି ସ୍ମାର୍ଟ ସିଟି ଲାଗି ୧.୨୧ ଲକ୍ଷ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ
– ହୃଦୟ ଯୋଜନାରେ ୧୦୦ଟି ଆଦର୍ଶ କୀର୍ତିରାଜୀକୁ ବିକଶିତ କରାଯିବ
– ଭାରତମାଳା ପରିଯୋଜନା ଅଧିନରେ ସଡକ ନିର୍ମାଣକୁ ମଞ୍ଜୁରି
– ୨୦୧୮-୧୯ ଆର୍ଥିକ ବର୍ଷରେ ରେଳବାଇ ପାଇଁ ୧, ୪୮, ୫୨୮ କୋଟି ଟଙ୍କାର ଖର୍ଚ୍ଚ ପ୍ରସ୍ତାବ
– ୬୦୦ ରେଳ ଷ୍ଟେସନର ହେବ ପୁନଃବିକାଶ
– ୩, ୬୦୦ କିଲୋମିଟର ରେଳପଥର ହେବ ନବୀକରଣ
– ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ୩, ୦୭୩ କୋଟି ଟଙ୍କାର ବ୍ୟୟ ବରାଦ
– ସ୍ୱଦେଶୀ ଜ୍ଞାନ କୌଶଳ ଆଧାରିତ ୫ଜି ଟେକ୍ନୋଲଜି ବିକାଶ ପାଇଁ ଚେନ୍ନାଇରେ ସ୍ଥାପିତ ହେବ ଅତ୍ୟାଧୁନିକ ଗବେଷଣାଗାର
– କ୍ରାଇପ୍ଟୋ କରେନ୍ସିକୁ ମିଳିବନି ଆଇନଗତ ବୈଧତା
– ଦେଶର ସବୁ ଟୋଲ ଗେଟ୍ କୁ ଇ-ଟୋଲ ଗେଟ୍ ରେ ପରିଣତ କରାଯିବ
– ୨୦୧୮-୧୯ ଆର୍ଥିକ ବର୍ଷରେ ୮୦, ୦୦୦ କୋଟି ଟଙ୍କାର ସରକାରୀ ପୁଞ୍ଜି ବିନିବେଶ ପାଇଁ ଅର୍ଥମନ୍ତ୍ରୀଙ୍କ ଘୋଷଣା
– ରାଷ୍ଟ୍ରପତିଙ୍କ ଦରମା ମାସିକ ୫ ଲକ୍ଷ, ଉପରାଷ୍ଟ୍ରପତିଙ୍କ ୪ ଲକ୍ଷ ଏବଂ ରାଜ୍ୟପାଳମାନଙ୍କ ଦରମା ୩.୫ ଲକ୍ଷ ଟଙ୍କାକୁ ବୃଦ୍ଧି
– ଆଗାମୀ ଏପ୍ରିଲ ପହିଲାରୁ ସାଂସଦମାନଙ୍କ ପାଇଁ ନୂତନ ବେତନ ବୃଦ୍ଧି ଢ଼ାଂଚା, ପ୍ରତି ୫ ବର୍ଷରେ ସାଂସଦମାନଙ୍କ ଆପଣା ଛାଏଁ ଭତା ବୃଦ୍ଧି
– ବାପୁଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଲାଗି ୧୫୦ କୋଟି ଟଙ୍କାର ବ୍ୟୟ ବରାଦ
– ବ୍ୟକ୍ତିଗତ ଆୟକର ଛାଡ ସୀମା ଅପରିବର୍ତିତ, ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ହେଲା ୪୦ ହଜାର ଟଙ୍କା
– ବରିଷ୍ଠ ନାଗରିକମାନଙ୍କ ପାଇଁ ସଂଚୟ ଜମା ସୁଧ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ
– ବରିଷ୍ଠ ନାଗରିକଙ୍କ ପାଇଁ ପରିବର୍ଦ୍ଧିତ ସ୍ୱାସ୍ଥ୍ୟ ବୀମା ସହାୟତା
– ମୋବାଇଲ ଫୋନ୍ ଉପରେ ବର୍ହିଃଶୁଳ୍କ ୧୫ ରୁ ୨୦ ପ୍ରତିଶତକୁ ବୃଦ୍ଧି
– କଂଚା କାଜୁ ଆମଦାନୀ ଉପରୁ ବର୍ହିଃଶୁଳ୍କ ୫ ରୁ ୨.୫ ପ୍ରତିଶତକୁ ହ୍ରାସ
– ସହରାଂଚଳ ବିକାଶ ପାଇଁ ୪୧, ୭୬୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ

ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଗୁରୁବାର ଲୋକସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ନୂତନ ବଜେଟ ଉପସ୍ଥାପନ କରିଛନ୍ତି। ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଭାରତକୁ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବା ଲାଗି ବଜେଟରେ ୨୪, ୪୨, ୨୧୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ତେବେ ବଜେଟରେ ରାଜକୋଷିୟ ନିଅଂଟ ମୋଟ ଜିଡିପିର ୩.୩ ପ୍ରତିଶତ ହେବ ବୋଲି ଶ୍ରୀ ଜେଟଲୀ ଆକଳନ କରିଛନ୍ତି। ଶ୍ରୀ ଜେଟଲୀ ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି ଯେ, ଚଳିତ ୨୦୧୭-୧୮ ବର୍ଷର ୧୫, ଜାନୁଆରୀ ୨୦୧୮ ସୁଦ୍ଧା ପ୍ରତ୍ୟକ୍ଷ କର ରେ ୧୨.୬ ପ୍ରତିଶତ ଏବଂ ପରୋକ୍ଷ କର ରେ ୧୮.୭ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଐତିହାସିକ ବସ୍ତୁ ଓ ସେବା କର ପ୍ରଚଳନ ଦ୍ୱାରା ଦେଶରେ ପରୋକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି ଏବଂ ଧିରେ ଧିରେ ଟିକସ ଆଦାୟ ସୁସଂହତ ହେଉଛି।

ନୂତନ ବଜେଟରେ କୃଷି, ଆନୁସଙ୍ଗିକ କ୍ଷେତ୍ର, ଗ୍ରାମ୍ୟ ବିକାଶ, ଗ୍ରାମ୍ୟ ଭିତିଭୂମି, ସାମାଜିକ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ୧୧ ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ ପ୍ରସ୍ତାବ ବିଷୟ ଘୋଷଣା କରିଛନ୍ତି। ସବୁ ଫସଲକୁ ଏଣିକି ଏମଏସପି ବା ସର୍ବନିମ୍ନ ସମର୍ଥନ ମୂଲ୍ୟ ଢ଼ାଂଚା ମଧ୍ୟକୁ ଅଣାଯିବ ଏବଂ ଫସଲର ସହାୟକ ମୂଲ୍ୟ ୧.୫ ପ୍ରତିଶତ ଲେଖାଏଁ ବୃଦ୍ଧି ହେବ। ଜୈବିକ କୃଷି ଉପରେ ଗୁରୁତ୍ୱ ଦେଇ ଏଥିଲାଗି ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବଜେଟରେ ୬୩, ୮୩୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ୨୨ ହଜାର ଗ୍ରାମ୍ୟ ହାଟକୁ ସ୍ଥାୟୀ କୃଷି ବଜାର ରୂପେ ବିକଶିତ କରାଯାଇ ଏସବୁକୁ ଇ-ନାମ ସହ ଯୋଡାଯିବ। ବର୍ତମାନ ୪୭୦ ମଣ୍ଡିକୁ ଇ-ନାମ ସହ ଯୋଡାଯାଇଥିବା ବେଳେ ମାର୍ଚ୍ଚ ୨୦୧୮ ସୁଦ୍ଧା ୫୮୫ ମଣ୍ଡିକୁ ଏଥିରେ ସାମିଲ କରିଦିଆଯିବ। ଦେଶରେ ମାଛ ଚାଷ ଓ ପଶୁପାଳନକୁ ପ୍ରୋତ୍ସାହିତ କରିବା ଲାଗି ଦୁଇଟି ନୂଆ ପାଣ୍ଠି ଗଠନ କରାଯିବ। ଏଥିଲାଗି ୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଣିକି ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ଜରିଆରେ ମାଛ ଚାଷ ଓ ପଶୁପାଳନ ଲାଗି ଋଣ ସହାୟତା ମିଳିବ। ଦେଶରେ ୪୨ଟି ମେଗା ଖାଦ୍ୟ ପାର୍କ ପ୍ରତିଷ୍ଠାର ପ୍ରସ୍ତାବ ରହିଛି। ଖାଦ୍ୟ ଉତ୍ପାଦ କାରବାର କରୁଥିବା ସଂସ୍ଥାକୁ ଶତ ପ୍ରତିଶତ ଟିକସ ରିହାତି ପ୍ରଦାନର ପ୍ରସ୍ତାବ ରହିଛି। ବିଶେଷକରି ଅପରେସନ ଗ୍ରୀନ ଅଭିଯାନ ମାଧ୍ୟମରେ ଖାଦ୍ୟ ଉତ୍ପାଦର ସଂରକ୍ଷଣ ପାଇଁ ୫୦୦ କୋଟି ଟଙ୍କା ବ୍ୟୟ କରାଯିବ। ଦେଶରେ କୃଷି ଉତ୍ପାଦ ରପ୍ତାନୀକୁ ୧୦୦ ବିଲିୟନ ଡଲାରରେ ପହଂଚାଇବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

