ପ୍ରେମ ବିବାହର ଜ୍ୱଳନ୍ତ ପରିଣତି

ଯୋଡା- ତା ୨୮/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଏକ ମାସ ପୂର୍ବେ ପ୍ରେମ ବିବାହ କରିଥିବା ଜଣେ ଯୁବତୀଙ୍କ ଦେହରେ ତାଙ୍କର ସ୍ୱାମୀ କିରୋସିନ ଢାଳି ନିଆଁ ଲଗାଇଦେବା ଫଳରେ ୧ ମାସ ଧରି ମୃତ୍ୟୁ ସହ ସଂଗ୍ରାମ କରି ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପ୍ରେମ ବିହାର ଏହି କରୁଣ ପରିଣତି ସମଗ୍ର ଯୋଡା ଅଞ୍ଚଳକୁ ସ୍ୱବ୍ଧ କରିଦେଇଛି। ଘଟଣାରୁ ପ୍ରକାଶ ଯେ, କମାରଯୋଡା ଠାରେ ଚନ୍ଦ୍ରିକା ମୁଣ୍ଡା ନାମକ ଜଣେ ୧୬ ବର୍ଷିଆ ଯୁବତୀ ଅର୍ଜୁନ ମୁଣ୍ଡା ନାମକ ସ୍ଥାନୀୟ ଜଣେ ଯୁବକକୁ ୧ ମାସ ପୂର୍ବେ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ଜୁରୁଡି ଠାରେ ଏକ ଭଡା ଘର ନେଇ ରହୁଥିଲେ। ବିବାହର ଅଳ୍ପ କେଇ ଦିନ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ କଳହ ସୃଷ୍ଟି ହେବା ପରେ ପରିଣାମ ସ୍ୱରୁପ ଅର୍ଜୁନ ଉତ୍କ୍ଷିପ୍ତ ହୋଇ ଚନ୍ଦ୍ରିକାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲା। ଅତ୍ୟନ୍ତ ମୁର୍ମୁଷ ଅବସ୍ଥାରେ ତାଙ୍କୁ ଯୋଡା ଗତ ଅପ୍ରେଲ ମାସ ୩୦ ତାରିଖରେ ସ୍ଥାନୀୟ ଟାଟା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚନ୍ଦ୍ରିକାଙ୍କର ମା – ବାପା ନଥିବାରୁ ତାଙ୍କର ଭିଣୋଇ ବାଦଲ ଗୋପ ତାଙ୍କ ଦେଖଭାଲ କରିଆସୁଥିଲେ। ଏ ସଂକ୍ରାନ୍ତରେ ସେ ଯୋଡା ଥାନାରେ ଖବର ଦେବା ପରେ ପୁଲିସ ଚନ୍ଦ୍ରିକାଙ୍କର ଚିକିତ୍ସା କରିବାକୁ ପରାମର୍ଶ ଦେଇ ସେତିକି ତାଙ୍କର ଦାୟିତ୍ୱ ସମ୍ପନ୍ନ କରିଥିଲେ। ଏହା ପରେ ସ୍ୱାମୀ ଅର୍ଜୁନ ମୁଣ୍ଡା ଓ ଶ୍ୱଶୁର ମଷ ମୁଣ୍ଡା ଏବଂ ଚନ୍ଦିକାଙ୍କ ଭିଣୋଇ ବାଦଲ ଗୋପ ତାଙ୍କୁ ନେଇ କଟକ ବଡ ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସ୍ୱାମୀ ଏବଂ ଶ୍ୱଶୁର ସନ୍ଦେହ ଜନକ ଭାବେ ସେଠାରୁ ଖସି ପଳେଇଯାଇଥିଲେ। ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତକାଲି କଟକ ବଡ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଚନ୍ଦ୍ରିକାଙ୍କର ମୃତ୍ୟୁ କାଳିନ ଜମାନବନ୍ଦିରେ ସେ ତାଙ୍କର ସ୍ୱାମୀ କିରୋସିନ ଢାଳି ନିଆଁ ଲଗାଇଦେଇଥିବା ସ୍ପଷ୍ଟ କରିଥିବା ବେଳେ ଏବେ ପୁଲିସର ଭୁମିକା କଣ ରହିବା ତାହା ନେଇ ସାଧାରଣ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *