ଫସଲ ବୀମା ପାଇଁ ଆନ୍ଦୋଳନ :ଦ୍ୱିତୀୟ ଦିନ ପାଇଁ ୧୭ଟି ପ୍ୟାକ୍ସ ଅବରୋଧ

ସମ୍ବଲପୁର, ୧୯/୯ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବୀମାରାଶି ପଇଠରେ ବ୍ୟତିକ୍ରମକୁ ନେଇ ଚାଷୀ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଜିଲ୍ଲାର ୨୧ଟି ପଞ୍ଚାୟତରେ ୨୦୧୬-୧୭ ବର୍ଷର କ୍ଷୟକ୍ଷତି ଆକଳନରେ କ୍ରପ୍କଟିଂ ରିପୋର୍ଟକୁ ଆଧାର କରା ନ ଯାଇ ବୀମାରାଶି ନିର୍ଦ୍ଧାରଣ ଏବଂ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୨ଟି ପଞ୍ଚାୟତର ଚାଷୀଙ୍କୁ ବୀମା ପ୍ରାପ୍ୟ ପଇଠ କରା ନଯିବା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୂର୍ବ ଘୋଷଣା ମୁତାବକ ଗତକାଲି ଭଳି ଆଜି ମଧ୍ୟ ଜିଲ୍ଳାର ୧୭ରୁ ଅଧିକ କୃଷି ସେବା ସମବାୟ ସମିତି (ପ୍ୟାକ୍ସ) ଏବଂ ଲ୍ୟାମ୍ପସ୍ରେ ଚାଷୀମାନେ ତାଲା ପକାଇଛନ୍ତି। ଆସନ୍ତାକାଲି ଏହି ଆନ୍ଦୋଳନ ଜାରି ରହିବା ସହିତ ଗୁରୁବାର ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାଗୁଡ଼ିକୁ ଅଚଳ କରାଯିବ। ଜିଲ୍ଲାରେ ଏହି ସମବାୟ ବ୍ୟାଙ୍କର ୭ରୁ ଅଧିକ ଶାଖାରେ ଏହି ଆନ୍ଦୋଳନ କରାଯିବ ବୋଲି ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ଏହା ସତ୍ତ୍ୱେ ଫସଲ ବୀମା ପ୍ରାପ୍ୟ ପଇଠ ନେଇ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନକୁ ବ୍ୟାପକ କରାଯାଇ ଜିଲ୍ଲା ସଦର ମହକୁମା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରାଯିବ। ୨୦୧୬-୧୭ ଖରିଫ୍ ଋତୁରେ ମରୁଡ଼ି ଓ ଚକଡ଼ା ପୋକ ଯୋଗୁଁ ଜିଲ୍ଲାର ଉଭୟ ଜଳସେଚିତ ଓ ଅଣ ଜଳସେଚିତ ଅଞ୍ଚଳରେ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀମାନେ ସରକାରଙ୍କ ନୀତି ଅନୁସାରେ ୪୫ ଦିନ ମଧ୍ୟରେ ବୀମା ପ୍ରାପ୍ୟ ପାଇବା ଆଶା ରଖିଥିଲେ। ଫସଲ କ୍ଷୟକ୍ଷତିର ଆକଳନ ପାଇଁ କୃଷି ଓ ରାଜସ୍ୱ ବିଭାଗର ଯୁଗ୍ମ କ୍ରପ୍କଟିଂ ରିପୋର୍ଟ ପ୍ରସ୍ତୁତ ହୋଇଥିବା ବେଳେ ସେଥିରେ କ୍ଷୟକ୍ଷତିର ପ୍ରକୃତ ସ୍ଥିତି ପ୍ରତିଫଳିତ ହୋଇଥିଲା। ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପରିଚାଳନା କରୁଥିବା ଟାଟା ଏଆଇଜି କମ୍ପାନୀ ପ୍ରାଥମିକ ଭାବେ କ୍ରପ୍କଟିଂ ରିପୋର୍ଟ ଆଧାରରେ କ୍ଷୟକ୍ଷତି ଆକଳନ କରିଥିଲା। ହେଲେ ପରେ ବୀମା ପ୍ରାପ୍ୟ ପଇଠ ବେଳେ କ୍ଷୟକ୍ଷତି ଆକଳନ ରିପୋର୍ଟରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ସେଥିରେ କ୍ରପ୍କଟିଂଠାରୁ ବୀମା ପ୍ରାପ୍ୟ ପଇଠ ତାଲିକାରେ କ୍ଷତି ପରିମାଣ କମ୍ ଦର୍ଶାଯାଇଥିଲା। ଏପରିକି ଗୋଟିଏ ପଞ୍ଚାୟତର ଚତୁଃପାଶ୍ୱର୍ରେ ଥିବା ପଞ୍ଚାୟତମାନଙ୍କର ପ୍ରାପ୍ୟ ଗୋଟିଏ ପ୍ରକାରର ହୋଇଥିବା ବେଳେ ସଂପୃକ୍ତ ପଞ୍ଚାୟତର କ୍ଷତି ପରିମାଣ ଖୁବ୍ କମ୍ ଦର୍ଶାଯାଇଥିଲା। ଜିଲ୍ଲାର ୨୧ଟି ପଞ୍ଚାୟତରେ କ୍ଷୟକ୍ଷତି ଆକଳନରେ ଏଭଳି ତାରତମ୍ୟ ହୋଇଥିବା ଦେଖାଯାଇଛି। ଏହାକୁ ନେଇ ଚାଷୀ ସଂଗଠନ ଓ ଚାଷୀମାନେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସିଥିବା ବେଳେ ଟାଟା ଏଇଆଜି କମ୍ପାନୀ ଜିଲ୍ଳାରେ ୨୦୧୮-୧୯ ଋତୁର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପରିଚାଳନା ଦାୟିତ୍ୱରୁ ଓହରି ଯାଇଥିବାରୁ ବୀମା ପ୍ରାପ୍ୟ ମିଳିବା ନେଇ ଚାଷୀ ମହଲରେ ସଂଶୟ ପ୍ରକାଶ ପାଇଛି। ସେହିପରି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଧନକଉଡ଼ା ଓ ମାନେଶ୍ୱର ବ୍ଳକ୍ର ୧୨ଟି ପଞ୍ଚାୟତର ଚାଷୀଙ୍କୁ ଫସଲ ବୀମା ପ୍ରାପ୍ୟ ପଇଠ ପାଇଁ ଅର୍ଥ ମଂଜୁରୀ ସତ୍ତ୍ୱେ ବୀମା କମ୍ପାନୀ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଚାଷୀମାନେ ବୀମା ପ୍ରାପ୍ୟ ପାଇ ପାରି ନାହାନ୍ତି। ଏ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ସେପ୍ଟେମ୍ବର ୧୮ ଓ ୧୯ ତାରିଖ ଦୁଇ ଦିନ ପ୍ୟାକ୍ସ ଓ ଲ୍ୟାମ୍ପସ୍ଗୁଡ଼ିକୁ ଅଚଳ କରିବା ଏବଂ ପରବର୍ତ୍ତୀ ଦିନ ଅର୍ଥାତ୍ ସମବାୟ ବ୍ୟାଙ୍କଗୁଡ଼ିକରେ ତାଲା ପକାଇବାକୁ ଘୋଷଣା କରିଥିଲା। ତଦନୁଯାୟୀ ଆଜି ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ରେମେଡ଼ ପ୍ୟାକ୍ସରେ ଦିଲୀପ ସାହୁ, ଏମ୍. ଗୋବିନ୍ଦୁ, ଭୈରବ ପ୍ରଧାନ, ଆନନ୍ଦ ବରାଇ, ସଂର୍କମା ପ୍ୟାକ୍ସରେ ସୌମ୍ୟଭୂଷଣ ସାହାଣୀ ଓ ସୁବ୍ରତ ପ୍ରଧାନ, ଏ. କଟାପାଲି ପ୍ୟାକ୍ସରେ ଚିତ୍ତରଞ୍ଜନ ମହତ୍ତମ, ଦିଲୀପ ଭୋଇ, ତ୍ରିଲୋଚନ ପ୍ରଧାନ, ଅଶୋକ ନାଥ, ଚାଉଁରପୁର ପ୍ୟାକ୍ସରେ ଘନଶ୍ୟାମ କର ଓ ସାହେବ ରଣା, ମାନେଶ୍ୱର ପ୍ୟାକ୍ସରେ ବିଦ୍ୟାଧର ପ୍ରଧାନ, ସୁଦର୍ଶନ ମହାପାତ୍ରଙ୍କ ନେତୃତ୍ୱରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କର୍ମଚାରୀମାନଙ୍କୁ ବାହାରକୁ ଆସିବାକୁ କହି ତାଲା ପକାଇଥିଲେ। ଜଗନ୍ନାଥ ଦୀକ୍ଷିତ, ଦିଲୀପ ପଣ୍ଡା, ଭକ୍ତବନ୍ଧୁ ବାବୁ, ଶେଷଦେବ ବେହେରା, ମୁକ୍ତେଶ୍ୱର ବେହେରା, ସନ୍ତୋଷ ପୁରୋହିତ, ଗୋପରଞ୍ଜନ ପଣ୍ଡା, ମକୁନ୍ଦ ପତି, ଅଶ୍ୱିନୀ ମହାପାତ୍ରଙ୍କ ନେତୃତ୍ୱରେ ବତେମୁରା, ବରଗାଁ, ଧମା ପ୍ୟାକ୍ସରେ ଚାଷୀମାନେ ତାଲା ପକାଇଥିଲେ। ଝାଙ୍କରପାଲି ପ୍ୟାକ୍ସରେ ପ୍ରକାଶ ପ୍ରଧାନ ଓ କୃଷ୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଆନ୍ଦୋଳନ ହୋଇଥିଲା। ସେହିପରି ଠେମରା, କର୍ଡୋଲା, ଶାସନ, ତାଲବ, ବାହାମ, ଟାମ୍ପରକେଲା, କୁଲୁଣ୍ଡି, କୁସୁମୀ ପେକ୍ସରେ ମଧ୍ୟ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ତାଲା ପକାଇଥିବା ଖବର ହସ୍ତଗତ ହୋଇଛି।

Leave a Reply

Your email address will not be published. Required fields are marked *