ଓଡ଼ିଶା

ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ଚାଲିଛି ହାଇସ୍କୁଲ ଶିକ୍ଷାଦାନ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ୨୩ଟି ସରକାରୀ ଓ ୧୦ଟି ଅନୁଦାନପ୍ରାପ୍ତ ହାଇସ୍କୁଲ ରହିଛି। ସେଥିମଧ୍ୟରୁ ୧୬ଟି ସରକାରୀ ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ଜଣାଯାଇଛି। ସେହିସବୁ ହାଇସ୍କୁଲର ସହକାରୀ ଶିକ୍ଷକମାନେ ପ୍ରଧାନ ଶିକ୍ଷକର ଦାୟିତ୍ୱ ତୁଲାଉଛନ୍ତି। ବର୍ଷେ ତଳେ ନିଯୁକ୍ତି ପାଇଥିବା ଜଣେ ଚୁକ୍ତି ଭିତ୍ତିକ କଳା ଶିକ୍ଷକ ମଣିନାଥପୁର ଏନକେପି ନୋଡାଲ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ତୁଲାଉଛନ୍ତି। ସେଠାରେ ଆଉ କୌଣସି ହାଇସ୍କୁଲ ସ୍ତରୀୟ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନଥିବା ଜଣାଯାଇଛି। ଜଣେ ମାତ୍ର ଅନଭଜ୍ଞ କଳା ଶିକ୍ଷକଙ୍କ ହାତରେ ନବମ ଓ ଦଶମ ଶ୍ରେଣୀର ୧୧୬ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥା ରହଛି। ଏବେ ଏହି ବିଦ୍ୟାପୀଠ ନୋଡାଲ ହାଇସ୍କୁଲରେ ପରିଣତ ହୋଇଛି। ପ୍ରାଥମିକ ସ୍ତରର ବିଦ୍ୟାଳୟ ଏହି ହାଇସ୍କୁଲ ସହ ମିଶ୍ରଣ ହୋଇଥିବାରୁ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ନବମ ଓ ଦଶମ ଶ୍ରେଣୀର ଶିକ୍ଷାଦାନ ଦାୟିତ୍ୱ ତୁଲାଉଛନ୍ତି। ଫଳରେ ଏହି ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଘରୋଇ ସ୍କୁଲକୁ ମୁହାଁଉଥିବା ଜଣାଯାଇଛି। ସଂଘ ପ୍ରସ୍ତାବରେ ସହମତି ହୋଇ ସରକାର ହାଇସ୍କୁଲ ସହ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ କରିବାର ନଗ୍ନରୂପ ଏବେ ପଦାକୁ ଆସିଛି। ସରସଦା, ଖଡିସିଙ୍ଗା, ମଣିନାଥପୁର ଆଦି ହାଇସ୍କୁଲରେ ଆଦୌ ବିଜ୍ଞାନ ଶିକ୍ଷକ ନଥିବାବେଳେ ମାଧ୍ୟମିକ ଶିକ୍ଷାଦାନ କିପରି ଚାଲିବ, ସେନେଇ ଅଭିଭାବକମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି। ଭଣ୍ଡାରିପୋଖରୀ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ୧୦ କିମି ଦୂର ଖଡିସିଙ୍ଗା ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏପରିକି ଭଣ୍ଡାରିପୋଖରୀର ୧୭ ହାଇସ୍କୁଲ ସହ ମିଶ୍ରଣ ହୋଇଥିବା ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀମାନେ ନବମ ଓ ଦଶମ ଶ୍ରେଣୀରେ ଶିକ୍ଷାଦାନ ସହ ଜଡିତ ଥିବା ଜଣାଯାଇଛି। ମୋଟାମୋଟି ଭାବେ ଭଣ୍ଡାରିପୋଖରୀ ବିଭିନ୍ନ ହାଇସ୍କୁଲ ନବମ ଓ ଦଶମ ଶ୍ରେଣୀର ମୋଟ ୩ ହଜାର ୧୬୫ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପରିଚାଳିତ ହେବା ବିଡମ୍ବନାର ବିଷୟ। କଣ୍ଟି, ରହଣିଆ, ଜଗନ୍ନାଥପ୍ରସାଦ ଭଳି ବହୁ ନୋଡାଲ ହାଇସ୍କୁଲର ପ୍ରାଥମିକ ଶିକ୍ଷା ପାଇଁ ମଧ୍ୟ ଆବଶ୍ୟକଠାରୁ କମ ଶିକ୍ଷକ ଅଛନ୍ତି। ହାଇସ୍କୁଲ ସହ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ କରି ସରକାର ହାଇସ୍କୁଲ ଶିକ୍ଷାଦାନ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛନ୍ତି ବୋଲି ବହୁ ଅଭିଭାବକ ଅଭିଯୋଗ କରିଛନ୍ତି। ଏବେ ଖାଲି ପଡିଥିବା ହାଇସ୍କୁଲ ଶିକ୍ଷକ ପଦବୀରେ ଆଂଶିକ ଭାବେ ଆହ୍ୱାନ କରାଯାଇଥିବା ଅତିଥି ଶିକ୍ଷକ ନିଯୁକ୍ତ ପାଇଁ କୌଣସି ପ୍ରାର୍ଥୀ ଆବେଦନ କରି ନଥିବା ଜିଲା ଶିକ୍ଷାଧିକାରୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଖୋଲିଛି। ମାତ୍ର ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ ହେବା ଦ୍ୱାରା କେବଳ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯାଉଛି ବୋଲି ବୁଦ୍ଧିଜିବୀମାନେ ମତ ପ୍ରକାଶ କରିଛନ୍ତି। ଭଦ୍ରକ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ଏହି ପ୍ରସଙ୍ଗରେ ଅବଗତ ଥିବା ଓ ଏଥିନେଇ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top