ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

ବୌଦ୍ଧ, ୨୫ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ରାଜ୍ୟ ଅଣଗେଜେଟେଡ୍ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ବୌଦ୍ଧ ଶାଖାର ସାଧାରଣ ବୈଠକ ସ୍ଥାନୀୟ ଏନ୍ଜିଓସିସି କର୍ମଚାରୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି କୌଶିକ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡ. ଏଲ.କେ. ଆଇଚ୍ ଓ ସ୍ୱତନ୍ତ୍ର ଅତିଥି ଭାବରେ ଅବସରପ୍ରାପ୍ତ ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡ. ବିଭୁଧେନ୍ଦୁ ପତି ଯୋଗଦେଇ କର୍ମଚାରୀମାନେ ଶୃଙ୍ଖଳିତ ଭାବରେ ନିଜର ଦାୟିତ୍ୱ ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ। ସଂଘର ସଂପାଦକ ବିବରଣୀ ପାଠ କରି ଏହି କୃଷି ଭିତିକ ଜିଲାରେ ପ୍ରାଣୀଧନ ଚିକିତ୍ସା ବିଭାଗର ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ଉପରେ ଆଲୋକପାତ କରିବା ସହିତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଉପସ୍ଥିତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଂଘ ପକ୍ଷରୁ କରାଯାଇଥିବା ୫ ଦଫା ଦାବି ମଧ୍ୟରେ ସପ୍ତମ ବେତନ କମିଶନରେ ଥିବା ଅସଙ୍ଗତି ଦୂରୀକରଣ, ପ୍ରାଣୀଧନ ନିରୀକ୍ଷକ ମାନଙ୍କୁ ଡିପ୍ଲୋମା ମାନ୍ୟତା, ପ୍ରାଣୀଧନ ନିରୀକ୍ଷକ କ୍ୟାଡରର ପୁର୍ନଗଠନ ଓ ପୁର୍ନବିନ୍ୟାସ, ନିଯୁକ୍ତି ନିୟମ ଓ କାର୍ଯ୍ୟାବଳୀରେ ପରିବର୍ତ୍ତନ, ଚୁକ୍ତି ଭିତିକ ପ୍ରାଣୀଧନ ନିରୀକ୍ଷକମାନଙ୍କ ୬ବର୍ଷ କାର୍ଯ୍ୟକାଳକୁ ଚାକିରୀ ସମୟରେ ମିଳୁଥିବା ଆର୍ଥିକ ସୁବିଧା ଏମ୍ଏସିପିରେ ଓ ପଦନ୍ନୋତିରେ ଗଣନା କରାଯିବା ଆଦି ପ୍ରମୁଖ ଦାବି ରହିଛି। ସେମାନଙ୍କ ଦାବି ଗୁଡିକୁ ଅଣଦେଖା କରାଗଲେ ରାଜ୍ୟ ସଂଘ ପକ୍ଷରୁ ଆଗାମୀ ୨୯ ତାରିଖରୁ ଦିଆଯାଇଥିବା ଆନ୍ଦୋଳନ ଡାକରାରେ ସବୁ କର୍ମଚାରୀ ସାମିଲ ହେବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ପ୍ରାଣୀଧନ ଚିକିତ୍ସାଧିକାରୀ ଡ. ଦେବରାଜ୍ ବେହେରା ଓ ଡ. ପ୍ରଫୁଲ୍ଲ କୁମାର ସାହୁ, ଅଣଗେଜେଟେଡ କର୍ମଚାରୀ ସଂଘର ଜିଲା ସଭାପତି ସତ୍ୟ ନାରାୟଣ ହୋତା, ସଂପାଦକ ରାଜେନ୍ଦ୍ର କୁମାର ମହାପାତ୍ର, ରାଜ୍ୟ ସଂପାଦକ ପ୍ରଦିପ କୁମାର ମିଶ୍ର, ଜୋନାଲ ସଂଗଠକ ରାମଚନ୍ଦ୍ର ନାୟକ ଓ ଅନଗୁଳ ଜିଲା ସଂଘ କର୍ମକର୍ତ୍ତା ଲକ୍ଷ୍ମଣ ଗଡନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପ୍ରଣାମ ପକ୍ଷରୁ ପ୍ରାରମ୍ଭିକ ସଙ୍ଗିତ ଓ ଦଶାବତାର ନୃତ୍ୟ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *