ପ୍ରାଚୀ ଉପତ୍ୟକାରେ ତାମ୍ର ପ୍ରସ୍ତର ଯୁଗର ସଂନ୍ଧାନ ପରେ ଖନନ ଆରମ୍ଭ: ମିଳିଳା ପୁରାତନ ପ୍ରସ୍ତର ସାମଗ୍ରୀ ଓ ଭଗ୍ନାବଶେଷ

ନିଆଳି/କଟକ ୧-୨ (ଓଡ଼ିଆ ପୁଅ/ଦେବବ୍ରତ ରାୟ) ପ୍ରାଚୀ ନଦୀ ଉପତ୍ୟାକାରେ ତାମ୍ର ପ୍ରସ୍ତର ଯୁଗ ସଭ୍ୟତାର ସଂନ୍ଧାନ ମିଳିବା ପରେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ବିଭାଗ ଉତ୍ ଖନନ ଶାଖା-୪ ପକ୍ଷରୁ ସୋମବାର ଉତ୍ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଉତ୍ ଖନନର ପ୍ରଥମ ଦିନରେ ପୁରାତନ ପ୍ରସ୍ତର କେତେକ ପ୍ରସ୍ତର ଖଣ୍ଡ ମିଳିଥିବା ଜଣାଯାଇଛି। ଖବର ନେବାରୁ ଜଣାଯାଇଛି ଦିର୍ଘଦିନ ତଳେ ଏହି ବ୍ଲକ୍ ଅନ୍ତର୍ଗତ ତାମ୍ପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ନିଆଳି ବ୍ଲକ୍ ଅଞ୍ଚଳ କୂଳ ଜଲ୍ଲାରପୁର ସ୍ଥିତ ଭାରତୀହୁଡ଼ାରେ କିଛି ପୁରାତନ ସଭ୍ୟତାର ସଂନ୍ଧାନ ମିଳିଥିବା ନେଇ ଏଏସ୍ ଆଇ ଉତ୍ ଖନନ ଶାଖାକୁ ଖବର ଦେଇଥିଲେ। ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗର ଉତ୍ ଖନନ ଶାଖା-୪ର ଅଧିକ୍ଷଣ ପୁରାତତ୍ତ୍ୱବିତ୍ ଡ଼ଃ. ଡ଼ି.ବି ଗଡ଼ନାୟକଙ୍କ ତତ୍ୱାବଧାନରେ ଗତ ବର୍ଷ ଏକ ଟିମ୍ ଆସି ଉକ୍ତ ଭାରତୀହୁଡ଼ାରେ ସର୍ବେକ୍ଷଣ କରିଥିଲେ। ପ୍ରାରମ୍ଭିକ ଅନୁଧ୍ୟାନ ପରେ ସେଠାରେ ତିନି ଚାରି ହଜାର ବର୍ଷ ପୂବେ ଜନବସତି ଗଢ଼ିଉଠିଥିଲା ବୋଲି ଜାଣିବାକୁ ପାଇଥିଲେ। ଏପରିକି ସେ ସମୟରେ ଲୋକେ ବ୍ୟବାହାର କରୁଥିବା ମାଟି ପାତ୍ର, ପଥରତିଆରି ଅସ୍ତ୍ରର ଭଗ୍ନାବଶେଷ, ବିଭିନ୍ନ ଜନ୍ତୁଙ୍କ ହାଡ଼ ଇତ୍ୟାଦି ସାମଗ୍ରି ପାଇଥିଲେ। ନିଆଳି ବଜାର ଠାରୁ ଭାରତୀହୁଡ଼ା ଚାରିକିମି ଦୁର ହୋଇଥିବାବେଳେ ଏହା ପ୍ରାଚୀ ଓ ତଅଁଳା ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳ ଅଟେ। ଏହା ୧୦ ଏକରରୁ ଅଧିକ ଜମି ପ୍ରାୟ ଉଚ୍ଚାଳିଆ କୁଦ ରହିଛି। ଏହି ସ୍ଥାନରୁ ମିଳିଥିବା ସାମଗ୍ରୀରୁ ପ୍ରାଚୀ ସଭ୍ୟତାରେ ତାମ୍ର ପ୍ରସ୍ତର ଯୁଗର ଜନବସତି ହୋଇଥିଲାବୋଲି ଜଣାପଡ଼ିବା ପରେ ଏହି ଅଞ୍ଚଳରେ ବିଭାଗ ପକ୍ଷରୁ ଉତ୍ ଖନନ କରାଯିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା। ତେବେ ଗତ କିଛିଦିନ ତଳେ ବିଭାଗ ପକ୍ଷରୁ ଏକ ଦଳ ଆସି ଜଲ୍ଲାରପୁର ହାଇସ୍କୁଲ ସମ୍ମୁଖରେ ଥିବା ଏକ ପଡ଼ିଆରେ ତମ୍ଭୁଘର ପକାଇ ଶିବିର ଆରମ୍ଭ କରି ରହିବା ପରେ ସୋମବାର ଅଧିକ୍ଷଣ ପୁରାତତ୍ୱବିତ୍ ଡ଼ଃ. ଡ଼ି.ବି.ଗଡ଼ନାୟକଙ୍କ ତତ୍ୱାବଧାନରେ ଉକ୍ତ ଭାରତୀକୁଦରେ ଉତ୍ ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟରେ ବିଭାଗର ସହାୟକ ପୁରାତତ୍ୱବିତ୍ ସଂଜୟ ପଣ୍ଡା, ଆଶିଶ ସାହୁ, ଉମାକାନ୍ତ ଭୋଇ, ସର୍ବେକ୍ଷକ ଗ୍ରେଡ଼୍ -୧ର ସୁଭେନ୍ଦୁ କୁମାର ଖୁଣ୍ଟିଆ, ଡ଼୍ରାପ୍ଟସ୍ ମ୍ୟାନ୍ ବି.ପି. ବଡ଼ମାଳି ଓ ଫୋଟ ଗ୍ରାଫର ଆର୍ . ଏନ୍ . ସାହୁ ସାମିଲ ହୋଇଥିବା ବେଳେ ୫୦ରୁ ଅଧିକ ଶ୍ରମିକ ଏହି ଖନନ କାର୍ଯ୍ୟରେ ଲାଗିଛନ୍ତି। ପ୍ରଥମ ଦିନରେ କେତେଟି ପୁରାତନ ପ୍ରସ୍ତର ଖଣ୍ଡ ମିଳିଥିବା ବେଳେ ଆସନ୍ତା ୪ ମାସଧରି ଏହି ଉତ୍ ଖନନ ଜାରି ରହିବବୋଲି ବିଭାଗ ପକ୍ଷରୁ ଜଣାଯାଇଛି। ଏ ସଂକ୍ରାନ୍ତରେ ଅଧିକ୍ଷଣ ପୁରାତତ୍ୱବିତ୍ ଡ଼ଃ.ଡ଼ି.ବି ଗଡ଼ନାୟକଙ୍କୁ ପଚାରିବାରୁ ଏହି ପ୍ରାଚୀନଦୀ ସଭ୍ୟତାରେ ତାମ୍ରଯୁଗର ଜନବସତି ରହିଥିବା ଜଣାପଡ଼ିବାପରେ ଖନନକାର୍ଯ୍ୟ ଆରମ୍ଭ ହୋଇଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *