ପ୍ରାଥମିକ ଶିକ୍ଷକ ତଥା ଶିକ୍ଷା ସହାୟକମାନଙ୍କୁ ପୁଣି ଥରେ ମିଛ ପ୍ରତିଶୃତି ଦେଇ ବିଭ୍ରାନ୍ତ କରିଛନ୍ତି ରାଜ୍ୟ ସରକାର : ବିଜେପି

– ଦଳୀୟ ନେତାଙ୍କ ସହାୟତାରେ ପ୍ରାୟୋଜିତ ଭାବେ ଆନ୍ଦୋଳନ କରୁଛି ରାଜ୍ୟ ସରକାର
– ଦୀର୍ଘ ୧୮ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ରାଜ୍ୟ ସରକାର ସ୍ୱଚ୍ଚ ଓ ବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ କରିପାରଲେ ନାହିଁ ରାଜ୍ୟ ସରକାର
– ସଂଘୀୟ ବ୍ୟବସ୍ଥା ଉପରେ ରାଜ୍ୟ ସରକାରଙ୍କ ଭରସା ନାହିଁ
– ରାଜ୍ୟରେ ଖାଲି ପଡିଥିବା ୪୦ ହଜାରରୁ ଅଧିକ ଶିକ୍ଷକ ପଦବୀ କେବେ ପୂରଣ ହେବ

ଭୁବନେଶ୍ୱର, ତା ୧୩/୦୩ (ଓଡ଼ିଆ ପୁଅ) : ରାଜ୍ୟରେ ଦୀର୍ଘ ୧୮ ବର୍ଷ ଧରି ଶାସନ କ୍ଷମତାରେ ଚିଠି ଲେଖା ସରକାର ରହିଛି ଏବଂ ଶାସକ ବିଜେଡିର ମୁଖିଆ ହେଲେ ଏହାର ମୁଖ୍ୟ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ମିଛ କଥାର ପାହାଡ ଉପରେ ବସି ରହି ପୁଣି ମିଛ କହି ରାଜ୍ୟବାସୀଙ୍କୁ କେବଳ ଭୂଆଁ ବୁଲାଉଛନ୍ତି। ଗତ କାଲି ରାଜ୍ୟ ସରକାର ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ତଥା ଶିକ୍ଷା ସହାୟକମାନଙ୍କୁ ପୁଣି ଥରେ ମିଛ ପ୍ରତିଶୃତି ଦେଇ ବିଭ୍ରାନ୍ତ କରିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥିରାଜ ହରିଚନ୍ଦନ ଅଭିଯୋଗ କରିିଛନ୍ତି।

