ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ବୈଠକ

ପାରଳାଖେମୁଣ୍ଡି, ୨୩ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ଏକ ଜିଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଆଗକୁ ବର୍ଷା ଋତୁ ଆସୁଥିବା ଯୋଗୁ ଏବଂ ସେତେବେଳେ ସାମ୍ଭାଭ୍ୟ ବିପର୍ଯ୍ୟୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାର ଉଚିତ ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଉପରେ ସମିକ୍ଷା କରାଯାଇଛି। ଜିଲାପାଳ ଅନୁପମ ସାହା ଏହି ବୈଠକରେ ଅଧ୍ୟକ୍ଷତା କରି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଯେଭଳି କୌଣସି ଧନ-ଜୀବନ କ୍ଷତି ନଘଟେ ଏବଂ ପ୍ରପିଡିତ ଅଞ୍ଚଳବାସୀଙ୍କ ପାଖରେ ସମସ୍ତ ପ୍ରକାର ସହାୟତା ଯୋଗାଇହେବ ସେଥିପାଇଁ ସମସ୍ତ ବିଭାଗ ନିଜ ଭିତରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ ବୋଲି ସେ କହିଥିଲେ। ଏହି ବୈଠକରେ ସମସ୍ତ ବ୍ଳକର ବିଡିଓ, ତହସିଲଦାର, ନିର୍ବାହି ଯନ୍ତ୍ରୀ, ଅଗ୍ନିଶମ ବିଭାଗର ପ୍ରମୁଖ ଅଧିକାରୀ ଯୋଗଦେଇ ନିଜ ନିଜ ବିଭାଗିୟ ପ୍ରସ୍ତୁତି ବିଷୟରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟତଃ ବୃଷ୍ଟିପାତ ପରିମାଣ, ଆଶ୍ରୟସ୍ଥଳ, ପ୍ରପିଡିତମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା, ଚାଉଳ ଓ ଶୁଖିଲା ଖାଦ୍ୟ, କିରୋସିନ, ଔଷଧ ମହଜୁତ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସେହିପରି ରାସ୍ତା ଉପରେ ଗଛ ପଡିଲେ ତାକୁ ସଫା କରିବା ପାଇଁ କଟର ମେଶିନ ମହଜୁତ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସମସ୍ତ ବ୍ଳକ ଅଧିକାରୀମାନେ ପୁର୍ବରୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲାପାଳ ଧୃବରାଜ ପାଣ୍ଡେ, ଉପଜିଲାପାଳ ରଞ୍ଜନିକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *