ଫୁଲବାଣୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ: ରାସ୍ତା ଅବରୋଧ

ଫୁଲବାଣୀ, ୮ା୧୦(ଓଡ଼ିଆ ପୁଅ):ବାରମ୍ବାର ଦାବି ପରେ ମଧ୍ୟ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ପଦବି ପୁରଣ କରାଯାଉଥିବା ପ୍ରତିବାଦରେ ଆଜି ମହାବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଫୁଲବାଣୀ-ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ସକାଳୁ ୧୦ ଟାରୁ ଏହି ରାସ୍ତା ଅବରୋଧ ଯୋଗୁଁ ଦିନ ୨ ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେକୌଣସି ଯାନ ବାହାନ ଚଳାଚାଳ କରିପାରିନଥିବା ବେଳେ ଫୁଲବାଣୀକୁ ପ୍ରବେଶ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଛାତ୍ର ସଂସଦ ସଭାପତି ରୁପେଶ ନାୟକଙ୍କ ନେତୃତ୍ୱରେ ଛାତ୍ରନେତା ଆକାଶ କୁମାର ବେହେରା,  ସୁନିଲ୍ କୁମାର ଦିଗାଲ,  ବିଶ୍ୱଜିତ୍ ନାୟକ ଓ ଅନ୍ୟମାନେ ଏହାର ନେତୃତ୍ୱ ନେଇଥିଲେ। ଛାତ୍ରଛାତ୍ରୀଙ୍କ ଅଭିଯୋଗ ପ୍ରକାରେ,  ମହାବିଦ୍ୟଳୟ ପାଇଁ ୪୬ ଟି ଅଧ୍ୟାପକ ପଦବି ଥିଲେ ମଧ୍ୟ ବର୍ତ୍ତମାନ କେବଳ ୧୦ ଜଣ ଅଧ୍ୟାପକ ଅଛନ୍ତି। ହଜାର ହଜାର ପିଲାଙ୍କ ପାଇଁ ମାତ୍ର ୧୦ ଜଣ ଅଧ୍ୟାପକ ରହିଥିବା ବେଳେ ଅନେକ ବିଭାଗରେ କୌଣସି ମଧ୍ୟ ଅଧ୍ୟାପକ ନଥିବା ଫଳରେ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଦୂର ଦୂରାନ୍ତରରୁ ଖର୍ଚ୍ଚାନ୍ତ ହୋଇ ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟକୁ ଆସୁଥିଲେ ମଧ୍ୟ ବାଧ୍ୟ ହୋଇ ବସି ବସି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ସେହିଭିଳି କୌଣସି ସ୍ଥାୟୀ ଅଧ୍ୟକ୍ଷ ନଥିବା ଯୋଗୁଁ ମଧ୍ୟ ଅନେକ ସମୟରେ ମହାବିଦ୍ୟାଳୟରେ ଅଚଳା ବସ୍ଥା ଦେଖାଯାଉଛି ବୋଲି ଅଭିଯୋଗ କରିଥିଲୋ। ଖବର ପାଇଁ ଟାଉନଥାନା ଅଧିକାରୀ ଭବାନନ୍ଦ ପ୍ରଧାନ,  ଫୁଲବାଣୀ ବିଧାୟକ ଦୁଗୁନି କହଁର ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ ରତ୍ର ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିବା ସହିତ ନିର୍ଭର ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Leave a Reply

Your email address will not be published. Required fields are marked *