ଶାସକ ବିଜେଡି ତଥା ରାଜ୍ୟ ସରକାର ନିଜର ପ୍ରାୟୋଜିତ ଦଳାଲମାନଙ୍କ ସହାୟତାରେ ବିଭିନ୍ନ ଆନ୍ଦୋଳନ ଚଳାଇଛନ୍ତି। ପୂର୍ବରୁ ଅଙ୍ଗନବାଡୀ, ଠିକା ନର୍ସ, ଜିଆରଏସ ମାନଙ୍କୁ ବିଭ୍ରାନ୍ତି କରିବା ପାଇଁ କିଛି ନିଜ ଦଳୀୟ ଲୋକଙ୍କୁ ଧରି ପ୍ରାୟୋଜିତ ଭାବେ ସରକାର ଚେଷ୍ଟା କରିଆସୁଛନ୍ତି। ଗତ କାଲିର ଘୋଷଣା ମଧ୍ୟ ଏଭଳି ସଦୃଶ ଏବଂ ରାଜ୍ୟ ସରକାରଙ୍କ ଏପରି ମିଥ୍ୟା ଅବତାରଣା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରାଜ୍ୟ ସରକାରଙ୍କ ନୈତିକ ଦାୟୀତ୍ୱ ହେଉଛି ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରିବା। ମାତ୍ର ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଦୀର୍ଘ ୧୮ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ରାଜ୍ୟ ସରକାର ସ୍ୱଚ୍ଚ ଓ ବ୍ୟବସ୍ଥିତ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ କରିପାରଲେ ନାହିଁ। ବର୍ତମାନ ରାଜ୍ୟରେ ୪୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ଥିଲେ ମଧ୍ୟ ସରକାର ସେଗୁଡିକ ପୂରଣ କରିପାରିଲେ ନାହିଁ। ରାଜ୍ୟରେଥିବା ସ୍କୁଲ ଗୁଡିକରେ ଉପଯୁକ୍ତ ପାଠପଢା ବାତାବରଣର ଅଭାବ, ଶ୍ରେଣୀ ଗୃହ ଏବଂ ଶିକ୍ଷକମାନଙ୍କର ଅଭାବ ଦେଖା ଦେବା ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଆଧାରରେ ୨୫ ପ୍ରତିଶତ ବଢାଇବାକୁ ଚାହୁଁଛୁ କହି ରାଜ୍ୟସରକାର କେନ୍ଦ୍ର ସରକାରଙ୍କ ପାଖକୁ ଚିଠି ଲେଖିଥିଲେ। ସବୁ ସମୟରେ କେନ୍ଦ୍ର ସରକାର ‘ରାଇଟ ଟୁ ଏଜୁକେସନ’ ଜରିଆରେ ଓଡିଶା ନୁହେଁ ବରଂ ଦେଶର ସମସ୍ତ ରାଜ୍ୟକୁ ଅନୁଦାନ ଦିଆଯଇଥାଏ। ଏପରିକି ସ୍କୁଲ ମରାମତି ଏବଂ ନିର୍ମାଣ ପାଇଁ, ଶିକ୍ଷା ଉପକରଣ ପାଇଁ, ଶିକ୍ଷାସହାୟକ ମାନଙ୍କ ଦରମା ପାଇଁ ବି ଅର୍ଥ ଆସିଥାଏ। ମାତ୍ର ସଂଘୀୟ ବ୍ୟବସ୍ଥା ଉପରେ ରାଜ୍ୟ ସରକାରଙ୍କ ଭରସା ନାହିଁ। ସର୍ବଦା କେନ୍ଦ୍ରକୁ ଦୋଷ ଦେଇ ନିଜ ଅପାରଗତାକୁ ଲୁଚାଇବା ପାଇଁ ବାଟ ଖୋଜୁଥିବା ରାଜ୍ୟ ସରକାର ପୁଣି ଥରେ ଗତ ନଭେମ୍ବର ମାସରେ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଚିଠି ଲେଖିଥିଲେ। ମାତ୍ର ସଠିକ୍ ଅର୍ଥ ପରିମାଣ ଦର୍ଶାଇ ନାହାନ୍ତି। ଚିଠି ଲେଖିବା ପୂର୍ବରୁ ଥରେ ରାଜ୍ୟ ସରକାର ଅର୍ଥର ପରିମାଣ କେତେ ଏବଂ ଆଡିସିନାଲ ବଜେଟ କେତେ ଲାଗୁଛି, ତାର ହିସାବ ମଧ୍ୟ ଦେବା ଆବଶ୍ୟକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରାଜ୍ୟସରାକାର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହେଉଥିବା ଆନ୍ଦୋଳନକୁ ନିଜ ଦଳୀୟ ଲୋକଙ୍କ ମାଧ୍ୟମରେ ପରିଚାଳନା ନକରି ଶିକ୍ଷା ବ୍ୟବସ୍ଥା କେମିତି ସଜଡାଯିବ ସେ ନେଇ ସରକାର ଚିନ୍ତା କରିବା ଆବଶ୍ୟକ। କେମିତି ଶିକ୍ଷା ସହାୟକମାନେ ଠିକ୍ ଢଙ୍ଗରେ ଶିକ୍ଷା ପ୍ରଦାନ କରିବେ ? ଖାଲି ପଡିଥିବା ୪୦ ହଜାରରୁ ଅଧିକ ଶିକ୍ଷକ ପଦବୀ କେବେ ପୂରଣ ହେବ ସେନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *