ପ୍ଲାଷ୍ଟିକ ବ୍ୟାନ ପାଇଁ ପଦକ୍ଷେପ ନେବେ ସରକାର ; ସରକାର କେବଳ ଘୋଷଣା କଲେ ହେବ ନାହିଁ । ଏହାକୁ କାର୍ଯ୍ୟକାରୀ କରିବାକୁ ଦୃଢ ପଦକ୍ଷେପ ନେବା ଜରୁରୀ ; ବରିଷ୍ଟ ସାମ୍ବାଦିକ ଅଭୟ ପତି

ଯାଜପୁର-୧୧/୮(ଓଡିଆ ପୁଅ/ଏ.ରାଉତ) ଆଜି ସମାଜରେ ମଣିଷ ପ୍ଲାଷ୍ଟିକ ସହିତ ଏଭଳି ଜଡିତ ହୋଇ ଯାଇଛି ପ୍ଲାଷ୍ଟିକ ବିନା ବଞ୍ଚିବା ମଧ୍ୟ ଅସମ୍ଭବ ମନେ ହେଲାଣି । ଘର ଠାରୁ ବାହାର ପର୍ଯ୍ୟନ୍ତ ସମସ୍ତ ବ୍ୟବହାର ଜନିଷ ପ୍ଲାଷ୍ଟିକ ଦ୍ୱାରା ନିର୍ମିତ ହେଉଛି । ଖାଇବା ଥାଳି ଠାରୁ ଆରମ୍ଭ କରି ପିଇବା ପାଣି ପାଇଁ ପ୍ଲାଷ୍ଟିକର ବ୍ୟବହାର ହେଉଛି । ବଜାରେ ମିଳୁଥିବା ପାଣିର ପାଉଚ ପ୍ଲାଷ୍ଟିକରେ ତିଆରି ହୋଇଥିଲାବେଳେ କ୍ଷୀର ଜରି ସହିତ ପାଣି ବୋତଲ ମଧ୍ୟ ପ୍ଲାଷ୍ଟିକରେ ତିଆରି ହୋଇଛି । ପୂର୍ବରୁ ପାଣି, ଚାହା ପିଇବା ପାଇଁ କାଚ କିମ୍ବା ଷ୍ଟିଲ ଗ୍ଲାସର ବ୍ୟବହାର ହେଉଥିଲା ବେଳେ ଏବେ ତାହା ମଧ୍ୟ ପ୍ଲାଷ୍ଟିକରେ ତିଆରି ହେଲାଣି । ଏହାର ବହୁଳ ବ୍ୟବହାର ମଧ୍ୟ ଦେଖିବାକୁ ମିଳୁଛି । ଏହାକୁ ବ୍ୟବହାର କରି ଜନସାଧାରଣ ମାରାତ୍ମକ ରୋଗର ଶିକାର ହେଉଥିବା ମଧ୍ୟ ବୈଜ୍ଞାନିକ ମାନେ ମତ ଦେଲେଣି । ପ୍ଲାଷ୍ଟିକର ବହୁଳ ବ୍ୟବହାର ଫଳରେ ମାରତ୍ମକ କ୍ୟାନସର ରୋଗ ବ୍ୟାପୁଥିବା ମଧ୍ୟ ପ୍ରମାଣିତ ହେଲାଣି । ଏହା ସହିତ ପ୍ଲାଷ୍ଟିକରେ ବିଭିନ୍ନ ଶୈାଖିନ ଜିନିଷ ତିଆରି କରାଯାଇ ବିକ୍ରି କରାଯାଉଥିଲାବେଳେ ଏହାର ମଧ୍ୟ ବହୁଳ ବ୍ୟବହାର ହେଉଛି । ଅପରପକ୍ଷେ ଏହାକୁ ବ୍ୟବହାର କରି ଲୋକମାନେ ପଦାରେ ଫିଙ୍ଗି ଦେଉଥିଲାବେଳେ ଏହା ନଷ୍ଟ ନହୋଇ ମାଟି ତଳେ ରହିଯାଉଛି । ଯାହା ଦ୍ୱାରା ମାଟିର ଉର୍ବରତା କମିବା ସହିତ ମାଟିର ଜଳସ୍ତର ମଧ୍ୟ ଉଦ୍ବେଗ ଜନକ ଭାବେ ହ୍ରାସ ପାଉଛି । ଏହା ମିଳାଇବା ପରିବର୍ତ୍ତେ ସେମିତି ରହୁଥିବାରୁ ପରିବେଶ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି । ରାସ୍ତା କଡରେ ପଡିଥିବା ପ୍ଲାଷ୍ଟିକକୁ ଖାଇ ବହୁ ଜୀବଜନ୍ତୁ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି । ଦିନକୁ ଦିନ ପ୍ଲାଷ୍ଟିକ ମାନବ ସମାଜ ପ୍ରତି ବିପଦର କାରଣ ପାଲଟି ଯାଉଥିଲାବେଳେ ପରିବେଶବିତ ମାନେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହି ସମୟରେ ରାଜ୍ୟ ସରକାର ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଠାରୁ ରାଜ୍ୟରେ ପ୍ଲାଷ୍ଟିକକୁ ବ୍ୟାନ କରିବାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନିଷ୍ପତ୍ତି ଦ୍ୱାରା ଜନସାଧାରଣ କେତେ ଉପକୃତ ହେବେ ଓ ସରକାର ଏହାକୁ କେତେ ଆନ୍ତରିକତାର ସହିତ ପାଳନ କରିବେ । ଅପରପକ୍ଷେ ପ୍ଲାଷ୍ଟିକ ବ୍ୟାନ ହେବା ଦ୍ୱାରା ଏହା ସମାଜ ପ୍ରତି ମଙ୍ଗଳମୟ ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି । ସରକାର କେବଳ ଘୋଷଣା କଲେ ହେବ ନାହିଁ । ଏହାକୁ କାର୍ଯ୍ୟକାରୀ କରିବାକୁ ଦୃଢ ପଦକ୍ଷେପ ନେବା ଜରୁରୀ । ଜନସାଧାରଣ ମଧ୍ୟ ସଚେତନ ହେବା ଜରୁରୀ । ଜନସାଧାରଣଙ୍କୁ ସଚେତନ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ବରିଷ୍ଟ ସାମ୍ବାଦିକ ଅଭୟ ପତିା

Leave a Reply

Your email address will not be published. Required fields are marked *