୧୧୫ଟି ଅନଗ୍ରସର ତଥା ଅଭିଳାଷି ଜିଲ୍ଲାକୁ ନିରନ୍ତର ବିକାଶ ଜରିଆରେ ଆଦର୍ଶ ଜିଲ୍ଲା ଭାବେ ବିକଶିତ କରାଯିବ। ୮ କୋଟି ବିପିଏଲ ପରିବାରର ମହିଳାଙ୍କୁ ଉଜ୍ଜଳା ଯୋଜନା ଅଧିନରେ ମାଗଣାରେ ଏଲପିଜି ସଂଯୋଗ ପ୍ରଦାନ କରାଯିବ। ସୌଭାଗ୍ୟ ଯୋଜନାରେ ୪ କୋଟି ଗରିବ ପରିବାରକୁ ମାଗାଣାରେ ବିଜୁଳୀ ସଂଯୋଗ ଦିଆଯିବ। ସ୍ୱଚ୍ଛ ଭାରତ ମିଶନ ଅଧିନରେ ବର୍ତମାନ ସୁଦ୍ଧା ୬ କୋଟି ଶୌଚାଳୟ ନିର୍ମିତ ହୋଇସାରିଥିବା ବେଳେ ୨୦୧୮-୧୯ ବର୍ଷରେ ୧.୮୮ କୋଟି ଶୌଚାଳୟ ନିର୍ମାଣର ଯୋଜନା ରହିଛି। ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବା ଲକ୍ଷ୍ୟ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଆଉ ୫୧ ଲକ୍ଷ ଘର ନିର୍ମାଣର ପ୍ରସ୍ତାବ ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୫୧ ଲକ୍ଷ ଘର ନିର୍ମାଣ ଚାଲୁ ରହିଛି।

ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଗ୍ରାମୀଣ ଜୀବିକା ନିର୍ବାହ ଅଧିନରେ ୫୭୫୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି। ଭୂତଳ ଜଳ ସଂଚାରଣ ଯୋଜନା ଅଧିନରେ ୨୬୦୦ କୋଟି ଟଙ୍କା ବ୍ୟୟ କରାଯିବ।

ଗ୍ରାମ୍ୟ ଭିତିଭୂମି ତଥା ସଂରଚନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ୧୪.୩୪ ଲକ୍ଷ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବ ରହିଛି। ଏହା ଅଧିନରେ ବିଭିନ୍ନ ସ୍ଥାୟୀ ଭିତିଭୂମି ନିର୍ମାଣ ସହ ପ୍ରାୟ ୨ କୋଟି ଶୌଚାଳୟ, ୫୧ ଲକ୍ଷ ଆବାସ, ୧.୭୫ କୋଟି ଗରିବ ପରିବାରକୁ ବିଜୁଳୀ ସଂଯୋଗର ଯୋଜନା କରାଯାଇଛି। ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ପାଇଁ ୯୯୭୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଷ୍ଟ୍ରୀୟ ବାଉଁଶ ମିଶନ ପାଇଁ ୧୨୯୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ଶ୍ରୀ ଜେଟଲୀ କହିଥିଲେ ଯେ, ଶିକ୍ଷକମାନଙ୍କ ପାଇଁ ଏକୀକୃତ ବିଇଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଆଦିବାସୀ ବହୁଳ ଅଂଚଳରେ ପିଲାମାନଙ୍କର ଶିକ୍ଷା ଦୀକ୍ଷା ପାଇଁ ଅଧିକ ରୁ ଅଧିକ ଏକଲବ୍ୟ ଆବାସିକ ବିଦ୍ୟାଳୟମାନ ନିର୍ମାଣ କରାଯିବ।

ଉଚ୍ଚ ଶିକ୍ଷାର ଭିତିଭୂମି ଢ଼ାଂଚା ଓ ବ୍ୟବସ୍ଥାଗତ ଉନ୍ନତି ପାଇଁ ରାଇଜ୍ (ଜଓଝଋ) ଯୋଜନା ଅଧିନରେ ଆଗାମୀ ୪ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ। ନିର୍ମାଣ ଢ଼ାଂଚାକୁ ଆଧୁନିକ ଢ଼ଙ୍ଗରେ ଗଢ଼ିବା ଲାଗି ଦେଶରେ ୧୮ଟି ନୂତନ ପ୍ଲାନିଂ ଓ ଆର୍କିଟେକ୍ଚର ସଂସ୍ଥାନ ପ୍ରତିଷ୍ଠା କରାଯିବ। ଗବେଷଣାକୁ ପ୍ରୋତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ଅନୁସନ୍ଧାନ ଓ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ହେବ। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ନୂତନ ବଜେଟରେ ୩.୦୭୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭାରତ ନେଟ କାର୍ଯ୍ୟକ୍ରମ ଜରିଆରେ ବର୍ତମାନ ସୁଦ୍ଧା ୧ ଲକ୍ଷ ଗ୍ରାମ ପଂଚାୟତକୁ ଯୋଡାଯାଇଥିବା ବେଳେ ସମୟବଦ୍ଧ ଚରଣରେ ବାକି ପଂଚାୟତଗୁଡିକୁ ଯୋଡାଯିବ। ସ୍ୱଦେଶୀ ଜ୍ଞାନ କୌଶଳ ଆଧାରିତ ୫ଜି ଟେକ୍ନୋଲଜିର ବିକାଶ ପାଇଁ ଚେନ୍ନାଇରେ ଆଧୁନିକ ଗବେଷଣାଗାର ପ୍ରତିଷ୍ଠା ହେବ। କୃତ୍ରିମ ଜ୍ଞାନ ବା ଆର୍ଟିଫିସିଏଲ ଇଂଟେଲିଜେନ୍ସର ଜ୍ଞାନ କୌଶଳ ବିକାଶ ପାଇଁ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଶ୍ରୀ ଜେଟଲୀ ଘୋଷଣା କରିଛନ୍ତି। ସେହିପରି ଦୂର ଦୂରାନ୍ତ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ଇ-ବ୍ଲାକ ବୋର୍ଡ କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ପ୍ରସ୍ତାବ ରହିଛି।

ଶ୍ରୀ ଜେଟଲୀ କହିଛନ୍ତି ଯେ, ସରକାର ସ୍ୱାସ୍ଥ୍ୟ ସେବା ସୁବିଧାକୁ ଆହୁରି ପରିବ୍ୟାପ୍ତ କରିବେ। ସୁସ୍ଥ ଭାରତ ଦ୍ୱାରା ଏକ ସବଳ ଓ ସଶକ୍ତ ଭାରତ ନିର୍ମାଣ ହୋଇପାରିବ। ଏହି ଆଭିମୁଖ୍ୟ ନେଇ ଆୟୁଷ୍ମାନ ଭାରତ ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ନାମକ ଦୁଇଟି ଜାତୀୟ ଯୋଜନା ଆରମ୍ଭ କରାଯିବ। ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅଧିନରେ ଦେଶର ପ୍ରାୟ ୧.୫ ଲକ୍ଷ ପ୍ରାଥମିକ, ମଧ୍ୟମ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଜିଲ୍ଲା ହସ୍ପିଟାଲକୁ ସାମିଲ କରାଯିବ। ସେଥିରେ ୧୨୦୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି। ନୂତନ କାର୍ଯ୍ୟକ୍ରମ ଜରିଆରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦିଆଯିବ। ହସ୍ପିଟାଲଗୁଡିକରେ ଯେପରି ସବୁ ପ୍ରକାର ଔଷଧ ଲୋକଙ୍କୁ ଉପଲବ୍ଧ ହେବ ସେଥିଲାଗି ବ୍ୟବସ୍ଥା କରାଯିବ।

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧିନରେ ୧୦ କୋଟି ଗରିବ ଓ ଦୁର୍ବଳ ପରିବାରକୁ ସାମିଲ କରାଯିବ। ଏହାଦ୍ୱାରା ପ୍ରାୟ ୫୦ କୋଟି ଲୋକ ଉପକୃତ ହେବେ। ଏହି ଯୋଜନା ଅଧିନରେ ପ୍ରତି ଗରିବଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଭରଣା କରାଯିବ ଏବଂ ୩୦ ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା ମିଳିବ। ଏହା ବିଶ୍ୱର ସର୍ବ ବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହେବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଜେଟଲୀ କହିଛନ୍ତି। ସେ କହିଛନ୍ତି ଯେ, ନୂତନ ବଜେଟରେ ଯକ୍ଷ୍ମା ରୋଗୀଙ୍କ ପାଇଁ ୬୦୦ କୋଟି ଟଙ୍କାର ପୁଷ୍ଟିସାଧନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ୨୪ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଲାଗି ମଧ୍ୟ ପ୍ରସ୍ତାବ ରହିଛି। ପ୍ରତି ୩ଟି ସଂସଦୀୟ କ୍ଷେତ୍ର ପାଇଁ ଗୋଟିଏ ଲେଖାଏଁ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠାର ଯୋଜନା କରାଯାଇଛି ବୋଲି ଶ୍ରୀ ଜେଟଲୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ଅଧିନରେ ବର୍ତମାନ ସୁଦ୍ଧା ୫.୨୨ କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି।

ଶ୍ରୀ ଜେଟଲୀ ତାଙ୍କ ବଜେଟ ଅଭିଭାଷଣରେ ଗ୍ରାମ୍ୟ ବିକାଶ ପାଇଁ ୧, ୩୮, ୦୯୭ କୋଟି ଟଙ୍କାର ବ୍ୟୟ ବରାଦ ଘୋଷଣା କରିଛନ୍ତି। ୨୦୧୭-୧୮ ବର୍ଷରେ ଏହା ୧, ୩୫, ୬୦୪ କୋଟି ଟଙ୍କା ଥିଲା। ତଫସିଲଭୁକ୍ତ ଜାତି ବର୍ଗର କଲ୍ୟାଣ ନିମନ୍ତେ ବଜେଟରେ ୫୬, ୬୧୯ କୋଟି ଟଙ୍କାର ବ୍ୟୟ ବରାଦ ରହିଛି ଯାହାକି ଚଳିତ ବର୍ଷ ଠାରୁ ୩, ୯୦୦ କୋଟି ଟଙ୍କା ଅଧିକ। ସେହିପରି ତଫସିଲଭୁକ୍ତ ଉପଜାତି ବର୍ଗର କଲ୍ୟାଣ ପାଇଁ ୩୯, ୧୩୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖାଯାଇଛି ଯାହାକି ଚଳିତ ବର୍ଷ ଠାରୁ ୬, ୬୨୭ କୋଟି ଟଙ୍କା ଅଧିକ।

ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ବଜେଟରେ ୩, ୭୯୪ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୩ ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ପ୍ରଦାନ ଲାଗି ପ୍ରସ୍ତାବ ରହିଛି। ଚଳିତ ବର୍ଷ ୪.୬ ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ମଞ୍ଜୁର କରାଯାଇଛି। ୨୦୧୮-୧୯ ବର୍ଷରେ ଦେଶରେ ସଙ୍ଗଠିତ କ୍ଷେତ୍ରରେ ୭୦ ଲକ୍ଷ ଅଧିକ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ଇପିଏଫ ଅବଦାନ ୨୦୧୮-୧୯ ବର୍ଷରେ ୧୨ ପ୍ରତିଶତ ରହିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସେହିଭଳି ବୟନଶିଳ୍ପ କ୍ଷେତ୍ରର ବିକାଶ ପାଇଁ ୭, ୧୪୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ରେଳବାଇ ଓ ସଡକ ସଂଯୋଗୀକରଣକୁ ବଳ ଦେବା ଲାଗି ବଜେଟରେ ଅଧିକ ବ୍ୟୟ ବରାଦ କରାଯାଇଛି। କେବଳ ରେଳବାଇ ପାଇଁ ୧, ୪୮, ୫୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରେଳ ବିକାଶ ଯୋଜନା ଅଧିନରେ ୬୦୦ ରେଳ ଷ୍ଟେସନର ପୁନଃବିକାଶ କରାଯିବ। ରେଳ ସୁରକ୍ଷା ଓ ନିରାପତାକୁ ଅଗ୍ରାଧିକାର ଦିଆଯିବ। ସବୁ ରେଳ ଷ୍ଟେସନ ଓ ରେଳଗାଡିରେ ଯାତ୍ରୀଙ୍କ ପାଇଁ ଆଧୁନିକ ୱାଇ-ଫାଇ ସୁବିଧା ବ୍ୟବସ୍ଥା କରାଯିବ। ୩୬୦୦ କିଲୋମିଟର ରେଳ ଲାଇନର ନବୀକରଣ ହେବ। ବୁଲେଟ ଟ୍ରେନର ପରିଚାଳନା ପାଇଁ ବରୋଦାର ରେଳ ବିଶ୍ୱବିଦ୍ୟାଳୟରେ ଆଧୁନିକ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରାଯିବ।

