ଦେବଗଡ ୨୨-୬ (ଓଡ଼ିଆ ପୁଅ/ପ୍ରଶାନ୍ତ କୁମାର ଭୁକ୍ତା) ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପ୍ରଶାସନର ପ୍ରସ୍ତୁତି ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ଧରମ ହାଁସଦା ଏହି ମକ୍ ଡ୍ରିଲ କାର୍ଯ୍ୟକ୍ରମର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଅଗ୍ନିଶମ ସେବା ସଂସ୍ଥାର ଅଗ୍ନିଶମ ସେବା ଅଧିକାରୀ ଶଶାଙ୍କ ଶେଖର ମହାପାତ୍ର, ଓସଡମା ରାଜ୍ୟ ସଂଯୋଜକ ଶୈଳେନ୍ଦ୍ର ପଟ୍ଟନାୟକ ଏବଂ ଜରୁରୀ କାଳିନ ଅଧିକାରୀ ସୁଶାନ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ମକ୍ ଡ୍ରିଲ କାର୍ଯ୍ୟକ୍ରମରେ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ ବୃନ୍ଦ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ସେଗୁଡିକର କାର୍ଯ୍ୟକାରୀତା ପ୍ରତ୍ୟକ୍ଷ ଭାବରେ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେବଗଡ ମହାବିଦ୍ୟାଳୟ ଓ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟରଏନ.ସି.ସି. କ୍ୟାଡେଟ୍ ମାନେ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀଙ୍କ ତତ୍ୱାବଧାନରେ ପ୍ରଭାବିତ ଲୋକମାନଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ତାହା ଦେଖାଇଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିଦ୍ଦେର୍ଶକ, ଡିଆରଡିଏ ଭିନସେଣ୍ଟ ପୁନମ କାନ୍ତ ଏକ୍କା, ଜିଲ୍ଲା ମଙ୍ଗଳ ଅଧିକାରୀ ହଳଧର ମହାନନ୍ଦ, ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଧ କୁମାର ନାୟକ, କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆର.କେ. ମେହେତୋ, ପୈାର ନିର୍ବାହୀ ଅଧିକାରୀ କୁଞବନ ପ୍ରଧାନ, ଏନ.ସି.ସି. ଅଧିକାରୀ ଈଶ୍ୱର ଚନ୍ଦ୍ର ସାହୁ ଓ ଏସ.କେ. ନନ୍ଦଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଦେଖିଥିଲେ।
ସୂଚନା ଯୋଗ୍ୟ ଯେ, ଆଜି ଜିଲ୍ଲାର ସମସ୍ତ ବ୍ଲକ ମହକୁମାରେ ମଧ୍ୟ ମକ୍ ଡ୍ରିଲ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
