କେନ୍ଦୁଝର ୨୯/୬(ଓଡିଆ ପୁଅ/ପ୍ରଦୀପ ମହାନ୍ତି): କେନ୍ଦୁଝର ଜିଲ୍ଲାର ବାଂଶପାଳଠାରେ ଭୂୟାଁ ଜୁଆଙ୍ଗ ପୀଢ ବନାଞ୍ଚଳ ପକ୍ଷରୁ ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବାଂଶପାଳ ବ୍ଲକ ଛକଠାରୁ ଏକ ସଚେତନତା ର୍ୟାଲି ବାହାରି ବାଂଶପାଳ ହାଟପଦା ସାପ୍ତାହିକୀ ହାଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହି ସଚେତନତା ର୍ୟାଲିରେ ବିଜେପି ରେଞ୍ଜର ମୁକ୍ତିକାନ୍ତ ପରିଡା, ଫରେଷ୍ଟର ଟିକେଶ୍ୱର ମହାନ୍ତ, ଫରେଷ୍ଟର ଉମେଶ ଚନ୍ଦ୍ର ତ୍ରିପାଠୀ, ଇକୋ କ୍ଲବର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତ୍ତା, ବାଂଶପାଳ ଫାଣ୍ଡି କର୍ମଚାରୀ, ବନବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ଅଂଶଗ୍ରହଣ କରି ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ସମସ୍ତେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଶପଥ ନେଇଥିଲେ। ଏହି ଅବସରରେ ବାଂଶପାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ରେଞ୍ଜରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁଁ ଜନସାଧାରଣ ସହ ପଶୁପକ୍ଷୀଙ୍କ ଉପରେ ଏହାର ଖରାପ ପ୍ରଭାବ ପଡୁଥିବାବେଳେ ଏଥିଯୋଗୁଁ ଅନେକ ରୋଗ ସୃଷ୍ଟି ହେଉଥିବା ଉପସ୍ଥିତ ଅତିଥିମାନେ ମତ ରଖିଥିଲେ। ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ ପାଇଁ ସମସ୍ତେ ସ୍ଲୋଗାନ ଦେଇ ସ୍ଥାନୀୟ ଅଧିବାସୀଙ୍କୁ ସଚେତନ କରାଇଥିଲେ। ବାଂଶପାଳ ବ୍ଲକ ଛକଠାରୁ ହାଟପଦା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ପଡିଥିବା ପ୍ଲାଷ୍ଟିକ ଅଳିଆ ଆବର୍ଜନାକୁ ସଂଗ୍ରହ କରିଥିଲେ। ପ୍ଲାଷ୍ଟିକ୍ ବର୍ଯ୍ୟବସ୍ତୁକୁ ବସ୍ତାରେ ପ୍ୟାକିଂ କରାଯାଇ ରିସାଇକେଲିଂ ପାଇଁ ବରଗଡସ୍ଥିତ ଏସିସି କାରଖାନାକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ବିଜେପି ରେଞ୍ଜ ପକ୍ଷରୁ ସୂଚନା ଦିଆଯାଇଛି।