ଭାରତମାଳା ପରିଯୋଜନାରେ ଜାତୀୟ ରାଜପଥ ନିର୍ମାଣକୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପ ଅଧିନରେ ଅଧିକ ୯ ହଜାର କିଲୋମିଟର ରାଜପଥ ସହ ମୋଟ ୩ ଲକ୍ଷ କିଲୋମିଟର ସଡକ ନିର୍ମାଣର ପ୍ରସ୍ତାବ ରଖାଯାଇଛି। ସହରାଂଚଳ ବିକାଶ ପାଇଁ ୪୧, ୭୬୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବଛା ଯାଇଥିବା ୯୯ଟି ପ୍ରସ୍ତାବିତ ସ୍ମାର୍ଟ ସିଟିର ବିକାଶ ଲାଗି ୧.୨୧ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗର ପ୍ରସ୍ତାବ ରହିଛି। ହୃଦୟ ଯୋଜନା ଅଧିନରେ ୧୦୦ଟି କିର୍ତିରାଜୀର ଭିତି ଓ ସୌନ୍ଦର୍ଯ୍ୟବର୍ଦ୍ଧନ କରି ଏସବୁକୁ ଆଦର୍ଶ ପର୍ଯ୍ୟଟନସ୍ଥଳୀରେ ବିକଶିତ କରାଯିବ। ଏହି ସ୍ଥଳୀଗୁଡିକୁ ଉନ୍ନତ ରାସ୍ତା ସଂଯୋଗ କରାଯିବ। ପର୍ଯ୍ୟଟନ କେନ୍ଦ୍ରଗୁଡିକୁ ରୋପ-ୱେ ର ବ୍ୟବସ୍ଥା ହେବ। ବର୍ତମାନ ସୁଦ୍ଧା ୪୮୨ଟି ସହର କ୍ରେଡିଟ ରେଟିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ଜେଟଲୀ କହିଛନ୍ତି। ସେ କହିଛନ୍ତି ଯେ, ନିର୍ବିଘ୍ନ ଓ ପ୍ରତିବନ୍ଧକହୀନ ପରିବହନ ବ୍ୟବସ୍ଥା ସୃଷ୍ଟି ପାଇଁ ସବୁ ଟୋଲ ଗେଟ୍ କୁ ଇ-ଟୋଲ ଗେଟ୍ ରେ ପରିଣତ କରାଯିବ।

ସରକାର ଦେଶର ପ୍ରତିରକ୍ଷା ସରଞ୍ଜାମ ଆବଶ୍ୟକତାକୁ ପୁରଣ କରିବା ଲକ୍ଷ୍ୟରେ ଏକ ଉଦ୍ୟୋଗ ଅନୁକୂଳ ପ୍ରତିରକ୍ଷା ବିନିର୍ମାଣ ନୀତି ୨୦୧୮ ପ୍ରସ୍ତୁତ କରିବେ। ୨୦୧୮-୧୯ ଆର୍ଥିକ ବର୍ଷରେ ୮୦ ହଜାର କୋଟି ଟଙ୍କାର ସରକାରୀ ପୁଞ୍ଜି ବିନିବେଶର ପ୍ରସ୍ତାବ ରଖାଯାଇଛି। କ୍ରାଇପ୍ଟୋ କରେନ୍ସି ବା ଇଂଟରନେଟ ମୁଦ୍ରା ପ୍ରଚଳନ ଆଇନ ଦୃଷ୍ଟିରୁ ବୈଧ ନୁହେଁ ବୋଲି ଶ୍ରୀ ଜେଟଲୀ ବଜେଟ ଅଭିଭାଷଣରେ କହିଛନ୍ତି।

ବଜେଟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କ ଦରମା ବୃଦ୍ଧି ବିଷୟ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ବେତନ ମାସିକ ୫ ଲକ୍ଷ ଟଙ୍କା, ଉପରାଷ୍ଟ୍ରପତିଙ୍କ ୪ ଲକ୍ଷ ଏବଂ ରାଜ୍ୟପାଳମାନଙ୍କ ଦରମା ୩.୫ ଲକ୍ଷ ଟଙ୍କା ହେବ। ସେହିପରି ସାଂସଦମାନଙ୍କ ଦରମା ନିର୍ଦ୍ଧାରଣ ପାଇଁ ନୂତନ ବ୍ୟବସ୍ଥା ଆଗାମୀ ଏପ୍ରିଲ ପହିଲାରୁ ଲାଗୁ ହେବ। ସେମାନଙ୍କ ଭତା ପ୍ରତି ୫ ବର୍ଷରେ ଥରେ ଆପଣା ଛାଏଁ ସଂଶୋଧନ ହେବ। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ବଜେଟରେ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ପ୍ରତ୍ୟକ୍ଷ କର ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି ଯେ, କର ସରଳୀକୃତ ସ୍କିମ ଅଧିନରେ ୪୧ ପ୍ରତିଶତ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି। ଏଣିକି ୯୯ ପ୍ରତିଶତ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ୨୫ ପ୍ରତିଶତ ହାରରେ କର୍ପୋରେଟ ଟିକସ ଦେବେ। ଦେଶର ମାତ୍ର ୧.୮୯ କୋଟି ବେତନଭୋଗୀ କର୍ମଚାରୀ ୧.୪୪ ଲକ୍ଷ କୋଟି ଟଙ୍କାର ଆୟକର ଦେଇଛନ୍ତି। ତେବେ ସେମାନଙ୍କ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରୁ ଷ୍ଟାଣ୍ଡାର୍ଡ ଡିଡକ୍ସନ ୪୦ ହଜାର ଟଙ୍କା କରାଯାଇଛି। କିନ୍ତୁ ଅନ୍ୟ କୌଣସି ବ୍ୟକ୍ତିଗତ ଆୟକର ସ୍ଲାବରେ ପରିବର୍ତ୍ତନ କରାଯାଇ ନାହିଁ। ବରିଷ୍ଠ ନାଗରିକମାନଙ୍କୁ ସଂଚୟ ଜନିତ ସୁଧ ଉପାର୍ଜନ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟକର ରିହାତି ମିଳିବ ବୋଲି ଘୋଷଣା କରାଯାଇଛି। ସେହିପରି ବରିଷ୍ଠ ନାଗରିକମାନଙ୍କ ପାଇଁ ଆହୁରି ଉନ୍ନତ ଧରଣର ସ୍ୱାସ୍ଥ୍ୟ ବୀମା ସୁବିଧା ଘୋଷଣା କରାଯାଇଛି। ୪ ପ୍ରତିଶତ ସ୍ୱାସ୍ଥ୍ୟ ଓ ଶିକ୍ଷା ସେସ ବସାଯିବାକୁ ଘୋଷଣା କରାଯାଇଛି। ବର୍ତମାନ ସୁଦ୍ଧା ଇ-ଆସେସମେଂଟ ଅଧିନରେ ୧୦୨ ଟି ସହର ସାମିଲ ହୋଇଛନ୍ତି ବୋଲି ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏଣିକି ଦୀର୍ଘ ମିଆଦି କ୍ୟାପିଟାଲ ଗେନ ଟିକସ ୧୦ ପ୍ରତିଶତ ଆଦାୟ କରାଯିବ।

ସେ କହିଛନ୍ତି ଯେ, ବର୍ହିଃଶୁଳ୍କ ଆଇନ ୧୯୬୨ରେ ସଂଶୋଧନ କରାଯିବ। ମୋବାଇଲ ଆମଦାନୀ ଉପରେ ବର୍ହିଶୁଳ୍କ ୧୫ ରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି। କଂଚା କାଜୁ ଆମଦାନୀ ଉପରେ ବର୍ହିଃଶୁଳ୍କ ୫ ରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top