ଓଡ଼ିଶା

ବଜେଟ୍ ୨୦୧୮-୧୯, ଫମ୍ପା ପ୍ରତିଶ୍ରୁତିର ପ୍ରତିଧ୍ୱନୀ : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ତା ୧ା୨ (ଓଡ଼ିଆ ପୁଅ): ସଂସଦରେ ଆଗତ ହୋଇଥିବା ବଜେଟ୍ ୨୦୧୮-୧୯ ଫମ୍ପା ପ୍ରତିଶ୍ରୁତିର ପ୍ରତିଧ୍ୱନୀ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଅଭିଯୋଗ କରିଛି। ଏହି ବଜେଟ୍ ଚାଷୀଙ୍କ ନାଁରେ ଚାଷୀଙ୍କୁ ପ୍ରତାରିତ କରିବା, ୭୦ଲକ୍ଷ ବେକାର ଯୁବକଙ୍କୁ ଚାକିରୀ ଦେବା ନାଁରେ ବିଗତ ବର୍ଷବର୍ଷ ଧରି ଖାଲିପଡ଼ିଥିବା ୪ଲକ୍ଷ ସରକାରୀ ପଦବୀକୁ ଉଚ୍ଛେଦ କରିବା ଏବଂ ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ କରିବା ନାଁରେ ଦେବାଳିଆ ବୀମାକମ୍ପାନୀ ଓ କର୍ପୋରେଟ୍ ହସ୍ପିଟାଲ୍ ଓ ମେଡିସିନ୍ କମ୍ପାନୀମାନଙ୍କୁ ସାଧାରଣ ରୋଗୀଙ୍କୁ ଲୁଟ୍ କରିବା ପାଇଁ ଦ୍ୱାର ଖୋଲିଦେଇଛି ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଆମେରିକାର ଓବାମା କେୟାରର ଏହା ଏକ ଅନୁକରଣ ବ୍ୟତୀତ ଅନ୍ୟକିଛି ନୁହେଁ। ୪ବର୍ଷ ତଳେ ସରକାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ କ୍ଷମତାସୀନ ହେଲାପରେ ଚାଷୀଙ୍କୁ ଉତ୍ପାଦିତ ଖର୍ଚ୍ଚର ଦେଢଗୁଣା ସମର୍ଥ ମୂଲ୍ୟ ଦେବେ। ବେକାର ଯୁବକଙ୍କୁ ବର୍ଷକୁ ୨ କୋଟି ଚାକିରୀ ଦେବେ। ୪ ବର୍ଷ କ୍ଷମତା ଉପଭୋଗ କରିସାରିବା ପରେ ଆଜି ହଠାତ୍ ଚାଷୀ ଓ ଗ୍ରାମାଞ୍ଚଳ କଥା ମନେପଡ଼ିଲା। ପୁଣି ସରକାର ପ୍ରତିଶ୍ରୁତି ଦେଇ ସ୍ୱାମୀନାଥନ କମିଶନ ଲାଗୁ କରିବା ନାଁରେ ଚାଷୀଙ୍କୁ ଭଣ୍ଡେଇବାର ପଦକ୍ଷେପ ନେଇଛନ୍ତି। ଗୋଟିଏ ଉଦାହରଣ ଯଥେଷ୍ଟ ହେବ ସ୍ୱାମୀନାଥନ କମିଶନ ତାଙ୍କ ସୁପାରିଶରେ କହିଥିଲେ ଯେ, ୨୦୦୭ ମସିହାରେ ୧ କ୍ୱିଣ୍ଟାଲ୍ ଗହମ ଉତ୍ପାଦନ ପାଇଁ ୧୬୦୦ ଟଙ୍କା ଖର୍ଚ୍ଚ ହେଉଛି, ଆଜି ଗହମର ସମର୍ଥ ମୂଲ୍ୟ ୧୭୨୫ ଟଙ୍କା। ସରକାରଙ୍କ ଯଦି ଆନ୍ତରିକତା ଥାଆନ୍ତା, ତାହେଲେ ସର୍ବନିମ୍ନ ୨୫୦୦ ଟଙ୍କା ଗହମ କ୍ୱିଣ୍ଟାଲ୍ ପିଛା ଦର ଧାର୍ଯ୍ୟ କରିଥାଆନ୍ତେ। ସେହିଭଳି ଓଡ଼ିଶାରେ ଧାନ ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ୍ ପିଛା ହାରାହାରି ୧୯୫୩ ଟଙ୍କା। ରାଜ୍ୟ ବିଧାନସଭା ସର୍ବସମ୍ମତଭାବେ ଧାନ କ୍ୱିଣ୍ଟାଲ୍ ପିଛା ୨୯୩୦ ଟଙ୍କା ଚାଷୀଙ୍କୁ ଦେବାପାଇଁ ଦାବି କରିଆସୁଅଛି, ଯାହାକୁ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଅଣଦେଖା କରିଛନ୍ତି। ତୃତୀୟତଃ ବଜେଟ୍ ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କ ବଜେଟ୍ ପ୍ରତିକ୍ରିୟାରେ ‘’ଅମୂଲ’ର ଉଦାହରଣ ଦେଇ ଚାଷୀ ସଠିକ୍ ମୂଲ୍ୟ ପାଇପାରୁଛି ବୋଲି କହିଛନ୍ତି। କିନ୍ତୁ ଓଡ଼ିଶାରେ ଦୁଗ୍ଧଚାଷୀମାନେ ୨୪ ରୁ ୨୫ ଟଙ୍କା ଲିଟର ପିଛା କ୍ଷୀର ବିକ୍ରୟ କରୁଛନ୍ତି। ତେଣୁ କେନ୍ଦ୍ରସରକାରଙ୍କର ଏହିସବୁ ପ୍ରତିଶ୍ରୁତି ପ୍ରତାରଣା ସଦୃଶ। ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରିବା ପାଇଁ ୫୦ କୋଟି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଚିକିତ୍ସା ପାଣ୍ଠି ଯୋଗାଇଦେବାକୁ ବଜେଟ୍ ରେ ପ୍ରତିଶ୍ରୁତି ଦିଆଯାଇଛି। ଏହା ଔଷଧ କମ୍ପାନୀ, ବୀମା କମ୍ପାନୀ ଓ କର୍ପୋରେଟ୍ ମେଡ଼ିକାଲ୍ ମାନଙ୍କର ଲୁଟ୍ ପାଇଁ ଦ୍ୱାର ଉନ୍ମୁକ୍ତ କରିଦେବ। ଗରିବ ରୋଗୀଙ୍କ ନାଁରେ ଟିକସଦାତାଙ୍କ ଅର୍ଥକୁ ଏହିସବୁ ଗୋଷ୍ଠୀ ଲୁଣ୍ଠନ କରିବେ। ତେଣୁ ଏହି ବଜେଟ୍ ଗରିବ ବିରୋଧି, ଚାଷୀବିରୋଧି, ବେକାର ବିରୋଧି ଏବଂ ଏହାଦ୍ୱାରା ନିଯୁକ୍ତି ସୃଷ୍ଟିର କୌଣସି ସମ୍ଭାବନା ନାହିଁ କିମ୍ବା ଏହା ଦରଦାମ୍ ବୃଦ୍ଧି ରୋକିବାରେ ଆଦୌ ସହାୟକ ହେବନାହିଁ। ୨୪.୪୨ଲକ୍ଷ କୋଟିର ଏହି ବଜେଟ୍ ରେ ରେଳ ବିଭାଗ ପାଇଁ ୧ଲକ୍ଷ ୩୮ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ବେଳେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ଓ କଳାହାଣ୍ଡି ଜିଲ୍ଲାର ନର୍ଲା ୱାଗନ ଫ୍ୟାକ୍ଟି୍ର ପ୍ରତିଶ୍ରୁତି ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯଦିଓ ମହାରଷ୍ଟ୍ରର ମରାଠାୱାଡାଠାରେ ରେଳକୋଚ୍ ଫ୍ୟାକ୍ଟି୍ର ପ୍ରତିଷ୍ଠା ପାଇଁ ଗତକାଲି ରେଳମନ୍ତ୍ରୀ କହିସାରିଛନ୍ତି। ତେଣୁ ଏହି ବଜେଟ୍ ନିରାଶାଜନକ ଓ ଗରିବ ବିରୋଧି। ଗାନ୍ଧିଜୀଙ୍କ ଜନ୍ମଜୟନ୍ତୀର ଏହା୧୫୦ବର୍ଷ ହୋଇଥିଲେ ମଧ୍ୟ ଏହାପାଇଁ ସ୍ୱତନ୍ତ୍ର ବଜେଟ୍ ବ୍ୟବସ୍ଥା ନହେବା ମୁହଁରେ ଗାନ୍ଧୀ କଥା କହୁଥିବା ସରକାରଙ୍କର ଗାନ୍ଧୀଙ୍କ ବିଚାରାଧାରା ପ୍ରତି ଉପହାସ ବ୍ୟତୀତ ଆଉ କିଛି ନୁହେଁ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି। ଦେଶର ୭ କୋଟି ବୁଢ଼ାବୁଢ଼ୀ ଓ ଭିନ୍ନକ୍ଷମମାନେ ଭତ୍ତା ବୃଦ୍ଧିପାଇବାର ଆଶା ପ୍ରକାଶ କରିଥିଲେ ହେଁ ସରକାର ସେମାନଙ୍କୁ ନିରାଶ କରିଛନ୍ତି। ସେସ୍ ପରିମାଣ ୩ ପ୍ରତିଶତରୁ ୪ ପ୍ରତିଶତକୁ ବୃଦ୍ଧି ପାଇଲା ଫଳରେ ମଧ୍ୟବିତ୍ତ ପରିବାରର ଦୈନନ୍ଦିନ ଖର୍ଚ୍ଚ ଉପରେ ଏହାର ପ୍ରଭାବ ବୃଦ୍ଧି ପାଇବ। ତେଣୁ ସର୍ବୋପରି ବଜେଟ୍ ସମସ୍ତଙ୍କ ପାଇଁ ନିରାଶା ଓ ହତାଶା ଆଣିଦେଇଛି ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top