ଜିଲ୍ଲା ପରିକ୍ରମା

ପ୍ରାଥମିକ ଶିକ୍ଷକଙ୍କୁ ବେତନ ପ୍ରଦାନରେ ବିଳମ୍ବରୁ ଅସନ୍ତୋଷ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକ୍ ଏବଂ ପୌରପାଳିକା ଅଂଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କୁ ବେତନ ଦେବାରେ ଅହେତୁକ ବିଳମ୍ବତାକୁ ନେଇ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ଗାଇଡ୍ ଲାଇନ୍ ଅନୁଯାୟୀ ଶିକ୍ଷକ ମାନଙ୍କୁ ପ୍ରତିମାସ ୧ ରୁ ୫ ତାରିଖ ମଧ୍ୟରେ ବେତନ ଦିଆଯିବାକୁ କୁହାଯାଇଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଦାୟିତ୍ୱ ହୀନତା ଯୋଗୁଁ ଶିକ୍ଷକମାନେ ପ୍ରତିମାସ ୧୫ ତାରିଖ ଅଥବା ଏହା ପରେ ବେତନ ପାଉଛନ୍ତି। ଶିକ୍ଷକମାନଙ୍କ ଅଭିଯୋଗ ଯେ ଏଥି ସକାଶେ ପର୍ଯ୍ୟାପ୍ତ ଅର୍ଥ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶିକ୍ଷକମାନଙ୍କ ଠାରୁ ହାତଗୁଂଜା ନେବା ସକାଶେ ଜାଣିଶୁଣି ବେତନକୁ ବିଳମ୍ବିତ କରୁଛନ୍ତି। ଫଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମାନେ ସେମାନଙ୍କ ବେତନ ଠିକଣା ସମୟରେ ନପାଇ ହୀନସ୍ତା ହେଉଛନ୍ତି। ଗୋଟିଏ ପଟରେ ଜିଲାର ଅନ୍ୟାନ୍ୟ ବ୍ଲକ୍ରେ କାମ କରୁଥିବା ପ୍ରାଥମିକ ଶିକ୍ଷକ ମାନଙ୍କୁ ଠିକଣା ସମୟରେ ବେତନ ଦିଆଯାଉଥିବା ବେଳେ ଭଦ୍ରକ ବ୍ଲକ୍ ଏବଂ ପୌରପାଳିକାରେ କାହିଁକି ଏହାର ବ୍ୟତିକ୍ରମ ହେଉଛି, ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଶିକ୍ଷକମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ (ବିଇଓ) ଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏଥିନେଇ ଭଦ୍ରକ ବିଇଓ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ପଚରାଯିବାରେ ସେ ଶିକ୍ଷକମାନଙ୍କ ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଚଳିତମାସ ଶିକ୍ଷକମାନଙ୍କ ବେତନରୁ ଆୟକର କାଟଛାଣ୍ଟ କରାଯାଉଥିବା ଯୋଗୁଁ ଶିକ୍ଷକମାନଙ୍କ ବେତନ ଦେବାରେ ବିଳମ୍ବିତ ହୋଇଥିବା କଥା ସେ କହିଛନ୍ତି। ଅନୁରୂପ ଗତମାସରେ ଶିକ୍ଷକମାନଙ୍କ ଦରମା ନିର୍ଦ୍ଧାରଣ ଯୋଗୁଁ ବେତନ ପ୍ରଦାନ ବିଳମ୍ବିତ ହୋଇଥିଲା। ସେହିଭଳି ଅନ୍ୟାନ୍ୟ ବ୍ଲକ୍ରେ ମାତ୍ର ୭/୮ ଶହ ଶିକ୍ଷକ ରହିଥିବାବେଳେ ଭଦ୍ରକ ବ୍ଲକ୍ ଓ ପୌରପାଳିକାରେ ପ୍ରାଥମିକ ଶିକ୍ଷକ ସଂଖ୍ୟା ୧୫ ଶହରୁ ଉର୍ଦ୍ଧ୍ୱ ହୋଇଥିବା ଯୋଗୁଁ ବେତନ ପ୍ରଦାନରେ ବେଳେ ବେଳେ ସାମୟିକ ବିଳମ୍ବ ହେଉଥିବା କଥା ସେ କହିଛନ୍ତି। ତେବେ ବ୍ଲକ୍ ଶିକ୍ଷାଧିକାରୀ ଏଥିନେଇ ଯାହା ସ୍ପଷ୍ଟୀକରଣ ଦିଅନ୍ତୁ ନା କାହିଁକି ସ୍ୱଳ୍ୱ ବେତନରେ କାମ କରୁଥିବା ପ୍ରାଥମିକ ଶିକ୍ଷକମାନଙ୍କୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ବେତନ ଦିଆଯାଉନଥିବା ଯୋଗୁଁ ସେମାନେ ଆର୍ଥିକ ସଂକଟର ସମ୍ମୁଖୀନ ହୋଇ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଏହି ଧରଣର ଅଭିଯୋଗ ଆଣିଥିବା କୁହାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top