ବୌଦ୍ଧ, ୧୧ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଜିଲାର ମନମୁଣ୍ଡା ଅଂଚଳରେ ଉଠାଜଳସେଚନ ମାଧ୍ୟମରେ ବହୁଳ ଭାବରେ ଡାଳୁଅଧାନ ଚାଷ କରାଯାଉଥିବାବେଳେ ଚଳିତବର୍ଷ ପ୍ରାକ ମୌସୁମୀ ବର୍ଷାରେ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ସରକାର କୃଷି ଓ କୃଷକର ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ୯୦ ପ୍ରତିଶତ ରିହାତି ଦରରେ (ମାତ୍ର ୨୦ ହଜାର ଟଙ୍କା) ବୋରୱେଲ ଯୋଗାଇ ଦେଇଛନ୍ତି। ଯାହା ଫଳରେ ଅଂଚଳର ଚାଷୀମାନେ ବର୍ଷକୁ ଦୁଇଥର ଧାନଚାଷ କରିବାର ସୁଯୋଗ ପାଉଛନ୍ତି। ଚଳିତବର୍ଷ ଚାଷୀମାନେ କଠିନ ପରିଶ୍ରମ କରି ଲକ୍ଷ୍ୟଠାରୁ ଅଧିକ ଧାନ ଅମଳ କରିବାକୁ ଆଶା ବାନ୍ଧିଥିବାବେଳେ ଏହି ପ୍ରାକ୍ ମୌସୁମୀ ବର୍ଷା ଯୋଗୁଁ ଚାଷୀଙ୍କ ଆଶା ମଉଳି ଯାଇଛି। ସୂଚନା ମୁତାବକ ମନମୁଣ୍ଡା ଅଂଚଳର ସାହୁପଡା, ଖଇରମାଲ, ଭୁର୍କିପଡା, ଦେଉଳି, କପାସିରା, ମାଝିପଡା, ଉଚ୍ଚବାହାଲି, ଗୁଡଭେଲିପଦର, ଡଙ୍ଗାଝୋଲ ଆଦି ଗ୍ରାମ ଗୁଡିକରେ ଚାଷୀମାନେ ଡାଳୁଅଧାନ କାଟି କ୍ଷେତରେ ରଖିଥିବାବେଳେ ଏହି ପ୍ରାକ୍ମୌସୁମୀ ବର୍ଷା ଚାଷୀ ପରିବାରଙ୍କ ନିଦ ହଜାଇ ଦେଇଛି। ଏହି ବର୍ଷା ଯୋଗୁଁ କଟା ହୋଇ ଜମିରେ ପଡିଥିବା ଧାନ ସବୁ ଗଜା ହୋଇଯିବା ଆଶଙ୍କା ଦେଖାଦେଇଛି।
