‘ଫୁଲର ହସ’ ରଥଯାତ୍ରା ବିଶେଷାଙ୍କ ଲୋକାର୍ପିତ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକରୁ ପ୍ରକାଶ ପାଉଥିବା ଶିଶୁ କିଶୋର ସାହିତ୍ୟ ପତ୍ରିକା ‘ଫୁଲର ହସ’ ରଥଯାତ୍ରା ବିଶେଷାଙ୍କ ଭଦ୍ରକ ସହର ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଲୋକାର୍ପିତ ହୋଇଯାଇଛି। ଫୁଲର ହସର ପ୍ରତିଷ୍ଠାତା ସଂପାଦକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ନାଟ୍ୟକାର ସୁଧାକର ନନ୍ଦ ମୁଖ୍ୟ ଅତିଥି, କୃଷି ବୈଜ୍ଞାନିକ ଇଂ ଅରୁଣ କୁମାର ପାତ୍ର, ମୁଖ୍ୟବକ୍ତା ଡ. ପ୍ରମୋଦ କୁମାର ନାୟକ, କୃପାସିନ୍ଧୁ ନାୟକ, ଅଧ୍ୟାପକ ନୀହାର ରଂଜନ କର, କବି କରୁଣାକର ବେହୁରିଆ, ନୃସିଂହ ଚରଣ ଶୁକ୍ଳ, ଗୀତାରାଣୀ ଆଇଚ, ଜୟନ୍ତୀ କରଶର୍ମା, ରାମଚନ୍ଦ୍ର ସାହୁ, ସନାତନ ସାହୁ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଶିଶୁ ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ସଂପାଦକ ବିଭୂତି ଭୂଷଣ ସାହୁ ସଂପାଦକୀୟ ବିବରଣୀ, ରଶ୍ମିତା ଦାଶ ଅତିଥି ପରିଚୟ, ନିର୍ମଳ ପ୍ରସାଦ ପରିଡା ସ୍ୱାଗତ ଭାଷଣ ଦେଇଥିବାବେଳେ କାଦମ୍ବରୀ କରଶର୍ମା ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିଲେ ଓ ଶରତ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଦାମୋଦର ସଂସ୍କୃତ ବିଦ୍ୟାଳୟର ଗରିବ ଓ ମେଧାବୀ ଅନ୍ତେଃବାସୀଙ୍କୁ ‘ଫୁଲର ହସ’ ପରିବାର ତରଫରୁ ଷ୍ଟିଲ୍ ଭୋଜନ ପାତ୍ର ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *