ଜିଲ୍ଲା ପରିକ୍ରମା

ବକେୟା ରାଶି ପ୍ରଦାନ ପରେ ଉପଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଶ୍ରମିକ ଧାରଣା ପ୍ରତ୍ୟାହୃତ

ଯାଜପୁର-୧୨/୭(ଓଡିଆ ପୁଅ/ଏ.ରାଉତ) ବକେୟା ପ୍ରାପ୍ୟ ଅର୍ଥରାଶି ଭରଣା କରିବାକୁ ବାରମ୍ବାର ପ୍ରତିଶୃତି ଦେଇ ଠକି ଚାଲିଥିବା କମ୍ପାନୀ ଶେଷରେ ଶ୍ରମିକ ମାନଙ୍କ ଦାବି ଆଗରେ ହାର ମାନିଛି। ଆଜି ଶ୍ରମ କାର୍ଯ୍ୟାଳୟରେ ଧାରଣାରତ ଶ୍ରମିକ ମାନଙ୍କ ନିକଟରେ ପହଂଚି ଟାଟା କର୍ତ୍ତୃପକ୍ଷ ୧୪୫ ଜଣ ଶ୍ରମିକଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ ସହ ଫୁଲ ଆଣ୍ଡ ଫାଇନାଲ ପେମେଂଟ ପ୍ରଦାନ କରିଛନ୍ତି। ଅବଶିଷ୍ଟ ଶ୍ରମିକମାନେ ଉପସ୍ଥିତ ନଥିବାରୁ ସେମାନଙ୍କୁ ପେଂମେଟ କରାଯାଇ ପାରି ନାହିଁ। ଖୁବ ଶୀଘ୍ର ଅବଶିଷ୍ଟ ସମସ୍ତ ଶ୍ରମିକଙ୍କ ସମସ୍ତ ବକେୟା ପାଉଣା ପ୍ରଦାନ କରିବାକୁ କାରଖାନା କର୍ତ୍ତୃପକ୍ଷ ପ୍ରତିଶୃତି ଦେବାପରେ ଆଜିର ଧାରଣା ପ୍ରତ୍ୟାହୃତ ହୋଇଛି। ଏଠାରେ ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଶ୍ରମିକମାନେ ସେମାନଙ୍କ ପାଉଣା ପାଇ ନଥିବା ଅଭିଯୋଗ କରିବାସହ ସମସ୍ୟାର ସମାଧାନ ନହେଲେ ଗୁରୁବାର ଦିନ ଶ୍ରମିକମାନେ ସ୍ଥାନୀୟ ଉପ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଧାରଣାଦେବେବୋଲି ଚେତାବନୀ ଦେଇଥିଲେ। ଶ୍ରମିକମାନେ କାରଖାନାରେ ସକାଳର ସୂର୍ଯ୍ୟୋଦୟ ସମୟରୁ ଘରୁ ବାହାରି ସନ୍ଧ୍ୟାରେ ତାରା ଉଠିବା ପର୍ଯ୍ୟନ୍ତ କାର୍ଯ୍ୟ କରଉଥିଲେ ମଧ୍ୟ ଏମାନଙ୍କ ମୂଲକୁ ଠକି ନେବା, ଇ.ପି.ଏଫ ଓ ଇଏସଆଇ ଟଙ୍କା ଜମାରେ ବ୍ୟାପକ ମନମାନି କରିବା, କାର୍ଯ୍ୟରୁ ଅନ୍ତର ପରେ ମିଳିବାକୁ ଥିବା ଫୁଲ ଆଣ୍ଡ ଫାଇନାଲ ଟଙ୍କା ନ ଦେବା ଘଟଣାକୁ ନେଇ ଅସନ୍ତୋସ ବ୍ୟକ୍ତ କରିଥିଲେ। ଟାଟା କାରଖାନାରେ ଝାଡ଼ଖଣ୍ଡର ଜାମସେଦପୁର ସ୍ଥିତ ନିଉ ବଜରଙ୍ଗ କନ୍ଷ୍ଟ୍ରକ୍ସନ ଅଧିନରେ ଏହି କାରଖାନାର ଆରଏମଏଚଏସ, ଏଚଏମଏସ, ଏସଏମଏସ, ଭିପିପି ସାଇଟରେ ୭୮୩ ଜଣ ଶ୍ରମିକ ବିଗତ ଦୁଇ ବର୍ଷ ଧରି କାମ କରିଥିଲେ। ଉକ୍ତ ସଂସ୍ଥା ୨୦୧୭ ନଭେମ୍ବରରୁ କାମ ଛାଡି ପଳାଇ ଥିଲେ ମଧ୍ୟ ଶ୍ରମିକମାନଙ୍କୁ ଫୁଲ ଆଣ୍ଡ ଫାଇନାଲ ବକେୟା ରାଶି ସହ ୧୦ ଦିନର ବକେୟା ଦରମା, ଇଫିଏଫ ରାଶି ଉଠାଣ ଆଦି ପ୍ରାପ୍ୟ ନ ଦେବା ଫଳରେ ଶ୍ରମିକମାନେ ସଂଘବଦ୍ଧ ହୋଇ ଗତ ମାର୍ଚ୍ଚ ୧୬ ତାରିଖରେ ସ୍ଥାନୀୟ ଡିଏଲସିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଚିତରଞ୍ଜନ ରାଉତ ଉକ୍ତ ମାମଲାର ଦାୟିତ୍ୱ ନେଇ ଟାଟା ଷ୍ଟିଲ ଏଚ୍ଆର୍ ବିଭାଗର ଶ୍ରୀନିବାଶ ମହାପାତ୍ର ଓ ରୂପକ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଫୁଲ ଆଣ୍ଡ ଫାଇନାଲ ରାଶି ପ୍ରଦାନ ସମ୍ପର୍କରେ ଚୂଡ଼ାନ୍ତ କରି ଗତ ଜୁନ୍ ୩୦ ପୂର୍ବରୁ ଏହାକୁ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରମିକମାନଙ୍କର ସମସ୍ତ ଦେୟ ୩୦ଜୁନ୍ ପୂର୍ବରୁ ପ୍ରଦାନ ପାଇଁ କହିଥିଲେ ମଧ୍ୟ ପ୍ରଦାନ କରିନଥିଲେ। ଏଣୁ ପୂର୍ବ ସୂଚନା ମୁତାବକ ଆଜି ଅଫିସ ଖୋଲିବାପରେ ଶ୍ରମିକମାନେ ଏଠାରେ ଧାରଣାରେ ବସିଥିଲେ। ପରେ କାରଖାନା ତରଫରୁ ପେମେଂଟ ପ୍ରଦାନପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top