ଓଡ଼ିଶା

ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁରେ ଅନୁକଂପା ସହାୟତା ପ୍ରକ୍ରିୟାକୁ ସରଳୀକୃତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ରାଜ୍ୟ କାର୍ଯ୍ୟକାରୀ ପରିଷଦ ବୈଠକ
– ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀକୁ ବହୁବିଧ ବ୍ୟବହାରରେ ଲଗାଇବାକୁ ନିର୍ଦ୍ଦେଶ। ସମସ୍ତ ଆଶ୍ରୟସ୍ଥଳୀ ଗୁଡିକୁ ଜରୁରୀକାଳିନ ସରଞ୍ଜାମ ଯୋଗାଇ ଦିଆଯିବ।
ଭୁବନେଶ୍ୱର ୨୨-୩ (ଓଡ଼ିଆ ପୁଅ) ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁରେ ଅନୁକଂପା ମୂଳକ ସହାୟତା ରାଶି ପ୍ରଦାନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଚିବାଳୟଠାରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଗଠିତ ରାଜ୍ୟ କାର୍ଯ୍ୟ ନିର୍ବାହୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପାଢ଼ୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ କାର୍ଯ୍ୟ ଯୋଜନାରେ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ୮୧୪ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ବହୁବିଧ ବ୍ୟବହାରରେ ଲଗାଇ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଏହି ଆଶ୍ରୟସ୍ଥଳୀ ଗୁଡିକୁ ସଂପୃକ୍ତ ଅଂଚଳର ଆବଶ୍ୟକତା ଅନୁସାରେ କମ୍ୟୁନିଟି ସେଣ୍ଟର୍, ବିଦ୍ୟାଳୟ ଆଦି ଭାବେ ବ୍ୟବହାର କରିବା କିମ୍ବା ସଂପୃକ୍ତ ଗ୍ରାମ ପଂଚାୟତକୁ ଅନ୍ୟାନ୍ୟ ଉପଯୋଗିତା ନିମନ୍ତେ ହସ୍ତାନ୍ତର କରିବା ବିଷୟରେ ବୈଠକରେ ନିଷ୍ପତ୍ତି ହୋଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ମୃତ୍ୟୁରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କର ନିକଟତମ ସଂପର୍କୀୟଙ୍କୁ ସହାୟତା ରାଶି ପ୍ରଦାନରେ ବିଳମ୍ବକୁ ଏଡାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବଜ୍ରପାତ, କାନ୍ଥ ପଡିବା, ପାଣିରେ ବୁଡିଯିବା, ସର୍ପାଘାତ ଆଦି ବିପର୍ଯ୍ୟୟରେ ପୋଷ୍ଟମର୍ଟମ୍ ରିପୋର୍ଟର ଆବଶ୍ୟକତା ଉପରେ ପୁନଃ ବିଚାର କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। ଅନୁକଂପା ରାଶି ପ୍ରଦାନ ବିଳମ୍ବ ଏଡାଇବା ନିମନ୍ତେ ନିର୍ଦ୍ଧାରିତ ମାର୍ଗ ଦର୍ଶକ (ଏସ୍.ଓ.ପି) ପ୍ରସ୍ତୁତ କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ସେଠୀ ଜଣାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ୪୬୭ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିମନ୍ତେ ଜରୁରୀକାଳୀନ ସରଞ୍ଜାମ ଓ ଯନ୍ତ୍ରପାତି ଯୋଗାଇବାର ବ୍ୟବସ୍ଥା କରାଯାଇଛି। ୩୨ ପ୍ରକାରର ଜରୁରୀ କାଳୀନ ସରଞ୍ଜାମ ଯୋଗାଇ ଦିଆଯାଉଛି। ଅବଶିଷ୍ଟ ୩୪୭ଟି ଆଶ୍ରୟସ୍ଥଳୀକୁ ସରଞ୍ଜାମ ଯୋଗାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ଏବଂ ଏ ବାବଦରେ ପ୍ରାୟ ୪୩ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରାଯାଇଥିଲା। ସବୁ ଜିଲ୍ଲା ଏବଂ ବିଭାଗ ମାନେ ମେ ମାସ ଶେଷ ସୁଦ୍ଧା ନିଜ ନିଜର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟ ଯୋଜନା ଚୁଡାନ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ବ୍ଲକ୍ ଓ ପଂଚାୟତରେ ଲଗାଯାଇଥିବା ବର୍ଷାମାପକ ଯନ୍ତ୍ର ଗୁଡିକର କାର୍ଯ୍ୟକାରୀ ସ୍ଥିତି ବିଷୟରେ ଏକ କ୍ଷେତ୍ରଭିତ୍ତିକ ତାଲିକା ପ୍ରସ୍ତୁତ କରି ସେଗୁଡିକୁ ପୂଣ୍ଣ ର୍ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ଉନ୍ନୟନ କମିଶନର ଶ୍ରୀ ଆର୍.ବାଲାକ୍ରିଷ୍ଣନ୍ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ବରିଷ୍ଠ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top